Home ଜିଲ୍ଲା ପରିକ୍ରମା ପ୍ରଥମାଷ୍ଟମୀରେ ଦେଖିବାକୁ ମିଳିଲାନି ଏଣ୍ଡୁରୀ ପିଠା

ପ୍ରଥମାଷ୍ଟମୀରେ ଦେଖିବାକୁ ମିଳିଲାନି ଏଣ୍ଡୁରୀ ପିଠା

106

ଭଦ୍ରକ,୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାର ମାସରେ ତେର ପର୍ବ ପାଳନ କରି ଓଡ଼ିଆମାନେ ଉତ୍କଳ ସଂସ୍କୃତି ଓ ପରମ୍ପରାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ତନ୍ମଧ୍ୟରୁ ପ୍ରଥମାଷ୍ଟମୀ ଅନ୍ୟତମ । ମାର୍ଗଶିର ମାସକୁ ଏ୍ୟୌତିହାସିକ ବର୍ଷର ପ୍ରଥମ ବର୍ଷ ଭାବେ ଗ୍ରହଣ କରାଯାଉଥିବାରୁ ବାର ମାସର ପ୍ରଥମ ପର୍ବ ପ୍ରଥମାଷ୍ଟମୀ ବୋଲି କୁହାଯାଇଥାଏ । ଏହି ଦିନ ପରିବାରର ଜ୍ୟେଷ୍ଠ ସନ୍ତାନକୁ ପରିବାର ପ୍ରତିପୋଷଣ ପରି ଗୁରୁ ଦାୟିତ୍ୱ ସଂପର୍କରେ ସୂଚନା ଦିଆଯାଇଥାଏ । ସାଧାରଣତଃ ମାମୁଁ ଘର ଜ୍ୟେଷ୍ଠ ଭଣଜା ଓ ଭାଣିଜିମାନଙ୍କୁ ଏହି ଦିନରେ ପଢୁଆଁ କରିଥାନ୍ତି । ତେଣୁ ମାମୁଁ ମାନଙ୍କୁ ଅଷ୍ଟମୀ ବନ୍ଧୁ ବୋଲି ମଧ୍ୟ କୁହାଯାଇଥାଏ । ଅନ୍ୟ ପର୍ବପର୍ବାଣୀରେ ଯେପରିକି ରଜରେ ପୋଡ଼ପିଠା, ବଡ଼ଓଷାରେ ପିଠା, ମହାବିଷୁବ ସଂକ୍ରାନ୍ତିରେ ଛେନା ପଣା, ଧନୁ ସଂକ୍ରାନ୍ତିରେ ଧନୁମୁଆଁ ପ୍ରସ୍ତୁତ କରାଯାଇଥାଏ । ଠିକ୍ ସେହିପରି ପ୍ରଥମାଷ୍ଟମୀରେ ଏଣ୍ଡୁରୀପିଠା ପ୍ରସ୍ତୁତ କରାଯାଇଥାଏ । ଏହାର ସ୍ୱତନ୍ତ୍ରତା ହେଉଛି ଏଥିରେ ହଳଦୀପତ୍ର ବ୍ୟବହାର କରାଯାଇଥାଏ । କିନ୍ତୁ ଆଜିର ଏହି ଆଧୁନିକ ଦୁନିଆଁରେ ଆଧୁନିକତ୍ୱର ପରିଭାଷାରେ ହଜିଯାଉଛି ବହୁ ପରମ୍ପରା ସେଥି ମଧ୍ୟରେ ହଳଦୀପତ୍ରରେ ପ୍ରସ୍ତୁତ ଏଣ୍ଡୁରୀପିଠା ଆଉ ଦେଖିବାକୁ ମିଳୁ ନାହିଁ । ମାର୍ଗଶିର ମାସରେ ପ୍ରଥମାଷ୍ଟମୀ ପଡ଼ୁଥିବାରୁ ହଳଦୀପତ୍ରରେ ପ୍ରସ୍ତୁତ ଏହି ପିଠା ସ୍ୱାସ୍ଥ୍ୟ ପ୍ରତି ଉପାଦେୟ ହୋଇଥାଏ । ଏହି ଦିନ ଗାଁଗଣ୍ଡାରେ ଘରେ ଘରେ ହଳଦୀପତ୍ର ଉପରେ ଉଆପଖିଆ ଚାଉଳ, ବିରିରେ ପ୍ରସ୍ତୁତ ପିଠୋଉକୁ ନଡ଼ିଆପୁର, ଛେନାପୁର, ଖସାପୁର ଦିଆଯାଇ ଗୋଟିଏ ହାଣ୍ଡିର ମୁହଁରେ କନା ବାନ୍ଧି ତାକୁ ଚୁଲି ଉପରେ ରଖାଯାଇ ଯେଉଁ ପିଠା ପ୍ରସ୍ତୁତ କରାଯାଇଥାଏ ତାକୁ ଏଣ୍ଡୁରୀ ପିଠା କୁହାଯାଇଥାଏ । ଏବଂ ତାକୁ ଅଥାର କୁହାଯାଇଥାଏ । ହଳଦୀ ପତ୍ର ଦ୍ୱାରା ସିଝା ଯାଇ ଏହି ପିଠା ପ୍ରସ୍ତୁତ ହୋଇଥିବାରୁ ଏହା ସ୍ୱାସ୍ଥ୍ୟ ପ୍ରତି ହିତକାରକ ହୋଇଥାଏ । କିନ୍ତୁ ସମୟ ଚକ୍ରରେ ଆଧୁନିକତ୍ୱର ପରିଭାଷାରେ ଓ କର୍ମମୟ ଜୀବନ ମଧ୍ୟରେ ବୁଡ଼ି ରହୁଥିବା ମନୁଷ୍ୟ କ୍ରମେ ହଜାଇ ଦେଉଛି ଏଣ୍ଡୁରୀ ପିଠାକୁ ଓ ଆପଣେଇ ଚାଲିଛି ଓଭାନ୍ ଓ ଉଡ଼ଲି ଛାଞ୍ଜରେ ପ୍ରସ୍ତୁତ ଇଡ଼ଲି ପିଠା ଓ ବିରି ପିଠାକୁ । ଏବଂ ତନ୍ମଧ୍ୟରେ ହଜାଇ ଚାଲିଛି ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.