Home ଜିଲ୍ଲା ପରିକ୍ରମା ପୂର୍ବତଟ ଉପକୂଳ ସୁରକ୍ଷା ସମୀକ୍ଷା ବୈଠକ, ଧାମରା ଠାରେ କୋଷ୍ଟଗାର୍ଡର ୟୁନିଟ୍ ପ୍ରତିଷ୍ଠା ପାଇଁ ପ୍ରସ୍ତାବ

ପୂର୍ବତଟ ଉପକୂଳ ସୁରକ୍ଷା ସମୀକ୍ଷା ବୈଠକ, ଧାମରା ଠାରେ କୋଷ୍ଟଗାର୍ଡର ୟୁନିଟ୍ ପ୍ରତିଷ୍ଠା ପାଇଁ ପ୍ରସ୍ତାବ

11

ଭଦ୍ରକ, ୨୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବତଟ ଉପକୂଳ ସୁରକ୍ଷା ନେଇ ଗତକାଲି ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲି, ପାରାଦ୍ୱୀପ କୋଷ୍ଟଗାର୍ଡର କମାଣ୍ଡେଣ୍ଟ ଆର. ରାଓ, ଡିଏଫ୍‌ଓ ଚାନ୍ଦବାଲି ଅଧୀର କୁମାର ବେହେରା, ରାଜନଗର ଡିଏଫ୍‌ଓ ଶୋଭାମୟ କୃଷ୍ଣ ଯାଦବ, କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାର ଆସିଷ୍ଟାଣ୍ଟ ଡାଇରେକ୍ଟର ଚନ୍ଦନ ବଳଙ୍କ ସମେତ ଜିଲା ଓ ମେରାଇନ୍ ମତ୍ସ୍ୟ ବିଭାଗର ଅଧିକାରୀଙ୍କ ସହ ତଟ ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀମାନେ ଯୋଗ ଦେଇଥିଲେ । ବର୍ତ୍ତମାନ ପରିସ୍ଥିତିରେ ପୂର୍ବତଟ କୂଳ ସୁରକ୍ଷା ନେଇ ଜିଲାପାଳ ଶ୍ରୀ ବୋନ୍ଦର ଗୁରୁତ୍ୱ ଦେଇଥିଲେ । ତଟକୂଳ ସୁରକ୍ଷା ସହ ସଂପୃକ୍ତ ବିଭିନ୍ନ ବିଭାଗ ଗୁଡିକ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି ସୁରକ୍ଷା ଦାୟିତ୍ୱକୁ ଅଧିକ କ୍ରୀୟାଶୀଳ କରିବା ପାଇଁ ସେ ଗୁରୁତ୍ୱାରୋପ କରିଥିଲେ । ନିୟମିତ ପାଟ୍ରୋଲିଂ ଜାରି ରଖିବା ପାଇଁ ପରାମର୍ଶ ଦିଆଯାଇଥିଲା । ବିଶେଷକରି ତଟ ସୁରକ୍ଷା କ୍ଷେତ୍ରରେ ଗୁରୁତ୍ୱ ବହନ କରୁଥିବା କୋଷ୍ଟଗାର୍ଡ କର୍ତ୍ତୃପକ୍ଷ ଗଭୀର ସମୁଦ୍ରରେ ସତର୍କ ଦୃଷ୍ଟି ରଖିବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା ।

ଏହାବ୍ୟତୀତ ପାରାଦ୍ୱୀପ କୋଷ୍ଟଗାର୍ଡ ପକ୍ଷରୁ ହେଲିକେପ୍ଟର ଯୋଗେ ଆକାଶ ମାର୍ଗରୁ ଅନୁପ୍ରବେଶକାରୀଙ୍କ ଉପରେ ନଜର ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା । ଅନ୍ୟପକ୍ଷରେ ହେନ୍ତାଳ ବଣକୁ କ୍ଷତିଗ୍ରସ୍ତ କରୁଥିବା ଅସାମାଜିକ ଲୋକଙ୍କ ଉପରେ କଡା ନଜର ରଖିବା ପାଇଁ ବନ୍ୟ ପ୍ରାଣୀ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ସମୁଦ୍ରକୁ ମାଛଧରିବା ପାଇଁ ଯାଉଥିବା ଧୀବରମାନଙ୍କର ପରିଚୟ ପତ୍ର, ମାଛଧରା ବୋଟ୍ ଗୁଡିକର ରେଜିଷ୍ଟ୍ରେସନ ଉପରେ ଗୁରୁତ୍ୱ ଦେବାପାଇଁ ମତ୍ସ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ବିଶେଷକରି ବିଭାଗୀୟ ନୀତିନିୟମକୁ ଉଲ୍ଲଂଘନ କରି ସମୁଦ୍ରରେ ମାଛ ଧରୁଥିବା ବୋଟ୍ ଗୁଡିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲାରେ ଥିବା ମେରାଇନ୍ ଥାନା ଗୁଡିକର ଭିତ୍ତିଭୂମିର ବିକାଶ ଓ ଅଧିକ କର୍ମଚାରୀ ନିଯୁକ୍ତି ନେଇ ଆଲୋଚନା ହୋଇଥିଲା । ପ୍ରତି ମାସରେ ତଟ ସୁରକ୍ଷା ନେଇ ବୈଠକ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଅପରପକ୍ଷରେ ଧାମରା ଠାରେ ପାରାଦ୍ୱୀପ ଭଳି କୋଷ୍ଟଗାର୍ଡର ଏକ ୟୁନିଟ୍ ପ୍ରତିଷ୍ଠା ପାଇଁ ସରକାରଙ୍କ ନିକଟରେ ଏକ ପ୍ରସ୍ତାବ ଦିଆଯିବ ବୋଲି ଜିଲାପାଳ ଶ୍ରୀ ବୋନ୍ଦର ବୈଠକରେ କହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.