Home ଜିଲ୍ଲା ପରିକ୍ରମା ପୌରାଞ୍ଚଳ ଆବାସ ଯୋଜନାର କଚ୍ଛପ ଗତି , କାର୍ଯ୍ୟାଦେଶ ପାଇ ଆରମ୍ଭ ହୋଇନି ୨୯୪ ଘର

ପୌରାଞ୍ଚଳ ଆବାସ ଯୋଜନାର କଚ୍ଛପ ଗତି , କାର୍ଯ୍ୟାଦେଶ ପାଇ ଆରମ୍ଭ ହୋଇନି ୨୯୪ ଘର

39

ଭଦ୍ରକ, ୧୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦାରିଦ୍ର‌୍ୟ ସୀମାରେଖା ତଳେ ବସବାସ କରୁଥିବା ପରିବାରଙ୍କ ପାଇଁ ସରକାରଙ୍କ ବ୍ୟାପକ ଯୋଜନା । ଏ ସମସ୍ତ ଯୋଜନାର ସୁଫଳ ନେବାକୁ ଲମ୍ବା ଲାଇନ୍ ଲାଗୁଛି ବିଭିନ୍ନ କାର୍ଯ୍ୟାଳୟରେ । ଏପରିକି କେତେକ ଯୋଜନାରେ ଏହାର ହିତାଧିକାରୀ ତାଲିକାରେ ସାମିଲ ହେବାକୁ ଲାଞ୍ଚ ମଧ୍ୟ ଦେବାକୁ ପଡୁଛି ବୋଲି ଅଭିଯୋଗ ହେଉଛି । ତଥାପିଏମିତି କିଛି ଯୋଜନା ରହିଛି, ଏହାର ସୁଫଳ ଉଠାଇ ପାରୁନାହାଁନ୍ତି ହିତାଧିକାରୀ । ଯୋଗ୍ୟ ବିବେଚିତ ହେବା ପରେ ମଧ୍ୟ ସେମାନେ ଏ ପ୍ରକାର ଯୋଜନାର ସୁଯୋଗ ନେଇ ପାରୁନାହାଁନ୍ତି । ଯାହାର ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ପୌରାଞ୍ଚଳରେ । ଗତ ୪ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀ ମଧ୍ୟରୁ ବହୁ ବ୍ୟକ୍ତିବିଶେଷ ଗୃହ ନିର୍ମାଣ କାମ ମଧ୍ୟ ଆରମ୍ଭ କରିପାରିନାହାଁନ୍ତି । ଭଦ୍ରକ ପୌର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ୨୦୧୬ ମସିହାରୁ ଆଜିପର୍ଯ୍ୟନ୍ତ ଏହି ୪ ବର୍ଷ ମଧ୍ୟରେ ଭଦ୍ରକ ପୌରାଞ୍ଚଳରେ ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ବ୍ୟକ୍ତିବିଶେଷଙ୍କ ପରିବାରକୁ ଆବାସ ଯୋଜନା ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଥିଲା । ଏହି ସମୟ ମଧ୍ୟରେ ଭଦ୍ରକ ପୌରାଞ୍ଚଳର ୩୦ଟି ୱାର୍ଡରୁ ୨ ହଜାର ୯୯୩ ଜଣ ବ୍ୟକ୍ତବିଶେଷ ଆବାସ ଗୃହ ପାଇବାକୁ ଆବେଦନ କରିଥିଲେ । ବିଭାଗୀୟ ଯାଞ୍ଚ ପରେ ସେମାନଙ୍କ ମଧ୍ୟରୁ ୩୭୬ ଜଣଙ୍କ ଆବେଦନପତ୍ର ନାକଚ ହୋଇଯାଇଥିଲା । ପୌର କର୍ତ୍ତୃପକ୍ଷ ୨ ହଜାର ୬୨୯ ଜଣଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ । ବିଭାଗୀୟ ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୧୬୬ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବାବେଳେ, ଦ୍ୱିତୀୟ ପର୍ଯ୍ୟାୟରେ ୬୩୬, ତୃତୀୟ ପର୍ଯ୍ୟାୟରେ ୫୦୬, ଚତୁର୍ଥ ପର୍ଯ୍ୟାୟରେ ୩୭ ଜଣ, ପଞ୍ଚମ ପର୍ଯ୍ୟାୟରେ ୩୫୯, ଷଷ୍ଠ ପର୍ଯ୍ୟାୟରେ ୩୩୪ ଓ ସପ୍ତମ ପର୍ଯ୍ୟାୟରେ ୫୫୯ ଜଣ ହିତାଧିକାରୀଙ୍କୁ ଆବାସ ଗୃହ ନିର୍ମାଣ ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । କିନ୍ତୁ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀଙ୍କ ମଧ୍ୟରୁ ୨ ଶହ ଜଣଙ୍କ ଘର ନିମଟାଲ ଲେବୁଲ ପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇଛି । ସେହିପରି ୫୩୭ ହିତାଧିକାରୀ ରୁଫ୍ ଲେବୁଲ ପର୍ଯ୍ୟନ୍ତ କାର୍ଯ୍ୟ ସାରିଥିବାବେଳେ ଏକ ହଜାର ୪ ଜଣଙ୍କ କାର୍ଯ୍ୟ ସରିବା ଅବସ୍ଥାରେ ରହିଛି । ଅନୁରୂପ ୧ ହଜାର ୩୧୯ ଜଣ ହିତାଧିକାରୀ ସେମାନଙ୍କ ଘର କାର୍ଯ୍ୟ ସଂପୂର୍ଣ୍ଣ କରିସାରିଛନ୍ତି । ଅଦ୍ୟାବଧି ୨୯୪ ଜଣ ହିତାଧିକାରୀ ସେମାନଙ୍କ ଗୃହ କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ କରିନାହାଁନ୍ତି । ସୂଚନାଯୋଗ୍ୟ, ଆବାସ ଯୋଜନାରେ ଲେ-ଆଉଟ୍ ଠାରୁ ଆରମ୍ଭ କରି ବିଭିନ୍ନ ପର୍ଯ୍ୟାୟରେ କାର୍ଯ୍ୟକୁ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଜିଓ ଟ୍ୟାଗିଂ କରିବା ପରେ ସେମାନଙ୍କ ବ୍ୟାଙ୍କ ଖାତାକୁ ବିଭାଗୀୟ ଅନୁଦାନ ରାଶି ପଠାଇ ଦିଆଯାଇଥାଏ । କିନ୍ତୁ ସରକାରଙ୍କ ଏତେ ପ୍ରକାର ସୁବିଧା ସତ୍ୱେ ଆବାସ ଯୋଜନାରେ ଗୃହ ପାଇଥିବା ହିତାଧିକାରୀ ଏହାର ସତ ବ୍ୟବହାର କରି ପାରୁନାହାଁନ୍ତି । ଏକ୍ଷେତ୍ରରେ ହିତାଧିକାରୀଙ୍କ ଶତ ପ୍ରତିଶତ ଭୁଲ୍ ରହୁଥିବାବେଳେ ଟାର୍ଗେଟ୍ କାହିଁକି ହାସଲ ହୋଇପାରୁନାହିଁ ନ୍ୟାୟରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସମାଲୋଚିତ ହେବାକୁ ପଡୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.