Home ଜିଲ୍ଲା ପରିକ୍ରମା ପୂଜ୍ୟପୂଜା ପରମ୍ପରାକୁ ଅସମ୍ମାନ, ବ୍ୟାନର, ପାର୍କିଂକୁ ଅନୁମତି ଦେଇ ବ୍ୟବସାୟ ଚଲାଇଛି ପୌର କର୍ତ୍ତୃପକ୍ଷ

ପୂଜ୍ୟପୂଜା ପରମ୍ପରାକୁ ଅସମ୍ମାନ, ବ୍ୟାନର, ପାର୍କିଂକୁ ଅନୁମତି ଦେଇ ବ୍ୟବସାୟ ଚଲାଇଛି ପୌର କର୍ତ୍ତୃପକ୍ଷ

75

ଭଦ୍ରକ, ୩ । ୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରରେ ବିଭିନ୍ନ ଛକ ସ୍ଥାନମାନଙ୍କେରେ ଥିବା ଜିଲ୍ଲା ତଥା ଓଡ଼ିଶାର ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତୀ ଏବେ ପରିତ୍ୟକ୍ତ ଅବସ୍ଥା ଆଗଡକୁ ଗତି କରୁଛି । ଯାହାକି ପୂଜ୍ୟ ପରମ୍ପରା ପ୍ରତି ଘୋର ଅପମାନ ବୋଲି ସବୁଠି ଚର୍ଚ୍ଚା । ବିଭିନ୍ନ ଜାତୀୟ ଓ ସ୍ୱତନ୍ତ୍ର ଭାବେ ରାଜ୍ୟରେ ପାଳିତ ଦିବସମାନଙ୍କରେ ଔପଚାରିକତା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସହରରେ ସ୍ଥାପିତ ଏସମସ୍ତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତୀରେ ଫୁଲମାଳ ପକାଇ ଜିଲ୍ଲାର ପ୍ରଶାସନିକ ଅଧିକାରୀ । କିନ୍ତୁ ଏସମସ୍ତ ପ୍ରତିମୂର୍ତ୍ତୀକୁ କିପରି ସମ୍ମାନ ଦୋବକୁ ହେବ ଓ ଏହାର ରକ୍ଷଣାବେକ୍ଷଣ ହେବ ସେଥି ପ୍ରତି ପ୍ରଶାସନିକ ଅଧିକାରୀମାନଙ୍କର ଜିରୋ ଦୃଷ୍ଟି ଭଙ୍ଗୀ ଅନୁଭୂତ ହେଉଛି । ପୂଜ୍ରପୂଜା ପରମ୍ପରା ପ୍ରତି ସେମାନେ ଆଦୌ ଯତ୍ନଶୀଳ ହେଉନଥିବା ପରିଲକ୍ଷିତ ହେଉଛି । ଭଦ୍ରକ ବାଇପାସ ଛକ ଠାରେ ରାସ୍ତା ସମ୍ପ୍ରସାରଣ ନାମରେ କାନ୍ତକବି ଲକ୍ଷ୍ମକାନ୍ତ ମହାପାତ୍ରଙ୍କ ପ୍ରତିମୂର୍ତ୍ତୀକୁ ଭାଙ୍ଗି ଦିଆଗଲା । ମୂର୍ତ୍ତୀ କୁଆଡ଼େ ଗଲା ତା’ର ପତ୍ତା କେହି ପାଇଲେ ନାହିଁ । ତେବେ କାନ୍ତକବିଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ ଦାବି ନେଇ ବହୁ ସ୍ୱାଭିମାନୀ ସଂଗଠନ ଓ ବ୍ୟକ୍ତିବିଶେଷ ଏ ଦିଗରେ ମୁହଁ ଖୋଲି ଆନ୍ଦେଳନାତ୍ମକ ପନ୍ଥା ଆପଣେଇବାରୁ, ଖୁବ ଶୀଘ୍ର ବାଇପାସ ଛକରେ କାନ୍ତକବିଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ ହେବ ବୋଲି ନିର୍ବାଚିତ ଲୋକପ୍ରତିନିଧିମାନେ ଆଶ୍ୱାସନା ଦେଇଥିଲେ । କିନ୍ତୁ ପ୍ରତିଶ୍ରୁତି ଅନୁଯୟୀ ପ୍ରତିମୂର୍ତ୍ତୀ ସ୍ଥାପନର ଅବଧି ପୁରିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାନ୍ତକବିଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ ଦିଗରେ ଏଯାବତ୍ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ।

ସେହିପରି ଭଦ୍ରକର ପ୍ରବେଶପଥ ହେଉଛି ମହାତାବ ଛକ । ଉତ୍କଳର ବରପୁତ୍ର ତଥା ଭଦ୍ରକ ମାଟିର ଏହି ସୁଯୋଗ୍ୟ ସନ୍ତାନ ଡ. ହରେକୃଷ୍ଣ ମହତାବଙ୍କୁ ଜିଲ୍ଲା ପ୍ରଶାସନ ଓ ନିର୍ବାଚିତ ଲୋକ ପ୍ରତିନିଧିମାନେ ଯେଭଳି ଭାବରେ ଅଣଦେଖା କରି ଚାଲିଛନ୍ତି, ତାହା ମହତାବପ୍ରେମୀଙ୍କୁ ମର୍ମାହତ କରିଛି । ପ୍ରଥମତଃ ଡ. ମହତାବଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତୀ ସ୍ଥାପନ ପାଇଁ କେଇ ବର୍ଗ ଫୁଟ ଜମିକୁ ନେଇ ବିବାଦ ଲାଗି ରହିଛି । ସେହିପରି ଭଦ୍ରକ ସହରର ପ୍ରବେଶପଥରେ ସ୍ଥାପିତ ମହତାବଙ୍କ ଆବକ୍ଷ ପ୍ରତିମୂର୍ତ୍ତୀ ଯେଉଁ ଅବସ୍ଥାରେ ପଡ଼ି ରହିଛି, ତାହା ବହୁ ମହତାବ ପ୍ରେମୀଙ୍କୁ ମାନସିକସ୍ତରରେ ଆଘାତ ଦେଇଛି । କାରଣ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅନତି ଦୂରରେ ସହରର ପ୍ରବେଶପଥ । ସେଠାରେ ପୌର ପ୍ରଶାସନ ପକ୍ଷରୁ ଡ. ମହତାବଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ ସହ ଏକ ସୁରମ୍ୟ ବଗିଚା ନିର୍ମାଣ କରାଯାଇଛି । ଏହି ଛକକୁ ସମସ୍ତେ ମହତାବ ଛକ ବୋଲି ଅଭିହିତ କରି ଆସୁଛନ୍ତି । କିନ୍ତୁ ଇତିମଧ୍ୟରେ ପ୍ରତିମୂର୍ତ୍ତୀ ସ୍ଥାପନ ହୋଇଥିବା ସ୍ଥାନ ଅବହେଳିତ ହୋଇ ପଡ଼ିଛି । ସ୍ଥାପିତ ପ୍ରତିମୂର୍ତ୍ତୀସ୍ଥଳ ସଂଲଗ୍ନ ସ୍ଥାନ ଏବେ ବିଭିନ୍ନ ଯାତ୍ରୀବାହୀ ଗାଡ଼ିଙ୍କ ପାର୍କିଂସ୍ଥାନ ପାଲଟିଛି । ଏହାବ୍ୟତୀତ ପ୍ରତିମୂର୍ତ୍ତୀସ୍ଥଳର ଚର୍ତୁପାଶ୍ୱର୍ରେ କେତେକ ଆତ୍ମଘୋଷିତ ସଂଗଠନ ଓ ବ୍ୟକ୍ତିବିଶେଷ ନିଜର ବ୍ୟକ୍ତିଗତ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ନିଜର ଶୁଭେଛାଭରା ବ୍ୟାନର ଲଗାଇ ଆତ୍ମସନ୍ତୋଷ ଲାଭ କରୁଛନ୍ତି । ଏପରି ମାନସିକତାଧାରୀ ବ୍ୟକ୍ତିଙ୍କ ପ୍ରଚାରଧର୍ମୀ ମାନସିକତା ଓ ଯାତ୍ରୀବାହୀ ଗାଡ଼ି ମାଲିକଙ୍କ ବ୍ୟବସାୟିକ ମନୋବୃତ୍ତି ଆଗରେ ବନ୍ଧା ପଡ଼ିଛି ପୂଜ୍ୟପୂଜା ପରମ୍ପରାର ସମ୍ମାନ । ପୌର ପ୍ରଶାସନ ଏହା ଦେଖି ନଦେଖିବା ପରି ରହିଛି । କାରଣ ହୋର୍ଡ଼ିଂ ମାରୁଥିବା ବ୍ୟକ୍ତିବିଶେଷଙ୍କ ଠାରୁ ପୌର କର୍ତ୍ତୃପକ୍ଷ ହୋଲଡିଂ ଟ୍ୟାକ୍ସ ନେଇ ସେମାନଙ୍କୁ ଏଥି ନିମିତ୍ତ ଅନୁମତି ଦେଇଛନ୍ତି ବୋଲି ସବୁଠି ଚର୍ଚ୍ଚା । ପୂଜ୍ୟପୂଜା ପରମ୍ପରାକୁ ଅସମ୍ମାନ କରିବାକର ପୌର କର୍ତ୍ତୃପକ୍ଷଙ୍କ କିଏ ଦେଲା ବୋଲି ପ୍ରଶ୍ନ କରିଛନ୍ତି ମହତାବ ଜୟନ୍ତୀ କମିଟିର ଅପୂର୍ବ ବେହେରା, ରବିନାରାୟଣ ଖିଲାର ପ୍ରମୁଖ । ପୌର ପ୍ରଶାସନ ଏହାକୁ ନହଟାଇଲେ, ଜୟନ୍ତୀ କମିଟି ବାଧ୍ୟ ହୋଇ ମହତାବଙ୍କ ସମ୍ମାନ ରକ୍ଷା ପାଇଁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ଶ୍ରୀ ବେହେରା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.