Home ଜିଲ୍ଲା ପରିକ୍ରମା ‘ଫ୍ୟୁଚର ବାଲେଶ୍ୱର’ପକ୍ଷରୁ ଜିଲାର ତୃତୀୟ ଉପଖଣ୍ଡ ପ୍ରତିଷ୍ଠା ଦାବି

‘ଫ୍ୟୁଚର ବାଲେଶ୍ୱର’ପକ୍ଷରୁ ଜିଲାର ତୃତୀୟ ଉପଖଣ୍ଡ ପ୍ରତିଷ୍ଠା ଦାବି

25

ବାଲେଶ୍ୱର, ୪ା୨(ଓଡ଼ିଆ ପୁଅ/ଅଭୟ ଦାସ) : ବାଲେଶ୍ୱର ଜିଲ୍ଲାର ଉତ୍ତରରେ ଥିବା ୪ ଗୋଟି ବ୍ଲକର ଅବହେଳିତ ସ୍ଥିତିକୁ ନେଇ ଉଦ୍‌ବେଗ ପ୍ରକାଶ କରିଛି ସ୍ୱେଚ୍ଛାସେବୀ ସଂଗଠନ ‘ଫ୍ୟୁଚର ବାଲେଶ୍ୱର’। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ଅଧ୍ୟକ୍ଷ ଆଇନଜୀବୀ ବିଜୟ କୁମାର ପାଣିଗ୍ରାହୀ ଯୋଗଦେଇ ଉତ୍ତର ବାଲେଶ୍ୱର ପ୍ରତି ହେଉଥିବା ସରକାରୀ ଅବହେଳା ସମ୍ପର୍କରେ ସୂଚନା ଦେଇଥିଲେ। ସଦର ମହକୁମାରୁ ଦୂରରେ ରହିବା ଫଳରେ ଜିଲା ସୀମାରେ ପଶ୍ଚିମବଙ୍ଗ ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଛି ବୋଲି ସେ କହିଥିଲେ। ବିଶେଷ କରି ସୁବର୍ଣ୍ଣରେଖା ନଦୀ ପାର୍ଶ୍ୱ ଅଞ୍ଚଳରୁ ମାଟି ଓ ବାଲି ଚୋରୀ ସାଙ୍ଗକୁ ମାଫିଆମାନେ ଏହି ରାସ୍ତା ଦେଇ ଜିଲାକୁ ନିଶା ସାମଗ୍ରୀ ମଧ୍ୟ ଚାଲାଣ କରୁଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ସହ ସୀମା ବିବାଦ କ୍ରମଶଃ ଉତ୍କଟ ହେବାରେ ଲାଗିଛି। ସଦର ମହକୁମା ଦୂରରେ ରହିବା ଫଳରେ ପୁଲିସ କିମ୍ବା ପ୍ରଶାସନ ତତ୍କାଳ ସେଠାରେ ପହଞ୍ଚି ପାରୁନି କିମ୍ବା ବାଲି ମାଫିଆ ଓ ନିଶା ବେପାରୀଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ବି ଗ୍ରହଣ କରିପାରୁ ନାହିଁ। ଅନ୍ୟପକ୍ଷରେ ଭୋଗରାଇ, ଜଳେଶ୍ୱର, ବାଲିଆପାଳ ଓ ବସ୍ତା ପ୍ରଭୃତି ବ୍ଲକ ସଦର ମହକୁମାରୁ ଦୂରରେ ରହିବା ଫଳରେ କୌଣସି ସମସ୍ୟାର ଆଶୁ ସମାଧାନ ପାଇଁ ଏହି ଅଞ୍ଚଳର ଲୋକେ ଜିଲା ପ୍ରଶାସନ କିମ୍ବା ପୁଲିସଠାରେ ଅଭିଯୋଗ କରିବାକୁ ଆସିପାରୁ ନାହାନ୍ତି। ଅନ୍ୟପକ୍ଷରେ ୪ ଗୋଟି ବ୍ଲକର ସମ୍ପ୍ରତି ଜନସଂଖ୍ୟା ୮ଳକ୍ଷ ଟପିଥିବା ବେଳେ ଏଠାରେ ଅନ୍ୟଏକ ସବ-ଡିଭିଜନ ପ୍ରତିଷ୍ଠା ମଧ୍ୟ ଜରୁରୀ ହୋଇପଡ଼ିଛି ବୋଲି ଫ୍ୟୁଚର ବାଲେଶ୍ୱରର କର୍ମକର୍ତ୍ତାମାନେ କହିଛନ୍ତି। ଉତ୍ତମ ଭିତ୍ତିଭୂମି ଥିବା ତଥା ୪ ଗୋଟି ବ୍ଲକର କେନ୍ଦ୍ରସ୍ଥଳ ଜଳେଶ୍ୱରରେ ଜିଲାର ତୃତୀୟ ଉପଖଣ୍ଡ ବ୍ୟବସ୍ଥା ପ୍ରତିଷ୍ଠା ପାଇଁ ଫ୍ୟୁଚର ବାଲେଶ୍ୱର ପକ୍ଷରୁ ଦାବି ହେଇଛି। ଏଠାରେ ସବ-ଡିଭିଜନ ପ୍ରତିଷ୍ଠା ହେଲେ ଉତ୍ତର ବାଲେଶ୍ୱରର ଅବହେଳିତ ଲୋକେ ସମୟ ଉପଯୋଗୀ ନ୍ୟାୟ ଓ ସେବା ପାଇପାରିବେ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଏନେଇ ଆଗାମୀ ଦିନରେ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ସଂଗଠନର ଅଧ୍ୟକ୍ଷ ଶ୍ରୀ ପାଣିଗ୍ରାହୀ ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଦୁକୁଲୁ ଚନ୍ଦ୍ର ଘଡ଼େଇ, ରମେଶ ଚନ୍ଦ୍ର ଜେନା, ପ୍ରଶାନ୍ତ କୁମାର ଦାସ, ଗିରିଜା ଶଙ୍କର ଦାସ, ଶୁଭାଶିିଷ ଦେ, ରଣଜିତ କୁମାର ବର୍ଦ୍ଧନ, ରଂଜନ ଦାସ, ଶଶାଙ୍କ ଶେଖର ଦତ୍ତ, ରଂଜନ କୁମାର ପରିଡ଼ା, ସୌମ୍ୟରଂଜନ ପାତ୍ର, ଯୋଗଶେ ଚନ୍ଦ୍ର ପ୍ରଧାନ, ବରେନ୍ଦ୍ର କୁମାର ଜେନା, ସଂଗ୍ରାମ କେଶରୀ ରାଉଳ, ଆଲୋକ ଦେ, ଗୋପାଳ ନନ୍ଦୀ, ବେଣୁଧର ରାଉଳ, ତରୁଣ କୁମାର ରାଉତ, ସତ୍ୟବ୍ରଅତ ଘଡ଼େଇ, ରଂଜନ ଘଡ଼େଇ, ବେଣୁଧର ଉପାଧ୍ୟାୟ, ଭବେନ୍ଦ୍ର ଆଚାର୍ଯ୍ୟ ପ୍ରମୁଖଙ୍କ ସମେତ ‘ଫ୍ୟୁଚର ବାଲେଶ୍ୱର’ର ବହୁ ସଦସ୍ୟ ଏହି ସାମ୍ବାଦିକ ସମ୍ମିଳନୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.