Home ଜିଲ୍ଲା ପରିକ୍ରମା ପ୍ରସ୍ତାବିତ ମଦ ଦୋକାନ ସ୍ଥାନାନ୍ତର ନେଇ ଅତିରିକ୍ତ ଜିଲାପାଳଙ୍କୁ ଦାବିପତ୍ର, ପୁନଃ ଭିସି ମାଧ୍ୟମରେ ଆଲୋଚନା...

ପ୍ରସ୍ତାବିତ ମଦ ଦୋକାନ ସ୍ଥାନାନ୍ତର ନେଇ ଅତିରିକ୍ତ ଜିଲାପାଳଙ୍କୁ ଦାବିପତ୍ର, ପୁନଃ ଭିସି ମାଧ୍ୟମରେ ଆଲୋଚନା କରାନଗଲେ ଆନ୍ଦୋଳନ ଚେତାବନୀ

30

ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଏକ ପ୍ରସ୍ତାବିତ ମଦ ଦୋକାନ ସ୍ଥାନାନ୍ତର ପ୍ରତିବାଦରେ ହସନାବାଦ ଓ ଧୁଷୁରୀ ଗ୍ରାମପଞ୍ଚାୟତର ବହୁ ଲୋକ ବିଶିଷ୍ଟ କୃଷକ ନେତା ଚନ୍ଦ୍ରଶେଖର ନାୟକ, କାଳନ୍ଦୀ କୁଅଁର, କମଳାକାନ୍ତ ପୁହାଣ, ବିନୋଦ ବିହାରୀ ନାୟକ, ସନ୍ତୋଷ ବିଶ୍ୱାଳ, ପ୍ରଦୀପ ଜେନା ପ୍ରମୁଖଙ୍କ ନେତୃତ୍ୱରେ ଆସି ଅତିରିକ୍ତ ଜିଲାପାଳ (ରାଜସ୍ୱ) ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବିପତ୍ର ମୂଳେ ଏହି ଜିଲାର ଧାମନଗର ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ହସନାବାଦ ଧୁଷୁରୀ ଗ୍ରାମପଂଚାୟତର ଅସ୍ତକ ଓ ସୂର୍ଯ୍ୟପୁର ମୌଜାରେ ଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଦେଇ ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ୱ ଲୋକ ଯାତାୟତ କରନ୍ତି । ଏହି ରାସ୍ତାଦେଇ ୩ଟି ମହାବିଦ୍ୟାଳୟ ଓ ୩ଟି ହାଇସ୍କୁଲ, ପ୍ରାଇମେରୀ ସ୍କୁଲକୁ ଛାତ୍ରଛାତ୍ରୀମାନେ ଯିବାଆସିବା କରନ୍ତି । ବିଶେଷକରି ଧୁଷୁରୀ ବଜାର ଓ ଭଦ୍ରକକୁ ଯିବାଆସିବା ପାଇଁ ଏହା ମୁଖ୍ୟ ରାସ୍ତା ଅଟେ । ମାତ୍ର ଏହି ରାସ୍ତା ପାଶ୍ୱର୍ରେ ଜିଲା ଅବକାରୀ ବିଭାଗ ପକ୍ଷରୁ ଏକ ଠିପିବନ୍ଦ ମଦ ଦୋକାନ ଖୋଲିବାର ନୋଟିସ୍ ହୋଇଛି । ଯାହା ଆଇନ୍ ଶୃଙ୍ଖଳା ଭଂଗ କରିବା ଭଳି ପରିସ୍ଥିତି ସୃଷ୍ଟିର ସମ୍ଭାବନା ରହିଛି । ଏହି ସଡକ ଦେଇ ଜଗନ୍ନାଥ ମନ୍ଦିର, ରାମ ମନ୍ଦିର, ଉଗ୍ରତାରା ମନ୍ଦିର ଓ ହନୁମାନ ମନ୍ଦିରକୁ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ଆଳତି ଦର୍ଶନ କରିବାକୁ ଯାଇଥାନ୍ତି ।

ଏଣୁ ଏଠାରେ ଏହି ପ୍ରସ୍ତାବିତ ମଦ ଦୋକାନ ସ୍ଥାନାନ୍ତର କରିବା ନେଇ ଗ୍ରାମବାସୀମାନେ ଜିଲା ପ୍ରଶାସନକୁ ଅବଗତ କରାଇବା ପରେ ଏକ ମିଳିତ ବୈଠକ ଜିଲାପାଳଙ୍କ ସଦ୍‌ଭାବନା ଗୃହରେ ଅତିରିକ୍ତ ଜିଲାପାଳ (ରାଜସ୍ୱ), ଅବକାରୀ ବିଭାଗ ଅଧୀକ୍ଷକ, ପୁଲିସ୍ ବିଭାଗର ମିଳିତରେ ଆହ୍ୱାନ କରାଯାଇଥିଲା । ଏହି ବୈଠକରେ ଅବକାରୀ ଅଧୀକ୍ଷକଙ୍କୁ ଘଟଣାସ୍ଥଳ ପରିଦର୍ଶନ କରି କ୍ଷେତ୍ରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ପରେ ଅବକାରୀ କମିଶନର ଆଜି ଅବକାରୀ ଅଧିକାରୀ ଦରଖାସ୍ତକାରୀଙ୍କ ସହ ଭିଡିଓ କନଫରେନ୍ସି ମାଧ୍ୟମରେ ଆଲୋଚନା କରିଥିଲେ । ମାତ୍ର ଏହି କନଫରେନ୍ସିରେ ଅବକାରୀ ଅଧିକ୍ଷକ ଅନୁପସ୍ଥିତ ଥାଇ ଜଣେ ବିଭାଗୀୟ ନିରୀକ୍ଷକ କମିଶନରଙ୍କୁ ମିଥ୍ୟା ତଦନ୍ତ ରିପୋର୍ଟ ଅବତାରଣା କରିଥିଲେ । ଯେଉଁ ୪ଟି ମନ୍ଦିର ଅଛି, ସେଠାରେ ପୂଜା ହୁଏନାହିଁ ବୋଲି ଦର୍ଶାଇ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ସେଭଳି ଛାତ୍ରଛାତ୍ରୀ ଯିବାଆସିବା କରନ୍ତି ନାହିଁ । ଏବଂ ଉକ୍ତ ମଦ ଦୋକାନ ଖୋଲାଯାଇଥିବା ସ୍ଥାନ ନିକଟସ୍ଥ କୌଣସି ଲୋକ ତାହାକୁ ବିରୋଧ କରନ୍ତି ନାହିଁ ବୋଲି କହିଥିଲେ । ଏଣୁ ଅବକାରୀ ବିଭାଗର ଅଧୀକ୍ଷକ ଓ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ସମେତ ଅତିରିକ୍ତ ଜିଲାପାଳ (ରାଜସ୍ୱ) ଆଲୋଚନାକାରୀଙ୍କ ସହ ଉପସ୍ଥିତ ଥାଇ ଆଉଥରେ କମିଶନରଙ୍କ ସହ ଭିସି କରାଇ ମଦ ଦୋକାନ ବନ୍ଦ କରିବାରେ ବିହିତ ପଦକ୍ଷେପ ନେବାପାଇଁ ଦାବି କରିଛନ୍ତି । ନଚେତ୍ ସେଠାରେ ଆଇନ୍ ଶୃଙ୍ଖଳା ଭଙ୍ଗ ଭଳି ଯେଉଁ ପରିସ୍ଥିତି ଉପୁଜିବ, ସେଥିରେ ଜିଲା ପ୍ରଶାସନ ଦାୟୀ ରହିବ ବୋଲି ବିଶିଷ୍ଟ କୃଷକ ନେତା ଚନ୍ଦ୍ରଶେଖର ନାୟକ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.