Home Top News ପ୍ରବାସୀ ଭୋଟ୍ ଉପରେ ପ୍ରାର୍ଥୀଙ୍କ ନଜର, ଘରକୁ ଫେରିବାକୁ ଫୋନ୍‌-ପେ’ ରେ ଯାଉଛି ଟଙ୍କା

ପ୍ରବାସୀ ଭୋଟ୍ ଉପରେ ପ୍ରାର୍ଥୀଙ୍କ ନଜର, ଘରକୁ ଫେରିବାକୁ ଫୋନ୍‌-ପେ’ ରେ ଯାଉଛି ଟଙ୍କା

55

ଭଦ୍ରକ, ୧୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ବାହାର ରାଜ୍ୟରେ ଥିବା ପ୍ରବାସୀ ଓଡ଼ିଆଙ୍କ ଭୋଟ୍ ଉପରେ ଏବେ ସବୁ ରାଜନୈତିକ ଦଳ ପ୍ରାର୍ଥୀଙ୍କ ନଜର। ଏହି ଭୋଟ୍ ହାତେଇବାକୁ ସମସ୍ତ ପ୍ରାର୍ଥୀ ଏବେ କସରତ ଆରମ୍ଭ କରି ଦେଇଛନ୍ତି। ଜିଲା ପ୍ରଶାସନର ସୂଚନା ଅନୁଯାୟୀ, କରୋନା କାଳରେ ଭଦ୍ରକ ଜିଲାକୁ ୭୦ ହଜାରରୁ ଉର୍ଦ୍ଧ୍ୱ ପ୍ରବାସୀ ଶ୍ରମିକ ଫେରି ଆସିଥିଲେ। କୋଭିଡ୍ ପ୍ରକୋପ କମିବା ପରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଜ କର୍ମସ୍ଥଳୀକୁ ଫେରି ଯାଇଛନ୍ତି। ବେସରକାରୀ ଭାବରେ ଏହି ସଂଖ୍ୟା ଏକ ଲକ୍ଷରୁ ଅଧିକ। ସେମାନେ ଚଳିତ ନିର୍ବାଚନରେ ଭୋଟ୍ ଦାନରୁ ବଂଚିତ ହେବେ। ବହୁ ଦୂରରେ ରହିଥିବାରୁ ଖର୍ଚ୍ଚାନ୍ତ ହୋଇ କେବଳ ଭୋଟ୍ ଖଣ୍ଡେ ଦେବାକୁ ନିଜ ଘରକୁ ଫେରିବାକୁ ମନ ବଳାଉନାହାଁନ୍ତି ପ୍ରବାସୀମାନେ। ତେଣୁ ପ୍ରାର୍ଥୀମାନେ ଏବେ ସେମାନଙ୍କ ଯିବାଆସିବା ଗାଡି ଭଡା ଦେବାକୁ ପ୍ରସ୍ତୁତ। ଫୋନ୍ ପେ ବା ଗୁଗୁଲ୍ ପେ ମାଧ୍ୟମରେ ସେମାନଙ୍କ ନିକଟକୁ ଟଙ୍କା ପଠାଯାଉଥିବା ସୂଚନା ମିଳିଛି। ତଥ୍ୟ ଅନୁଯାୟୀ ଭଦ୍ରକ ଜିଲାକୁ ୭୦ ହଜାରରୁ ଉର୍ଦ୍ଧ୍ୱ ପ୍ରବାସୀ କରୋନା ବେଳେ ଘରକୁ ଫେରି କ୍ୱାରେଣ୍ଟାଇନ୍‌ରେ ରହିଥିଲେ।

କିନ୍ତୁ ଲୁଚାଛପାରେ ବହୁ ଅଧିକ ସଂଖ୍ୟକ ପ୍ରବାସୀ ମଧ୍ୟ ଫେରିଥିଲେ। ଏମାନଙ୍କ ମଧ୍ୟରେ ଭଦ୍ରକ ବ୍ଲକ୍‌ର ପ୍ରାୟ ୧୩ ହଜାରରୁ ଅଧିକ ପ୍ରବାସୀ ନିଜ ନିଜ ଗ୍ରାମକୁ ଫେରିଥିଲେ। କିନ୍ତୁ ସରକାର ସେମାନଙ୍କ ପାଇଁ ସେପରି କର୍ମ ସଂସ୍ଥାନ ଯୋଗାଡ କରିପାରିନଥିଲେ। ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କର୍ମ ଦିବସ ସୃଷ୍ଟି କରାଯାଇଥିଲେ ମଧ୍ୟ ତାହା ଯଥେଷ୍ଟ ନଥିଲା ଓ ଏହାର ସଫଳ ରୂପାୟନ ହୋଇପାରିନଥିଲା। ଗ୍ରାମାଞ୍ଚଳରେ କିଛି ନେତା ମିଥ୍ୟା ମଷ୍ଟର ରୋଲ୍ ପ୍ରସ୍ତୁତ କରି ସରକାରଙ୍କ ସମସ୍ତ କର୍ମ ଦିବସକୁ ହାଇଜାକ୍ କରି ନିଜେ ମାଲାମାଲ ହୋଇଥିଲେ। ପ୍ରାୟ ପ୍ରତ୍ୟେକ ସ୍ଥାନରେ ଜେସିବି ଓ ପ୍ରୋକଲିନ୍ ମେସିନ୍ ଲଗାଇ କାମ କରାଯାଇଥିଲା। କେତେକ ଜବକାର୍ଡଧାରୀଙ୍କ କାର୍ଡକୁ ଏହି ଦଲାଲମାନେ ବ୍ୟବହାର କରି ବିପୁଳ ଆୟର ଅଧିକାରୀ ହୋଇଥିଲେ। ତେଣୁ ପ୍ରବାସୀଙ୍କୁ ଏଠାରେ କାମ ମିଳିନଥିଲା। ପରିବାର ପ୍ରତିପୋଷଣ ପାଇଁ ସେମାନେ ପୁଣି ବାହାର ରାଜ୍ୟକୁ ଯିବା ଆରମ୍ଭ କରିଥିଲେ। ଅଳ୍ପ ସଂଖ୍ୟକ ପ୍ରବାସୀ ଆଉ ବାହାର ରାଜ୍ୟକୁ ନଯାଇ ଏବେ ବି ନିଜ ଗ୍ରାମରେ ରହିଛନ୍ତି। କିନ୍ତୁ ଯେଉଁ ବିପୁଳ ସଂଖ୍ୟକ ପ୍ରବାସୀ କୋଲକାତା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଦିଲ୍ଲୀ, ହାଇଦ୍ରାବାଦ, ଚେନ୍ନାଇ କର୍ମ ସଂସ୍ଥାନ ଅନ୍ୱେଷଣରେ ପଳାଇ ଯାଇଛନ୍ତି। ସେମାନଙ୍କୁ ଏବେ ଟାର୍ଗେଟ୍ କରିଛନ୍ତି ପ୍ରାର୍ଥୀମାନେ। ପଞ୍ଚାୟତ ନିର୍ବାଚନ ମଧ୍ୟରେ ଏବେ ବ୍ୟୟବହୁଳ ହୋଇପଡିଛି। ପ୍ରାର୍ଥୀମାନେ ସମସ୍ତ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କାରଣ ସରପଞ୍ଚ ଓ ୱାର୍ଡମେମ୍ବର ନିର୍ବାଚନରେ ଗୋଟିଏ ଭୋଟ୍ କେତେ ମୂଲ୍ୟବାନ ପ୍ରାର୍ଥୀମାନେ ନିଜ ଅତୀତ ଅଭିଜ୍ଞତାରୁ ଜାଣିଛନ୍ତି। ତେଣୁ ପ୍ରବାସୀଙ୍କ ଭୋଟ୍ ହାତେଇବାକୁ ସେମାନେ କିଛି ଖର୍ଚ୍ଚ ଏ ଦିଗରେ କରିବାକୁ ପଛାଉନାହାଁନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.