Home Top News ଅପରାଜିତାଙ୍କ ଟିକଟ ଦେବ ଶେଷ ପ୍ରମାଣ

ଅପରାଜିତାଙ୍କ ଟିକଟ ଦେବ ଶେଷ ପ୍ରମାଣ

55

ଘଟଣାଚକ୍ରରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରୁ ପୁଣି ବିଜେପିରୁ ରାଜ୍ୟସଭା ପ୍ରାଥି ହେଇଛନ୍ତି। ଓଡ଼ିଶାରେ ତାଙ୍କୁ ଜିତାଇବା ପାଇଁ ବିଜେପିର ବିଧାୟକ ସଂଖ୍ୟା ନାହିଁ। ତେଣୁ ଶାସକ ବିଜେଡ଼ି ତାଙ୍କୁ ସମର୍ଥନ ଦେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ୨୦୧୯ରେ ବି ଅଶ୍ୱିନୀ ବିଜେଡ଼ି ସମର୍ଥନରେ ଓଡ଼ିଶାରୁ ରାଜ୍ୟସଭା ଯାଇଥିଲେ। ତେଣୁ ଆଜି ପୁଣି ସ୍ପଷ୍ଟ ହୋଇଯାଇଛି ବିଜେଡ଼ି ଓ ବିଜେପିର ମଧୁର ସମ୍ପର୍କ। କଂଗ୍ରେସ ଏହାକୁ ତୀବ୍ର ସମାଲୋଚନା କରିଛି। ବିଜେଡ଼ି ଓ ବିଜେପି ନେତୃବୃନ୍ଦ ରାଜନୈତିକ ବୟନବାଜି କରି ଘଟଣାରେ ତଳି ପକାଇଲେବି ଉଭୟ ଦଳର କର୍ମୀ ଏବେ ଦ୍ବନ୍ଦରେ …

ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱରରୁ ବିଜେପି ସାଂସଦ ଅଛନ୍ତି। ଏଥର ସାଧାରଣ ନିର୍ବାଚନରେ ବି ବିଜେପି ଟିକଟରୁ ସାଂସଦ ନିର୍ବାଚନ ଲଢ଼ିବେ ବୋଲି ପ୍ରଚାର ଚଳାଇଛନ୍ତି। ତାଙ୍କ ଲୋକପ୍ରିୟତା ମଧ୍ୟ ଅତୁଟ ଅଛି ବୋଲି ସୂତ୍ର କହୁଛି। ୨୦୧୯ ନିର୍ବାଚନରେ ଭୁବନେଶ୍ୱରରୁ ବିଜେଡ଼ି ଟିକଟରୁ ଲଗାତାର ଜିତିଆସୁଥିବା ପ୍ରସନ୍ନ ପାଟ୍ଟଶାଣୀଙ୍କ ଟିକଟ କଟାଯାଇଥିଲା। କାରଣ ପ୍ରସନ୍ନ ପାଟ୍ଟଶାଣୀ ବିଜେଡ଼ି ଟିକଟ ପାଇଥିଲେ ଅପରାଜିତା ଷଡ଼ଙ୍ଗୀ ଜିତିବା ମୁସ୍କିଲ ହୋଇଥାନ୍ତା। ସେ ସମୟର ସୂତ୍ର କହୁଛି ଅପରାଜିତାଙ୍କୁ ଜିତାଇବା ପାଇଁ ପ୍ରସନ୍ନଙ୍କ ଟିକଟ କଟାଯାଇ ଅରୂପ ପଟ୍ଟନାୟକଙ୍କୁ ବିଜେଡ଼ି ଲୋକସଭା ଟିକଟ ଦିଆଯାଇଥିଲା। ଅପରାଜିତା ଭୁବନେଶ୍ୱର ସାଂସଦ ହେବା ପରେ ତାଙ୍କର ଲୋକପ୍ରିୟତା ଏହି ପାଞ୍ଚ ବର୍ଷ ଭିତରେ ଅହେତୁକ ଭାବରେ ବୃଦ୍ଧି ପାଇଛି। ୨୦୨୪ରେ କିନ୍ତୁ ଗୋଟିଏ ବିରାଟ ପ୍ରତିବନ୍ଧକ ସୃଷ୍ଟି ହେଇଛି ତାଙ୍କ ପାଇଁ। ବିଜେଡ଼ି ଶ୍ରୀମୟୀ ମିଶ୍ରଙ୍କୁ ସାଂସଦ ପ୍ରାଥି ଭାବରେ ମୈଦାନକୁ ଓଲ୍ହାଇ ସାରିଛି। ରାଜନୈତିକ ମୈଦାନରେ ଅପରାଜିତାଙ୍କ ଚେର ଏତେ ଗଭୀରକୁ ଚାଲି ଯାଇଛି ଯେ ତାକୁ ଉପାଡ଼ିବା ବିଜେଡ଼ି ପକ୍ଷରେ ମୁସ୍କିଲ। ହରଡ଼ଘଣାରେ ଦଳ। ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଦଳୀୟ ନୀତି ନିର୍ଦ୍ଧାରଣ କମିଟି ଆଗରେ କହିସାରିଲେଣି ଅପରାଜିତାଙ୍କ ସହିତ ଲଢେଇ କଲେ ଶ୍ରୀମୟୀ ହାରିଯିବେ। କିନ୍ତୁ ଅଜଣା ଆଶ୍ୱାସନା ଶ୍ରୀମୟୀଙ୍କ ସହିତ ଅଛି ବୋଲି ସାଧାରଣରେ ଚର୍ଚ୍ଚା।

ଏପରି କ୍ଷେତ୍ରରେ ଶ୍ରୀମୟୀଙ୍କୁ ଜିତାଇବାକୁ ହେଲେ ଅପରାଜିତାଙ୍କ ସଂସଦୀୟ ଟିକଟ କାଟିବା ଦରକାର। ଯଦି ଅପରାଜିତାଙ୍କୁ ଭୁବନେଶ୍ୱର ସାଂସଦ ଟିକଟ ନ ଦେଇ ବିଜେପି କୌଣସି ବିଧାନସଭା ଟିକଟ ଦିଏ ତେବେ ବିଜେଡ଼ି ଓ ବିଜେପିର ଅଘୋଷିତ ମଧୁର ସମ୍ପର୍କ ଏକ ପ୍ରକାର ପର୍ଦାଫାଶ ହୋଇଯିବ ଏଥିରେ ସନ୍ଦେହ ନାହିଁ। ସୂତ୍ର କହୁଛି ଏ ବାବଦରେ ଆଲୋଚନା ସରିଛି। ଅପରାଜିତା ଭୁବନେଶ୍ୱର ମଧ୍ୟ କିମ୍ବା ବେଗୁନିଆ ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢ଼ିବେ। ତାଙ୍କୁ ବୁଝାଇ ଦିଆ ଯିବ ବିଜେପି ପୂର୍ଣ୍ଣ ବହୁମତ ପାଇଲେ ଆପଣ ମୁଖ୍ୟମନ୍ତ୍ରୀ ହେବେ। ତେଣୁ ଯଦି ଏହି ଆଶଙ୍କା ଟିକଟ ବଣ୍ଟନ ସମୟରେ ସତ୍ୟରେ ପରିଣତ ହୁଏ ତେବେ ଆସନ୍ତା ନିର୍ବାଚନ ଓଡ଼ିଶାରେ ଗୋଟିଏ ପ୍ରହେଳିକାର ବିଷୟବସ୍ତୁ ପାଲଟିବ ଏଥିରେ କୌଣସି ସନ୍ଦେହର ଅବକାଶ ନାହିଁ।

ପ୍ରିୟ ରଞ୍ଜନ ସାହୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.