Home ଜିଲ୍ଲା ପରିକ୍ରମା ପୂର୍ବତନ ମନ୍ତ୍ରୀ ଓ ବର୍ତ୍ତମାନର ଭଣ୍ଡାରିପୋଖରୀ ବିଧାୟକଙ୍କ ଘରେ ଇଡିର ଚଢାଉ

ପୂର୍ବତନ ମନ୍ତ୍ରୀ ଓ ବର୍ତ୍ତମାନର ଭଣ୍ଡାରିପୋଖରୀ ବିଧାୟକଙ୍କ ଘରେ ଇଡିର ଚଢାଉ

18

ଭଦ୍ରକ, ୧୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘର ଓ ଅଫିସ୍‌ରେ ଇଡି ପକ୍ଷରୁ ଚଢାଉ ହୋଇଛି । ଭଦ୍ରକ ଜିଲାର ୫ଟି ସ୍ଥାନରେ ଚଢାଉ ହେଉଥିବାର ସୂଚନା ମିଳିଛି । ତେବେ ବିଧାୟକ ଶ୍ରୀ ସାମଲଙ୍କ ଭଦ୍ରକ ନୂଆବଜାର ଏବଂ ସାବନବଜାର ବାସଭବନ, ଭଦ୍ରକ ବରପଦା ଇଂଜିନିୟରିଂ କଲେଜର ପୂର୍ବତନ ସଂପାଦକ ମନୋଜ ଗୋସ୍ୱାମୀଙ୍କ ଅପର୍ତ୍ତିବିନ୍ଧାସ୍ଥିତ ଘର, ପୂର୍ବତନ ଆକାଉଣ୍ଟାଣ୍ଟ ଭୀମଚରଣ ସାମଲଙ୍କ ହାସିନପୁର ବାସଭବନ ଏବଂ ବରପଦା ଇଂଜିନିୟରିଂ କଲେଜରେ ମଧ୍ୟ ଚଢାଉ ହେଉଥିବାର ସୂଚନା ମିଳିଛି । ତେବେ କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ସୁରକ୍ଷା ବଳୟରେ ଏହି ଚଢାଉ ହେଉଛି । ବରପଦା ଇଂଜିନିୟରିଂ କଲେଜରେ ହୋଇଥିବା ଆର୍ଥିକ କାରବାରର ବ୍ୟାପକ ଅନିୟମିତତା ସହ ୨୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଜମି କିଣାବିକା ମାମଲାରେ ଏହି ରେଡ୍ ହୋଇଥିବାର ସୂଚନା ମିଳିଛି । ସକାଳ ଠାରୁ ଏପର୍ଯ୍ୟନ୍ତ ଇଡିର ସ୍ୱତନ୍ତ୍ର ଟିମ୍ ଏହି ଚଢାଉ ଜାରି ରଖିଥିଲେ ମଧ୍ୟ ବାହାରେ ଅପେକ୍ଷାରତ ଗଣମାଧ୍ୟମ ପ୍ରତିନିଧିମାନେ ନିର୍ଦ୍ଦିଷ୍ଟ ଭାବେ କୌଣସି ତଥ୍ୟ ପାଇପାରିନାହାଁନ୍ତି । ଅପରପକ୍ଷରେ ଇଡି ଚଢାଉ ହେଉଥିବାର ଖବର ପାଇ ବିଧାୟକ ଶ୍ରୀ ସାମଲଙ୍କ ସମର୍ଥକମାନେ ଭଦ୍ରକ ଆସି ତାଙ୍କ ବାସଭବନ ଠାରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଡେରା ପକାଇଥିବାର ଜଣାପଡିଛି । ଭଦ୍ରକର ବରପଦା ଇଞ୍ଜିନିୟରିଂ କଲେଜରୁ ବର୍ତ୍ତମାନର ବିଧାୟକ ଶ୍ରୀ ସାମଲଙ୍କ ପୁତ୍ର ପ୍ରୟାସକାନ୍ତି ସାମଲ ଏବଂ ତାଙ୍କର ରାଜନୈତିକ ସହଯୋଗୀମାନଙ୍କ ଦ୍ୱାରା ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟ-୧୮୬୦ର ବିଭିନ୍ନ ଧାରାକୁ ଖୋଲାଖୋଲି ଉଲଘଂନ କରି ପ୍ରାୟ ୧୦୦ କୋଟି ଟଙ୍କାର ମୂଲ୍ୟବାନ ଜମି, କୋଠାବାଡ଼ି, ଏ.ସି.,ମୂଲ୍ୟବାନ ସୌଖିନ ଗାଡ଼ି , କମ୍ପ୍ୟୁଟର, ଜେନେରେଟର ଇତ୍ୟାଦି ବିକ୍ରି କରାଯାଇଥିବାର ଅଭିଯୋଗ ହୋଇଥିଲା ।

ଏବଂ ସେହି ଟଙ୍କା କଲେଜର ତହବିଲକୁ ନଆସିବା ଦ୍ୱାରା କର୍ମଚାରୀମାନେ ମାସ ମାସ ଧରି ବେତନ ନପାଇବା ଫଳରେ ପରବର୍ତ୍ତୀ ସମୟରେ ତାହା ଏକ ଜନ ଆନ୍ଦୋଳନର ରୂପ ନେଇଥିଲା । ୨୦୧୫ ମସିହାରେ ଓଡ଼ିଶା ସରକାର ପରିସ୍ଥିତିକୁ ହୃଦୟଙ୍ଗମ କରି ଏକ ତିନିଜଣିଆ ମଧ୍ୟବର୍ତ୍ତୀ କାଳୀନ ପରିଚାଳନା କମିଟି ଗଠନ କରି କମିଟିର ଚେୟାରମ୍ୟାନ ଭାବରେ ଭଦ୍ରକ ଜିଲ୍ଲାପାଳଙ୍କୁ ଅନୁଷ୍ଠାନର ପରିଚାଳନଭାର ନ୍ୟସ୍ତ କରିଥିଲେ । ଏଠାରେ ସୂଚନାଯୋଗ୍ୟ ୨୦୦୮ ମସିହାରୁ ୨୦୧୫ ମସିହା ମଧ୍ୟରେ ଶ୍ରୀ ସାମଲଙ୍କର ପରୋକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠାନରୁ ଲୁଟ୍ କରିଥିବା ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଭଦ୍ରକର ସମାଜସେବୀ ବିକାଶ ରଞ୍ଜନ ଜେନା କୋର୍ଟରେ କେଶ କରିଥିଲେ ମଧ୍ୟ ସରକାରୀ ରାଜନୈତିକ ଦଳର ପୃଷ୍ଠପୋଷକ ହୋଇଥିବାରୁ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଅଭିଯୁକ୍ତମାନଙ୍କ ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିଲା । ବରପଦା ଇଞ୍ଜିନିୟରିଂ କଲେଜରୁ ଦୁର୍ନୀତି ସମ୍ପର୍କିତ ପ୍ରାୟ ୪୮୬ ପୃଷ୍ଠାର କାଗଜପତ୍ର ପୋଲିସ ନିକଟରେ କଲେଜର ଅସନ୍ତୁଷ୍ଟ କର୍ମଚାରୀଙ୍କ ପକ୍ଷରୁ ଦାଖଲ କରାଯାଇଥିଲେ ମଧ୍ୟ ପୋଲିସ ତଦନ୍ତରେ କୌଣସି ଆଗ୍ରହ ପ୍ରକାଶ ଦେଖାଇନଥିଲା । ଲୁଟ୍ ହୋଇଥିବା ସଂପତ୍ତିର ପୁନରୁଦ୍ଧାର ନହୋଇପାରିବା ଫଳରେ କଲେଜର ପରିଚାଳନା ଏବଂ ଉନ୍ନତିମୂଳକ କାର୍ଯ୍ୟରେ ଘୋର ବାଧା ସୃଷ୍ଟି ହୋଇଥିଲା । ପରବର୍ତ୍ତୀ ସମୟରେ କର୍ମଚାରୀମାନେ ମାସ ମାସ ଧରି ବେତନ ନପାଇବା ଦ୍ୱାରା ଏକ ଜନ ଆନ୍ଦୋଳନର ରୂପ ନେଇଥିଲା । ଏପରିକି କଲେଜର ଦୁଇଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇ ବୋମା ମାଡ ଜନିତ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.