Home ଜିଲ୍ଲା ପରିକ୍ରମା ପ୍ରେମ ପୃଥିବୀର ସମ୍ବର୍ଦ୍ଧନା ଓ ବାର୍ଷିକ ପ୍ରେମ ପଖାଳ ମହୋତ୍ସବ, ପଦ୍ମଶ୍ରୀ ଜୟନ୍ତଙ୍କୁ ‘ପରମ ପୁରୁଷ’,...

ପ୍ରେମ ପୃଥିବୀର ସମ୍ବର୍ଦ୍ଧନା ଓ ବାର୍ଷିକ ପ୍ରେମ ପଖାଳ ମହୋତ୍ସବ, ପଦ୍ମଶ୍ରୀ ଜୟନ୍ତଙ୍କୁ ‘ପରମ ପୁରୁଷ’, ପ୍ରତିଭାଙ୍କୁ ‘ପ୍ରେମ ପ୍ରକୃତି’ ଓ ପବିତ୍ରଙ୍କୁ ‘ପ୍ରେମ ପୁରୁଷ’ ସମ୍ମାନ

32

ଭଦ୍ରକ, ୧୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମାଟି, ଆକାଶ ଓ ପୃଥିବୀ ସବୁକିଛି ପ୍ରେମମୟ । ପ୍ରେମ ଜୀବନର ଏମିଳି ଏକ ବିରଳ ବିଭବ, ଯାହା ମଣିଷକୁ ସଫଳ ଓ ପରିପୂର୍ଣ୍ଣ କରିଥାଏ । ତ୍ୟାଗ ଓ କରୁଣା ପ୍ରେମ ମୁଦ୍ରାର ଦୁଇ ପାଶ୍ୱର୍ । ପ୍ରାପ୍ତି ଓ ଅପ୍ରାପ୍ତିର ଲୁଚକାଳି ଖେଳ ଭିତରେ ଭତିଶୀଳ ଏହି ପୃଥିବୀ ବାସ୍ତବରେ ଏକ ପ୍ରେମର ପୃଥିବୀ ବୋଲି ସାହିତ୍ୟ ପତ୍ରିକା ‘ପ୍ରେମ ପୃଥିବୀ’ର ବାର୍ଷିକ ସାରସ୍ୱତ ସଭା ଓ ପ୍ରେମ ପଖାଳ ମହୋତ୍ସବରେ ମତ ପ୍ରକାଶ ପାଇଛି । ଏହି ଅବସରରେ ବିଶିଷ୍ଟ କବି ପଦ୍ମଶ୍ରୀ ଡ. ଜୟନ୍ତ ମହାପାତ୍ରଙ୍କୁ ‘ପ୍ରେମମୟ ପରମ ପୁରୁଷ’, କବି ଡ. ପ୍ରତିଭା ରାୟଙ୍କୁ ‘ପ୍ରେମ ପ୍ରକୃତି’ ଓ କଥାକାର ପବିତ୍ର ପାଣିଗ୍ରାହୀଙ୍କୁ ‘ପ୍ରେମ ପୁରୁଷ’ ସମ୍ବର୍ଦ୍ଧନା ସହ ନିରାକାର ଦାସଙ୍କୁ ପ୍ରେମ ପୃଥିବୀ କବିତା ସମ୍ମାନ ଓ ସୁନିଲ ମିଶ୍ର ମୈତ୍ରେୟଙ୍କୁ ପ୍ରେମ ପୃଥିବୀ କଥା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଆରଡ଼ି ଛକସ୍ଥିତ ପ୍ରେମନଗର ପରିସରରେ ସୁଲେଖକ ଅଧ୍ୟାପକ ବିଶ୍ୱରଂଜନଙ୍କ ପୌରହିତ୍ୟରେ ଆୟୋଜିତ ଏହି ଅପାରମ୍ପରିକ ଉତ୍ସବରେ ସମ୍ବର୍ଦ୍ଧିତ ପ୍ରତିଭାଙ୍କ ସହ ପ୍ରାକ୍ତନ ଆରକ୍ଷୀ ଅଧିକ୍ଷକ ବିକାଶ ଦାସ, ଡ. ସୁଲେଖ ଛୋଟରାୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଆରମ୍ଭରେ ପ୍ରେମ ପୃଥିବୀ ସଂପାଦକ କୈଳାସ ଚନ୍ଦ୍ର ପଣ୍ଡା ସ୍ୱାଗତ ଭାଷଣ ଓ କବି କିଶୋର ପାଣିଗ୍ରାହୀ ଅତିଥି ପରିଚୟ ଦେଇଥିଲେ । ହରମୋହନ କୁଅଁର ମଞ୍ଚ ଆମନ୍ତ୍ରଣ କରିଥିବାବେଳେ, ଅର୍ନ୍ତଯ୍ୟାମୀ ମହାରଣା, ଯୋଗ୍ୟଶ୍ରୀ ସାମଲ, ଗୟାଧର ପଣ୍ଡା, ଚୈତାଳୀ ଖିଲାର ମାନପତ୍ର ପାଠ କରିଥିଲେ । ଏହି ଅବସରରେ ପ୍ରେମ ପୃଥିବୀର ଗ୍ରୀଷ୍ମ ସଂଖ୍ୟା, କିଶୋର ମିଶ୍ରଙ୍କ ଚନ୍ଦ୍ରରାଗ, ଅନ୍ନପୂର୍ଣ୍ଣ ପଣ୍ଡାଙ୍କ ‘ଶତ କଦମ୍ବ ଓ ଅନ୍ୟାନ୍ୟ କବିତା’ ପୁସ୍ତକ ଲୋକାର୍ପିତ ହୋଇଥିଲା । ଶେଷରେ ରୋ. ଅଭିଜିତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଥମ ଅଧିବେଶନରେ ଅନୁଷ୍ଠିତ ପ୍ରେମ କବିତା ପାଠୋତ୍ସବର ସଂଚାଳନା କରିଥିଲେ ଚିନ୍ତାମଣୀ ମହାଳିକ, ସାରଥୀ ପଣ୍ଡା, ପ୍ରକୃତି ବନ୍ଧୁ ବୈକୁଣ୍ଠ ବିଶ୍ୱାଳ । ବାବାଜୀ ଚରଣ ପଣ୍ଡା, ଗୁରୁପ୍ରସାଦ ପଣ୍ଡା, ଅବିନାଶ ପଣ୍ଡା, ଗୌରାଙ୍ଗ ବାରିକ ପ୍ରମୁଖ ସଭା କାର୍ଯ୍ୟ ପରିଚାଳନରେ ସହଯୋଗ କରିଥିଲେ । ଭଦ୍ରକ ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ଯୋଗ ଦେଇଥିବା ଦେଢ଼ଶହରୁ ଉର୍ଦ୍ଧ୍ୱ ସାହିତ୍ୟିକ ଓ ବୁଦ୍ଧିଜୀବୀ ସଭାପରେ ଅନୁଷ୍ଠିତ ପ୍ରେମ ପଖାଳ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.