Home ଜିଲ୍ଲା ପରିକ୍ରମା ପ୍ରଥମ ପର୍ଯ୍ୟାୟରେ ୩ଟି ଟୀକା କେନ୍ଦ୍ରରେ ଟୀକା ନେବେ ୮୫୬୬ ଜଣ

ପ୍ରଥମ ପର୍ଯ୍ୟାୟରେ ୩ଟି ଟୀକା କେନ୍ଦ୍ରରେ ଟୀକା ନେବେ ୮୫୬୬ ଜଣ

34

ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ଟୀକାକରଣ ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି । ବାସୁଦେବପୁର ସିଏଚ୍‌ସିରେ ଏହାର ଶୁଭାରମ୍ଭ ହେବାକୁ ଥିବା ବେଳେ ଜିଲ୍ଲା ଅନ୍ୟ ଟୀକାକରଣ କେନ୍ଦ୍ର ଭାବେ ଭଦ୍ରକ ପୌରପାଳିକାର କୁଆଁସ ପିପିସି ଓ ବରପଦା ସିଏଚ୍‌ସି ଠାରେ ଟୀକାକରଣ କରାଯିବ । ପ୍ରତି ଟୀକା କେନ୍ଦ୍ର ପ୍ରତିଦିନ ୧୦୦ଜଣଙ୍କୁ ଟୀକା ପ୍ରଦାନ କରାଯିବ । ଏ ନେଇ ଆଜି ଜିଲ୍ଲାପାଳ ଡ. ଜ୍ଞାନ ଦାସ ସଦ୍‌ଭାବନା ସଭାଗୃହରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ପ୍ରକାଶ କରିଛନ୍ତି । ଡ. ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆହୁରି ସୂଚନା ଦିଆଯାଇଥିଲା କି ଜିଲ୍ଲାର ମୋଟ ୮୫୬୬ଜଣ ଟୀକା ନେବାକୁ ନାମ ପଞ୍ଜିକରଣ କରାଯାଇଛି । ସେମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟକର୍ମୀ ୪ହଜାର ୪୮ଜଣ ଥିବା ବେଳେ ଅଙ୍ଗନୱାଡି ଏବଂ ଜିଲ୍ଲା ସମନ୍ୱିତ ଶିଶୁ ବିକାଶ ବିଭାଗ ଅଧିନ କର୍ମଚାରୀ ୪ହଜାର ୫୧୮ଜଣ ଟୀକା ନେବେ । ପଞ୍ଜିକୃତ ହିତାଧିକାରୀ ଭାବେ ଭଦ୍ରକ ପୌରପାଳିକାରୁ ୧୨୩୦ଜଣ, ବରପଦା ସିଏଚ୍‌ସି ଅଧିନରେ ୭୯୭ଜଣ, ବାସୁଦେବପୁରରୁ ୧୩୧୯, ବନ୍ତରୁ ୮୮୨, ଭଣ୍ଡାରିପୋଖରୀରୁ ୯୭୫, ଚାନ୍ଦବାଲିରୁ ୧୨୩୦, ଧାମନଗରରୁ ୧୦୩୫, ତିହିଡିରୁ ୧୦୯୮ଜଣ ଟୀକା ଗ୍ରହଣ କରିବେ । ତେବେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାକୁ ୫ହଜାର ୫୫୦ ଟୀକା ଆସିଥିବା ବେଳେ ବାକି ୩ହଜାର ୧୬ଟି ଭ୍ୟାକ୍‌ସିନ (ସିଙ୍ଗ୍‌ଲ ଡୋଜ) ଆସିବାକୁ ବାକି ରହିଛି । ମୋଟ ୪୮ଟି ଟିମ୍‌ରେ ୨୪୦ଜଣ ଏହି ଟୀକାଦାନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଜିଲ୍ଲାର ମୋଟ ୩୬ଟି କେନ୍ଦ୍ରରେ ଟୀକା ସବୁକୁ ରଖା ଯାଇଛି । ପଞ୍ଜିକୃତ ହିତାଧିକାରୀଙ୍କୁ ଟୀକା ଦିଆଯିବା ପରେ ସେମାନଙ୍କୁ ୩୦ ମିନିଟ ପର୍ଯ୍ୟବେକ୍ଷଣରେ ରଖାଯିବ । ଯଦି କୌଣସି ପ୍ରକାର ପାଶ୍ୱର୍ପ୍ରତିକ୍ରିୟା ପ୍ରକାଶ ପାଏ ତେବେ ତାଙ୍କୁ ଚିକିତ୍ସା ନିମନ୍ତେ ତୁରନ୍ତ ବନ୍ଦୋବସ୍ତ ରଖାଯାଇଛି । ଚିକିତ୍ସା ପାଇଁ ଡାକ୍ତର ଓ ଆମ୍ବୁଲାନ୍‌ସକୁ ସଜାଗ ରଖାଯାଇଛି ବୋଲି ଜିଲ୍ଲାପାଳ ଡ. ଦାସ କହିଥିଲେ । ସମ୍ମିଳନୀରେ ଉପସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ ପାତ୍ର ସୂଚନା ଦେଇ କହିଥିଲେ କି ଜିଲ୍ଲାକୁ ଆସିଥିବା ଟୀକାର ନାମ କୋଭିଶିଲ୍‌ଡ ଏବଂ ଏହା ଆସନ୍ତା ଏପ୍ରିଲ ୨୯ ତାରିଖ ପର୍ଯ୍ୟନ୍ତ ବୈଧ ରହିଛି । ଟୀକା ପ୍ରତି ହିତାଧିକାରୀଙ୍କୁ ଦୁଇଥରରେ ଗୋଟିଏ ଭାଏଲକୁ ପ୍ରଦାନ କରାଯିବ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶିବାଷିଶ ମହାରଣା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରା ମଞ୍ଚାସିନ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.