Home ଜିଲ୍ଲା ପରିକ୍ରମା ଚିଟଫଣ୍ଡ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଚିଟଫଣ୍ଡ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

6

ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ସଂଗୀତା ପାଣି ବହୁ ଚର୍ଚ୍ଚିତ ଏମସିଏଲ ଚିଟଫଣ୍ଡ କଂପାନୀର ଅଭିଯୁକ୍ତମାନଙ୍କୁ ଉପଯୁକ୍ତ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ବିବରଣୀ ଅନୁଯାୟୀ ଗତ ୨୦୧୩ ମସିହା ମଇ ମାସରେ ପୁଲିସ୍ ରାଜ୍ୟବ୍ୟାପୀ ଚଢାଉ କରି ଜମାକାରୀମାନଙ୍କୁ ଅଧିକ ସୁଧ ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ କୋଟି କୋଟି ଟଙ୍କା ହରିଲୁଟ କରିଥିବା ଚିଟଫଣ୍ଡ କଂପାନୀ ଗୁଡିକ ଉପରେ ଚଢାଉ କରିଥିଲେ । ଏବଂ ସମସ୍ତ କଂପାନୀର ଅଫିସ୍‌କୁ ଜବତ କରି ସେଥିରେ କାର୍ଯ୍ୟରତ ଅଧିକାରୀ ଓ ଏଥିସହ ସଂପୃକ୍ତ ବହୁ ବ୍ୟକ୍ତିଙ୍କୁ ରାତିଅଧିଆ ଗିରଫ କରି ଜେଲ୍ ପଠାଇଦେଇଥିଲେ । ସେତେବେଳେ ଏହି ଜିଲାର ଧାମନଗର ପୁଲିସ୍ ମଧ୍ୟ ଏକ ସାଥୀରେ ଏମ୍‌ସିଏଲ୍ ଚିଟଫଣ୍ଡ କଂପାନୀର ଶାଖା କାର୍ଯ୍ୟାଳୟ ଧାମନଗର ଓ ଭଦ୍ରକ ଚରମ୍ପାର ମୁଖ୍ୟ ଅଫିସ୍ ଉପରେ ଚଢାଉ କରିଥିଲା । ଜମାକାରୀମାନଙ୍କ ପକ୍ଷରୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଟଙ୍କା ଆଦାୟ ଅଭିଯୋଗରେ ଏମସିଏଲ୍ କଂପାନୀର ନିର୍ଦ୍ଦେଶକ ଜଳେଶ୍ୱରର ସମସାଦ ଅଲ୍ଲୀ, ତାଙ୍କ ଭାଇ ନୌସାଦ ଅଲ୍ଲୀ, ରାଜ୍ୟ ମୁଖ୍ୟ ପ୍ରଭାତ ପାଢୀ, ଶାଖା ପରିଚାଳକ ସୁବ୍ରତ କୁଣ୍ଡୁ ଜମାକାରୀଙ୍କୁ ପ୍ରୋତ୍ସାହନ କରୁଥିବା ଏଜେଣ୍ଟ ଜଇନୁଲ ଆବେଦିନ, ମହମ୍ମଦ ହାଇଦର ଅଲ୍ଲୀ ପ୍ରମୁଖଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏ ସଂପର୍କରେ ଧାମନଗର ଥାନାରେ କେଶ୍ ନଂ ୧୧୨/୧୩ ଭାରତୀୟ ପିଙ୍ଗଳ କୋର୍ଡର ଦଫା ୪୬୮, ୪୨୦, ୧୨୦(ଖ) ଓ ଚିଟଫଣ୍ଡ ଆଇନ୍‌ର ଧାରା ୪, ୫ ଓ ୬ ରେ ମାମଲା ରୁଜୁ କରିଥିଲା । ମାତ୍ର ବୋର୍ଡର ଅନ୍ୟତମ ନିର୍ଦ୍ଦେଶକ ସାଇରଂଜନ ପଟ୍ଟନାୟକ ଅଦ୍ୟାବଧି ପଳାତକ ଘୋଷିତ ହୋଇ ରହିଛନ୍ତି । ଏହି ମାମଲାଟି ସମୟକ୍ରମେ ଭଦ୍ରକ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତଙ୍କୁ ବିଚାର ପାଇଁ ଜିଆର କେଶ୍ ନଂ ୯୫୧/୧୩ ରେ ସ୍ଥାନାନ୍ତରିତ ହୋଇଥିଲା । ସରକାରଙ୍କ ପକ୍ଷରୁ ୨୭ ଜଣ ସାକ୍ଷୀମାନଙ୍କୁ ବୟାନ ପାଇଁ ଉପସ୍ଥିତ କରାଯିବା ସହ ୧୧ ବର୍ଷ ଧରି ମାମଲାର ବିଚାର ଚାଲିବା ପରେ ମାନ୍ୟବର କୋର୍ଟ ଆଜି ଅଭିଯୁକ୍ତମାନଙ୍କୁ ପ୍ରମାଣ ଅଭାବରୁ ଖଲାସ କରିଛନ୍ତି । ଅଭିଯୁକ୍ତମାନଙ୍କ ପକ୍ଷରୁ ଭଦ୍ରକର ବରିଷ୍ଠ ଓକିଲ ଦିବ୍ୟସିଂହ ନାୟକ, ଗଦାଧର ବଳ, ଶକ୍ତିକାନ୍ତ ପାଢୀ ମାମଲା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.