Home ଜିଲ୍ଲା ପରିକ୍ରମା ଫଳକରେ ସୀମିତ ପୌରପାଳିକାର ୬ ଡାକ୍ତରଖାନା, ଚରମ୍ପା ଅଞ୍ଚଳବାସୀଙ୍କ ପାଇଁ ସ୍ୱପ୍ନ ପାଲଟିଛି ତ୍ୱରିତ୍ ସ୍ୱାସ୍ଥ୍ୟସେବା

ଫଳକରେ ସୀମିତ ପୌରପାଳିକାର ୬ ଡାକ୍ତରଖାନା, ଚରମ୍ପା ଅଞ୍ଚଳବାସୀଙ୍କ ପାଇଁ ସ୍ୱପ୍ନ ପାଲଟିଛି ତ୍ୱରିତ୍ ସ୍ୱାସ୍ଥ୍ୟସେବା

33

ଭଦ୍ରକ, ୩ । ୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରାଞ୍ଚଳରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି । ବିଶେଷକରି ଚରମ୍ପା ଅଞ୍ଚଳରେ ଏହା ଉତ୍କଟ ଆକାର ଧାରଣ କରିଛି । ସ୍ଥାନୀୟ ହନୁମାନ ମନ୍ଦିର ହାଟ ନିକଟରେ ପୌରପାଳିକାର ଯେଉଁ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ହୋଇଥିଲା, ସେଠାରେ ଆରମ୍ଭରୁ ତାଲା ଝୁଲୁଛି । ସଂପୃକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନକୁ ଇତିମଧ୍ୟରେ ୨୫ବର୍ଷ ବିତିଯାଇଥିଲେ ମଧ୍ୟ ଘର ପାଖରେ ସ୍ୱାସ୍ଥ୍ୟ ସେବା ପରି ଏକ ମୌଳିକ ସେବା ପାଇବାକୁ ଅପେକ୍ଷା କରିଥିବା ପ୍ରାୟ ୩ଟି ୱାର୍ଡ଼ର ୭ହଜାରରୁ ଉଦ୍ଦ୍ୱର୍ ବାସିନ୍ଦାଙ୍କୁ ନିରାଶ ହେବାକୁ ପଡ଼ିଛି । ବର୍ଷ ବର୍ଷ ଧରି ଏପରି ବିପର୍ଯ୍ୟସ୍ତ ଅବସ୍ଥା ଲାଗି ରହିଥିବାବେଳେ, ଏଥିପ୍ରତି ପୌର କର୍ତ୍ତୃପକ୍ଷ କିମ୍ବା ସ୍ଥାନୀୟ ଜନ ପ୍ରତିନିଧିଙ୍କର ନଜର ପଡ଼ୁ ନାହିଁ । ଯାହାକି ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି । ସୂଚନା ଅନୁଯାୟୀ ପୌରାଞ୍ଚଳରେ ଏବେ ଜନ ସଂଖ୍ୟା ୧ଲକ୍ଷ ୨୦ହଜାରରୁ ଉର୍ଦ୍ଧ୍ୱ । ଏସମସ୍ତ ପୌରବାସୀଙ୍କୁ ଉତ୍ତମ ସ୍ୱାସ୍‌ଥ୍ୟ ସେବା ଯେଗାଇ ଦେବା ପାଇଁ ପୌରପାଳିକା ପକ୍ଷରୁ ୬ଟି ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଏଥିମଧ୍ୟରେ ଉତ୍ତରବାହିନୀ ଓ ଚରମ୍ପା ହନୁମାନ ହାଟ ନିକଟରେ ୨ଟି ଏଲୋପ୍ୟାଥିକ ଓ ନାଥସାହି, ବାଗୁରାଇ, ଗରଦପୁର ଓ ଲାହାପଟି ଠାରେ ୪ଟି ହୋମିଓପ୍ୟାଥିକ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା । କିନ୍ତୁ ଡାକ୍ତର ଓ କର୍ମଚାରୀ ଅଭାବରୁ ଏସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା ଝୁଲୁଛି । କାରଣ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଡାକ୍ତର କିମ୍ବା ସ୍ୱାସ୍ତ୍ୟ କର୍ମଚାରୀ ନାହାନ୍ତି ।

ଫଳରେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ପ୍ରତିଷ୍ଠା କରାଯାଇଥିବା ଏସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି । ଏପରିକି ବହୁ ସମୟରେ ଏଗୁଡ଼ିକ କେତେକ ଅସାମଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀରେ ପରିଣତ ହେଉଛି । ତେବେ ଉପଯୁକ୍ତ ଓ ସମୟୋପଯୋଗୀ ସ୍ୱାସ୍ଥ୍ୟସେବା ପାିବା କ୍ଷେତ୍ରରେ ସବୁଠାରୁ ହଇରାଉ ହେଉଛନ୍ତି ଚରମ୍ପା ଅଞ୍ଚଳର ୧,୨,ଓ ୩ନମ୍ବର ୱାର୍ଡ଼ ବାସିନ୍ଦା । କାରଣ ଅନ୍ୟ ଯେଉଁ ସ୍ଥାନମାନଙ୍କରେ ପୌର କର୍ତ୍ତୃପକ୍ଷଙ୍କ ତରଫରୁ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ହୋଇଛି, ସେମାନେ କିଛି ନହେଲେ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପୁରୁଣାବଜାର ଡାକ୍ତରଖାନାରୁ କିଛିଟା ସ୍ୱାସ୍ଥ୍ୟ ସେବା ପାଇ ପାରୁଛନ୍ତି । କିନ୍ତୁ ବେଶୀ ହଇରାଣ ହେବାକୁ ପଡ଼ୁଛି ଚରମ୍ପାର ଉପରୋକ୍ତ ୩ ୱାର୍ଡ଼ବାସୀଙ୍କୁ । ବିଶେଷକରି ଏହି ଅଞ୍ଚଳର ଭୌଗଳିକ ଅବସ୍ଥିତି ପାଇଁ ଅଞ୍ଚଳବାସୀଙ୍କ ପାଇଁ ଏହି ସ୍ୱାସ୍ଥ୍ୟକେନ୍ଦଅ୍ରର ବେଶ୍ ଗୁରୁତ୍ୱ ରହିଛି । ଜିଲ୍ଲା ଚିକିତ୍ସାଳୟ ବହୁ ଦୂର ହୋଇଥିବାବେଳେ, ଗୁରୁତର ରୋଗୀଙ୍କ ପାଇଁ ଚରମ୍ପା ଲେବୁଲ କ୍ରସିଂ ମୁଖ୍ୟ ସମସ୍ୟା ସୃଷ୍ଟି କରିଥାଏ । ଏସବୁକୁ ଦୃଷ୍ଟିରେ ରଖି ଉପରୋକ୍ତ ୩ୱାର୍ଡ଼ ସମେତ ଚରମ୍ପା, ତଳାଙ୍ଗ, ରମ୍ଭିଳା ପରି ପଞ୍ଚାତବାସୀଙ୍କ ପାଇଁ ହନୁମାନ ହାଟ ଠାରେ ଏକ ସ୍ୱାସ୍ଥ୍ୟକେନ୍ଦ୍ର ୧୯୯୪ ମସିହା ସ୍ୱାୟତ୍ତ ଶାସନ ଦିବସରେ ପ୍ରତିଷ୍ଠା କରାଯାଇଥିଲା । ତତ୍କାଳୀନ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ୰ବୈରାଗୀ ଯେନା, ନଗରପାଳ ୰ ବିରେନ ପଲେଇଙ୍କ ଉପସ୍ଥିତିରେ ତତ୍କାଳୀନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା । ପରେ ପୁନର୍ବାର ୧୯୧୭ ମସିହା ମାର୍ଚ୍ଚ ୧ତାରିଖ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଗୃହର ପୁନରୁଦ୍ଧାର କରାଯାଇଥିବାବେଳେ, ତତ୍କାଳୀନ ପୌରାଧ୍ୟକ୍ଷ ମାନସ କୁମାର ମହାନ୍‌ତିଙ୍କ ଉପସ୍ଥିତିରେ ସେତେବେଳର ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ । ତେବେ ସେହି ଦିନଠାରୁ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା ଝୁଲୁଛି । ଆଉ ତ୍ୱରିତ୍ ସ୍ୱାସ୍ଥ୍ୟସେବା ପାଇବା ସଂପୃକ୍ତ ଅଞ୍ଚଳବାସୀଙ୍କ ପାଇଁ ସ୍ୱପ୍ନ ହୋଇ ରହିଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.