Home ଜିଲ୍ଲା ପରିକ୍ରମା ପୌରପାଳିକା ବୋଟିଂ କ୍ଲବ୍ ଏବେ ଦଳଗଡିଆ, ୭ ଲକ୍ଷ ଟଙ୍କାର କାମ ୭ ମାସ ଗଲାନି

ପୌରପାଳିକା ବୋଟିଂ କ୍ଲବ୍ ଏବେ ଦଳଗଡିଆ, ୭ ଲକ୍ଷ ଟଙ୍କାର କାମ ୭ ମାସ ଗଲାନି

44

ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ଅନୁଦାନର ସଠିକ୍ ବିନିଯୋଗ ନହେଲେ ତାହା କୌଣସି ଜନହିତକର କାର୍ଯ୍ୟରେ ଲାଗିବ ନାହିଁ । କିନ୍ତୁ ଏବେ ଉକ୍ତ ଅନୁଦାନକୁ ବିଭାଗୀୟ କର୍ତ୍ତୃପକ୍ଷ ଯେକୌଣସି ବାଟରେ ଖର୍ଚ୍ଚ କରି ବିଲ୍ ଉଠାଇନେବା ଘଟଣା ହାଟରେ ପଡି ଦାଣ୍ଡରେ ଗଡୁଛି । ଏହିଭଳି ଏକ ଘଟଣା ଭଦ୍ରକ ପୌରପାଳିକାରେ ଦେଖିବାକୁ ମିଳିଛି । କରୋନା କାଳରେ ପୌରାଞ୍ଚଳ ପାଇଁ (ଉଇ) ଯୋଜନାରେ ଆସିଥିବା ବିପୁଳ ପରିମାଣର ଅର୍ଥରାଶିର ବାସ୍ତବ ବିନିଯୋଗ ହୋଇନାହିଁ । ସ୍ଥାନୀୟ ରାଜନୈତିକ ନେତାଙ୍କ ସଲାସୁତୁରାରେ ପୌର କର୍ତ୍ତୃପକ୍ଷଙ୍କ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଆସିଥିବା ଅର୍ଥରାଶିର ସଦ୍‌ବିନିଯୋଗ ନକରି ହରିଲୁଟ କରିଛନ୍ତି । ଯାହାର ଜଳ୍ୱନ୍ତ ଉଦାହରଣ ଦେଖିବାକୁ ମିଳିଛି ଚରମ୍ପା ୨ନଂ ୱାର୍ଡ ରହଣିଆ ଠାରେ ଥିବା ଅମୃତ ପାର୍କର ବୋଟିଂ କ୍ଲବ୍ କ୍ଷେତ୍ରରେ । ପ୍ରାପ୍ତ ତଥ୍ୟ ଅନୁଯାୟୀ ପୌରପାଳିକାର ଏହି ୱାର୍ଡରେ ଅମୃତ ଯୋଜନାରେ ଏକ ପାର୍କ ନିର୍ମିତ ହୋଇଥିଲା । ପ୍ରାୟ ୭୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ପାର୍କ ନିକଟରେ ଏକ ବିଶାଳ ଜଳାଶୟକୁ ପୌର କର୍ତ୍ତୃପକ୍ଷ ସେ ସମୟରେ ବୋଟିଂ କ୍ଲବ୍‌ର ରୂପ ଦେଇôଥଲେ । ଭଦ୍ରକ ଜିଲାରେ ଏହା ଥିଲା ଏକମାତ୍ର ବୋଟିଂ କ୍ଲବ୍ । କିନ୍ତୁ ଗତବର୍ଷ କରୋନାର ପ୍ରଥମ ଲହରୀ ସମୟରେ କେନ୍ଦ୍ର ସରକାର ଲକଡାଉନ କଟକଣା ଜାଣି କରିବା ପରେ ଏହି ପାର୍କ ଓ ବୋଟିଂ କ୍ଲବ୍ ପରିତ୍ୟକ୍ତ ଅବସ୍ଥାକୁ ଆସିଯାଇଥିଲା । କାରଣ ସର୍ବସାଧାରଣଙ୍କ ଚଳପ୍ରଚଳ ଉପରେ ରୋକ୍ ଲାଗିଥିବାରୁ ପାର୍କ ନିକଟରେ ଥିବା ଏହି କ୍ଲବ୍ ବିଲାତି ଦଳରେ ଭର୍ତ୍ତି ହୋଇଯାଇଥିଲା । ଏହି ପାର୍କର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ପୌର କର୍ତ୍ତୃପକ୍ଷ ବିଶେଷକରି ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଏ ଦିଗରେ ଉଦାସୀନତା ରହିଥିଲେ । ସହରାଞ୍ଚଳରେ କର୍ମନିଯୁକ୍ତି ସୃଷ୍ଟି ପାଇଁ ସରକାର ଉଇ ଯୋଜନାରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଘୋଷଣା କରିବା ସହ ଏଥିପାଇଁ ଆର୍ଥିକ ଅନୁଦାନ ଯୋଗାଇ ଦେଇଥିଲେ ।

ଏହି କ୍ରମରେ ଭଦ୍ରକ ପୌରପାଳିକାକୁ ଏକ କୋଟିରୁ ଅଧିକ ଅନୁଦାନ ଆସିଥିଲା । ରହଣିଆ ବୋଟିଂ କ୍ଲବ୍‌ର ପୁନରୁଦ୍ଧାର ପାଇଁ ପାଖାପାଖି ୭ ଲକ୍ଷ ଟଙ୍କାର ଅର୍ଥ ମଂଜୁର ହୋଇଥିଲା । ବଜରଙ୍ଗ ବାଲୀ ନାମକ ଏକ ସ୍ୱୟଂ ସହାୟକ ଗୋଷ୍ଠୀକୁ ଏହି ପୁଷ୍କରଣିର ପୁନରୁଦ୍ଧାର କାର୍ଯ୍ୟ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା । ୪୬୫ ଜଣ ପୁରୁଷ ଓ ସମ ସଂଖ୍ୟକ ମହିଳାଙ୍କୁ ମିଶାଇ ମୋଟ ୯୩୦ ଜଣଙ୍କ ପାଇଁ କର୍ମ ନିଯୁକ୍ତିର ଉଦ୍ୟମ ସୃଷ୍ଟି କରାଯାଇଥିଲା । କିନ୍ତୁ କାର୍ଯ୍ୟ ସଂପନ୍ନ ହେବାର ୬ ମାସ ମଧ୍ୟରେ ପାର୍କ ସନ୍ନିକଟ ଏହି ବୋଟିଂ କ୍ଲବ୍ ପାଇଁ ଉଦ୍ଦିଷ୍ଟ ପୁଷ୍କରଣି ପୁଣି ଦଳଗଡିଆରେ ପରିଣତ ହୋଇସାରିଛି । ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସଠିକ୍ ଭାବେ ଏହି ଲକ୍ଷାଧିକ ଟଙ୍କାର କାର୍ଯ୍ୟକୁ ତଦାରଖ କରିନଥିବା ଓ ଆସିଥିବା ଅନୁଦାନ ଠିକ୍ ଭାବରେ ବିନିଯୋଗ ହୋଇନଥିବା କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଇତିମଧ୍ୟରେ ପୁଣି ୬ ମାସ ବିତିଯାଇଛି । ଏହି ଅବଧି ମଧ୍ୟରେ ବୋଟିଂ କ୍ଲବ୍‌ର ପୁଷ୍କରିଣୀ ପୁଣି ଦଳଗଡିଆରେ ପରିଣତ ହୋଇଛି । ଯେପରିକି ଏହି ସ୍ଥାନରେ ଥିବା ବୋଟ୍ ଗୁଡିକୁ ଉଠାଇ ଆଣି କର୍ତ୍ତୃପକ୍ଷ ପାର୍କ ମଧ୍ୟରେ ପକାଇ ଦେଇଛନ୍ତି । ତେଣୁ ଉକ୍ତ ପୁଷ୍କରିଣୀର ପୁନରୁଦ୍ଧାର ପାଇଁ ଉଇ ଯୋଜନାରେ ଆସିଥିବା ବିପୁଳ ଅର୍ଥକୁ ଯେଭଳି ଭାବେ ପୌର କର୍ତ୍ତୃପକ୍ଷ ବିନିଯୋଗ କଲେ, ତାହାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ସ୍ଥାନୀୟ ବାସିନ୍ଦା । ଏଠାରେ ସୂଚନାଯୋଗ୍ୟ ୪ ବର୍ଷ ପୂର୍ବେ ପୌରପାଳିକାର ଚରମ୍ପାର ଏହି ୱାର୍ଡରେ ଲୋକାର୍ପିତ ହୋଇଥିବା ଅମୃତ ସହର ଭଦ୍ରକର ଏହା ପ୍ରଥମ ଅମୃତ ପାର୍କ । କେବଳ ପାର୍କ ନୁହେଁ ଏକ ବୋଟିଂ କ୍ଲବ୍‌ର ସ୍ୱପ୍ନ ଦେଖିଥିବା ତତ୍‌କାଳୀନ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ଓ ପୌରାଧ୍ୟକ୍ଷ ମାନସ ମହାନ୍ତିଙ୍କ ଆଶା ମଧ୍ୟ ବାସ୍ତବ ରୂପ ନେଇଥିଲା । ତତ୍‌କାଳୀନ ବିଧାୟକ ଶ୍ରୀ ପଟ୍ଟନାୟକ ଏହି ପାର୍କକୁ ଜିଲାପାଳଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ, ପାରିଷଦଙ୍କ ଉପସ୍ଥିତିରେ ସହରବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଥିଲେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଏହି ପାର୍କ ଓ ବୋଟିଂ କ୍ଲବ୍ ପାଇଁ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଥିଲା । କିନ୍ତୁ ଇତିମଧ୍ୟରେ ଏହି ପାର୍କ ଏବେ ପୁଣି ତାର ପୂର୍ବ ସ୍ଥିତି ପରିତ୍ୟକ୍ତ ଅବସ୍ଥାକୁ ଆସିଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.