Home ଜିଲ୍ଲା ପରିକ୍ରମା ଫେରାର ହତ୍ୟା ଅଭିଯୁକ୍ତଙ୍କ ଧମକ, ଏସ୍‌ପିଙ୍କ ନିକଟରେ ସୁରକ୍ଷା ଲୋଡିଲେ ପରିବାର ଲୋକେ

ଫେରାର ହତ୍ୟା ଅଭିଯୁକ୍ତଙ୍କ ଧମକ, ଏସ୍‌ପିଙ୍କ ନିକଟରେ ସୁରକ୍ଷା ଲୋଡିଲେ ପରିବାର ଲୋକେ

58

ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ବହୁ ଚର୍ଚ୍ଚିତ ରାଜମୁକୁନ୍ଦପୁର ଗ୍ରାମର ସଂଜିତ ବେହେରା ହତ୍ୟା ମାମଲାର ଫେରାର ଅଭିଯୁକ୍ତମାନେ ତାଙ୍କ ପରିବାରକୁ ହତ୍ୟା ଧମକ ଦେବା ପ୍ରତିବାଦରେ ପରିବାର ଲୋକେ ଏସ୍‌ପିଙ୍କ ସୁରକ୍ଷା ଲୋଡିଛନ୍ତି । ଏଠାରେ ସୂଚନାଯୋଗ୍ୟ ଚଳିତବର୍ଷ ମାର୍ଚ୍ଚ ମାସ ୧୭ ତାରିଖ ଦିନ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଏହି ଗ୍ରାମର ସଂଜିତ ବେହେରାଙ୍କୁ ଜମିବାଡି ବିବାଦକୁ ନେଇ ବିଭତ୍ସ ଭାବେ ହତ୍ୟା କରାଯାଇଥିଲା । ଆକ୍ରମଣକାରୀମାନେ କେବଳ ସଂଜିତଙ୍କୁ ନୁହେଁ ତାଙ୍କ ପରିବାରର ମହିଳାମାନଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଘଟଣାରେ ମୃତ ସଂଜିତଙ୍କ ଭାଇ ରଂଜିତ ଗ୍ରାମାଞ୍ଚଳ ଥାନାରେ କରିଥିବା ଅଭିଯୋଗ ପତ୍ରରେ ୧୩ ଜଣଙ୍କ ନାମ ଉଲ୍ଲେଖ କରିଥିଲେ । ଆଜିସୁଦ୍ଧା ସମସ୍ତ ଅଭିଯୁକ୍ତମାନଙ୍କ ମଧ୍ୟରୁ ପୁଲିସ୍ ମାତ୍ର ୪ ଜଣଙ୍କୁ ଗିରଫ କରିଥିବାବେଳେ ୯ ଜଣ ଫେରାର ଅଛନ୍ତି । ତେବେ ଇତିମଧ୍ୟରେ ପୁଲିସ୍ ମାମଲାର ଚାର୍ଜସିଟ୍ ଦାଖଲ କରିସାରିଛି । ଅଭିଯୁକ୍ତଙ୍କ ମଧ୍ୟରୁ ପୁଲିସ୍ ୫ ଜଣଙ୍କ ନାମ କାଟିଦେଇଛି ବୋଲି ଅଭିଯୋଗ କରିଛନ୍ତି ରଂଜିତ । ଏହି ଫେରାର ଅଭିଯୁକ୍ତମାନେ ଏବେ ତାଙ୍କ ପରିବାରକୁ ବାରମ୍ବାର ହତ୍ୟା ଧମକ ଦେଇଚାଲିଛନ୍ତି । ତେଣୁ ସେମାନେ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ରହିଥିବାବେଳେ ପୁଲିସ୍ ସେମାନଙ୍କୁ ସୁରକ୍ଷା ଯୋଗାଇଦେବା ଦାବିରେ ରଂଜିତ ଆଜି ସପରିବାର ଭଦ୍ରକ ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନାଙ୍କୁ ସାକ୍ଷାତ୍ କରି ନିବେଦନ କରିଛନ୍ତି । ଆରକ୍ଷୀ ଅଧିକ୍ଷକ ଶ୍ରୀ ମୀନା ଏହି ଘଟଣାରେ ସେମାନଙ୍କ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇ ନିର୍ଭୟରେ ରହିବାକୁ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.