Home ଜିଲ୍ଲା ପରିକ୍ରମା ପୌରପାଳିକା ବିବାଦ ଥମୁନି, ଜିଲା ପ୍ରଶାସନର ନୀରବଦ୍ରଷ୍ଟାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା

ପୌରପାଳିକା ବିବାଦ ଥମୁନି, ଜିଲା ପ୍ରଶାସନର ନୀରବଦ୍ରଷ୍ଟାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା

27

ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌର ପ୍ରଶାସନର ବିକଳ ଚିତ୍ର ଜିଲାର ପ୍ରଶାସନିକ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି। ପୌର ପରିଷଦ ଗଠନ ହେବା ଦିନଠାରୁ ବିବାଦ ଲାଗି ରହିଛି। ଗତ ୧୦ ଦିନ ଧରି ଭଦ୍ରକ ପୌରପାଳିକାରେ ଏକପ୍ରକାର ଅଚଳ ଅବସ୍ଥା ସୃଷ୍ଟି ହୋଇଛି। ଆନ୍ଦୋଳନ, ଅନଶନ, ହଟ୍ଟଗୋଳ, ପୁଲିସ୍ ପଇଁତରାରେ ପୌର କାର୍ଯ୍ୟାଳୟ ଅଶାନ୍ତ ହୋଇଉଠିଛି। ମାମଲା ଥାନାରେ ପହଞ୍ôଚଛି। ପୌର ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟକୁ ପୁଲିସ୍ ଜଗି ବସିଛି। ନିର୍ବାହୀ ଅଧିକାରୀଙ୍କ ଅଫିସ୍ ସମ୍ମୁଖରେ କେତେକ କାଉନ୍‌ସିଲର ୫ଦିନ ଧରି ଅନଶନରେ ବସିଛନ୍ତି। ପୌର ନିର୍ବାହୀ ଅଧିକାରୀ ଅଫିସ୍ ଯାଇପାରୁନାହାଁନ୍ତି। ଅଫିସ୍‌ରେ ତାଲା ପଡିଛି। ଅନୁସନ୍ଧାନରୁ ଜଣାଯାଇଛି ନିର୍ବାହୀ ଅଧିକାରୀ ପୌରପାଳିକାର ବିଭିନ୍ନ ବିଭାଗୀୟ ଦପ୍ତରମାନଙ୍କୁ ଯାଇ ଫାଇଲ୍ କାମ କରୁଛନ୍ତି। ଅନ୍ୟପକ୍ଷରେ ପୌରାଧ୍ୟକ୍ଷା ମଧ୍ୟ ନିଜ କାର୍ଯ୍ୟାଳୟକୁ ଆସୁନାହାଁନ୍ତି। ଯେଉଁ ପୌର କାର୍ଯ୍ୟାଳୟଟି ବିଭିନ୍ନ କାର୍ଯ୍ୟ ପାଇଁ ଆସୁଥିବା ସାଧାରଣ ଲୋକଙ୍କ ଦିନରାତି ଭିଡ ଜମୁଥିଲା, ଏବେ ଖାଁ ଖାଁ ଲାଗୁଛି। ପୌରାଧ୍ୟକ୍ଷା ଓ ନିର୍ବାହୀ ଅଧିକାରୀଙ୍କ ମତଭେଦ କାରଣରୁ ଏଭଳି ପରିସ୍ଥିତି ଉପୁଜିଥିବାର ଜଣାଯାଇଛି। ପୌର କର୍ମଚାରୀମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଅଗ୍ରସର ହୋଇପାରୁନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୌରପାଳିକାରେ ଏଭଳି ପ୍ରଶାସନିକ ଅବ୍ୟବସ୍ଥା ମଧ୍ୟରେ ଗତି କରୁଥିଲେ ମଧ୍ୟ ଜିଲା ପ୍ରଶାସନର ମୁରବୀ ଏହାର ସମାଧାନ କରିବା ପରିବର୍ତ୍ତେ ନିରବଦ୍ରଷ୍ଟା ସାଜିବା ଘଟଣାକୁ ନେଇ ବୁଦ୍ଦିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଭଦ୍ରକ ପୌର ପରିଷଦ ଏବେ ଦୁଇଗୋଷ୍ଠୀରେ ବିଭକ୍ତ ହୋଇଛି। ଉଭୟ ଗୋଷ୍ଠୀ ଓ ପୌର କର୍ମଚାରୀମାନେ ସମସ୍ୟାର ସମାଧାନ ପାଇଁ ଜିଲାପାଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି।

ଗତ ତା ୨୬.୧୧.୨୦୨୨ ରିଖରେ ଜିଲାପାଳ ପୌର କାର୍ଯ୍ୟାଳୟକୁ ଯାଇ ସମସ୍ୟା ସଂପର୍କରେ ପୌର ନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରିଥିବାର ଜଣାଯାଇଛି। ପୌରପାଳିକା ଗଠନ ହେବାର ୮ ମାସ ପରେ ପୌର ପାରିଷଦଙ୍କ ସହମତିରେ ବିଭିନ୍ନ ୱାର୍ଡର ବିକାଶ ମୂଳକ କାର୍ଯ୍ୟ ପାଇଁ ଏବେ ୨୨ କୋଟିର ଚିଠା ଅନୁମୋଦନ ଲାଭ କରିଛି। ଟେଣ୍ଡର ପାଇଁ ପ୍ରୋସସିଂ ଚାଲିଛି। ଏଭଳି ପରିସ୍ଥିତିରେ ସହରର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କିଭଳି ହେବ ଏ ନେଇ ସହରବାସୀଙ୍କ ମଧ୍ୟରେ ସନ୍ଦେହ ଉପୁଜିଛି। ପୌର କାର୍ଯ୍ୟାଳୟରେ ଶାନ୍ତ ବାତାବରଣ ଫେରାଇ ଆଣିବାକୁ ବୁଦ୍ଧିଜୀବୀ ତଥା ସହରବାସୀଙ୍କ ପକ୍ଷରୁ ଜିଲାପାଳଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ନଚେତ୍ ଆଗାମୀ ଦିନରେ ଅଶାନ୍ତ ପରିସ୍ଥିତି ଜଟିଳ ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ। ବେଳ ଥାଉ ଥାଉ ସାବଧାନ ହେବା ଜିଲା ପ୍ରଶାସନର ଦାୟିତ୍ୱ। ପୌରପାଳିକାରେ ହିତାଧିକାରୀଙ୍କୁ ବ୍ୟାଙ୍କ ମାଧ୍ୟମରେ ଭତ୍ତା ବଣ୍ଟନ ପ୍ରକ୍ରିୟାକୁ ବିରୋଧ କରି ଗତମାସ ୨୪ ତାରିଖରେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ କେତେକ କାଉନସିଲର ଭେଟିଥିଲେ। ତେବେ ଏହା ସରକାରୀ ନିଷ୍ପତ୍ତି ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅସନ୍ତୁଷ୍ଟ କାଉନସିଲରମାନଙ୍କୁ ବୁଝାଇଥିଲେ। କିନ୍ତୁ କାଉନସିଲରମାନେ ନିଜ ଜିଦ୍‌ରେ ଅଟଳ ରହି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ବଦଳି ଦାବି କରି କେତେକ କାଉନସିଲର ଅନଶନ ଜାରି ରଖିଛନ୍ତି। ତେବେ କାଉନ୍‌ସିଲରଙ୍କ ଏହି ଧାରଣାରେ ଶାସକ ଦଳର କାଉନସିଲରମାନେ ଯୋଗ ଦେଇନାହାଁନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.