Home Top News ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ପ୍ରତିବାଦରେ ଭୁବନେଶ୍ୱରରେ ଯୁବ...

ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ପ୍ରତିବାଦରେ ଭୁବନେଶ୍ୱରରେ ଯୁବ କଂଗ୍ରେସର କୋକେଇ ଶୋଭାଯାତ୍ରା

61

ଭୁବନେଶ୍ୱର ୧୭-୭ (ଓଡ଼ିଆ ପୁଅ) : ଆଜି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସଭାପତି ଡ଼ଃ ସ୍ମୃତି ରଞ୍ଜନ ଲେଙ୍କାଙ୍କ ନେତୃତ୍‌ବରେ ଏକ କୋକେଇ ଶୋଭାଯାତ୍ରା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ଲୋୟର ପିଏମଜି ପର୍ଯ୍ୟନ୍ତ ଯାଇଥିଲା। ଯୁବ କଂଗ୍ରେସ ଏକ ଅଭିନବ ଉପାୟରେ ରାସ୍ତାରେ ଗାଡ଼ି ରଖି ପ୍ରତିବାଦ କରିଥିଲା। ବର୍ତ୍ତମାନ ସାରା ଦେଶ ଓ ରାଜ୍ୟ କରୋନା ମହାମାରୀ ସହିତ ଲଢ଼େଇ କରୁଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ ଆଳରେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି କରି ଜନସାଧାରଣଙ୍କୁ ରସାତଳଗାମୀ କରୁଛନ୍ତି। ଜୀବନ, ଜୀବିକା ସହିତ ସଂଘର୍ଷ କରୁଥିବା ରାଜ୍ୟର ଜନସାଧାରଣଙ୍କୁ ଉଭୟ ସରକାର ଠକୁଛନ୍ତି।

ଦେଶର ୨୫୦ରୁ ଅଧିକ ସହରରେ ପେଟ୍ରୋଲ ଦର ସେଞ୍ଚୁରୀ ଅତିକ୍ରମ କରି ସାରିଛି।ଆମ ରାଜ୍ୟର ରାଜଧାନୀରେ ମଧ୍ୟ ଦର ସେଞ୍ଚରୀ ପାର୍ କରିଛି। କିନ୍ତୁ ଉଭୟ ସରକାର ଚିର ନିଦ୍ରାରେ ଶୋଇଛନ୍ତି। ପୂର୍ବରୁ ଦେଶରେ ୟୁପିଏ ସରକାର ଥିବା ସମୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୨୦ ଡଲାର ଥିବା ବେଳେ ପେଟ୍ରୋଲ ଦର ୬୦ ଟଙ୍କା ଥିଲା। କିନ୍ତୁ ଏବେ ବ୍ୟାରେଲ ପିଛା ୬୦ ଡଲାରରୁ କମ୍ ଥିଲା ବେଳେ ଦର ୧୧୦ ଆଡ଼କୁ ମୁହାଁଇଲାଣି। ରାଜ୍ୟରେ ନବୀନ ସରକାର ମଧ୍ୟ ଭ୍ୟାଟ୍ ଆଳରେ ଲୋକଙ୍କୁ ଶୋଷଣ କରୁଛନ୍ତି। ପୂର୍ବରୁ କଂଗ୍ରେସ ସରକାର ସମୟରେ ରନ୍ଧନ ଗ୍ୟାସ୍ ଦର ୪୧୮ ଟଙ୍କା ଥିବା ବେଳେ ଏବେ ଏହା ୯୦୦ ଟଙ୍କା ଆଡ଼କୁ ମୁହାଁଇଲାଣି, ଯାହା ଉଭୟ ସରକାରର ପାଣିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଡ଼ଃ ଲେଙ୍କା ଅଭିଯୋଗ କରିଛନ୍ତି।

ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ସହିତ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ମଧ୍ୟ ବଢ଼ିଛି, ଯାହା ଲୋକମାନଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ ବୋଲି ଅଭିଯୋଗ କରିଛନ୍ତି ଡ଼ଃ ଲେଙ୍କା।ରାଜ୍ୟରେ ବିଜେଡି-ବିଜେପିର ଅଘୋଷିତ ମେଣ୍ଟଆଜି ପଦାରେ ପଡ଼ିଛି, ଯାହାର ଉଦାହରଣ ବିଜୁ ଜନତା ଦଳର ନେତା ଓ କର୍ମୀମାନେ ରାଜରାସ୍ତା ବଦଳରେ ଏସି ରୁମରେ ଶୋଇଛନ୍ତି। ଆଗାମୀ ଦିନରେ ଉଭୟ ସରକାର ଦର ବୃଦ୍ଧି ନିୟନ୍ତ୍ରଣରେ ବିଫଳ ହେଲେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ଜିଲ୍ଲା ଓ ବ୍ଲକ୍ ସ୍ତରରେ ଆନ୍ଦୋଳନକୁ ଆହୁରି ଜୋରଦାର କରିବ ବୋଲି ଚେତାବନୀ ଦେଇଛନ୍ତି ସଭାପତି ଡ଼ଃ ଲେଙ୍କା।

ଆଜିର ଏହି କାର୍ଯ୍ୟକ୍ରମରେ ବିଶ୍ୱରଞ୍ଜନ ଦାସ, ରଞ୍ଜିତ ପାତ୍ର, ଆର୍ଯ୍ୟବୀର ଲେଙ୍କା, ସ୍ୱାଗତ କର, ବୀରେନ୍ ଦଳାଇ, ନଳିନୀକାନ୍ତ ନାୟକ, ବିକି ଚକ୍ରବର୍ତ୍ତୀ, ଆଦିତ୍ୟ ପରିଡ଼ା, ଆଶୁତୋଷ ଲେଙ୍କା, ସୁଦିପ କର, ମନୋରଞ୍ଜନ ପଟ୍ଟନାୟକ, ରିତୁଲ ମହାରଣା, ସୋନୁ ସ୍ୱାଇଁ, ବିଭୂତି ଭୂଷଣ ଦଳସିଂରାୟ, ଜନାର୍ଦ୍ଦନ ପରିଡ଼ା, ବିଶ୍ୱଜିତ ସ୍ୱାଇଁ, ରାକେଶ ଦାସ ପ୍ରମୁଖ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.