Home Top News ପୁରୀ ଶ୍ରୀମନ୍ଦିରର ବିକାଶ ପାଇଁ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି: ସମର୍ପଣ ନିଧି...

ପୁରୀ ଶ୍ରୀମନ୍ଦିରର ବିକାଶ ପାଇଁ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି: ସମର୍ପଣ ନିଧି ସଂଗ୍ରହ ଅଭିଯାନକୁ ନିଜ ମାର୍ଗଦର୍ଶନରେ କରିବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

96

– ବିଶାଳ ସମର୍ପଣ ନିଧି ଅଭିଯାନକୁ ସ୍ୱେଚ୍ଛାକୃତ ଜନଆନ୍ଦୋଳନ ଭାବେ ପରିଣତ କରିବା ପାଇଁ ଗଜପତି ମହାରାଜାଙ୍କ ସହଯୋଗ ଲୋଡିଲେ କେନ୍ଦ୍ରମନ୍ତ୍ରୀ
– ବିଶ୍ୱର ପ୍ରତ୍ୟେକ ହିନ୍ଦୁ ଓ ସାଢେ ଚାରି କୋଟି ଓଡିଆ ଶ୍ରମଦାନ ଓ ଅର୍ଥଦାନ ମାଧ୍ୟମରେ ମହାପ୍ରଭୁଙ୍କ ସେବା କରିବାର ସୁଯୋଗ ପାଇବେ
– ପ୍ରସ୍ତାବିତ ଏହି ଅଭିଯାନରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସମ୍ପର୍କର ସେତୁ ସାଜିବା ଏବଂ ସମନ୍ୱୟ ରକ୍ଷା କରିବା ପାଇଁ ଅନୁରୋଧ
– ଏହି ପବିତ୍ର ପ୍ରଚେଷ୍ଟାକୁ ବଡ ସଫଳତାର ରୂପ ଦେବା ପାଇଁ ଭାରତ ସରକାର ଆଇନଗତ ଏବଂ ନୀତିଗତ ଭାବରେ ସମସ୍ତ ଆନୁଷଙ୍ଗିକ ସହାୟତା ପ୍ରଦାନ କରିବା ପାଇଁ ଇଚ୍ଛୁକ
– ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଗଣିତ ଭକ୍ତ ମାନଙ୍କ ପାଇଁ ଓଡ଼ିଶା ତଥା ଭାରତର ଏକାଧିକ ବ୍ୟାଙ୍କ୍ ଏବଂ ସେମାନଙ୍କ ଶାଖା ବ୍ରାଂଚ୍ ମଧ୍ୟ ଏଥିପାଇଁ ସୁବିଧା ସୁଯୋଗ ଦେବେ
– ନିକଟରେ ଶ୍ରୀମନ୍ଦିରର ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀ ନିଜ ଦରମାରୁ ୧ ଲକ୍ଷ ସହଯୋଗ ରାଶି ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିଥିଲେ
– ଗଜପତି ମହାରାଜାଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ଯୋଜନାର କ୍ରିୟାନ୍ୱୟନ ବଡ ସଫଳତା ପାଇବ

ଭୁବନେଶ୍ୱର, ମାର୍ଚ୍ଚ ୫ (ଓଡ଼ିଆ ପୁଅ) – ପୁରୀ ଶ୍ରୀମନ୍ଦିରର ବିକାଶ କରିବା ପାଇଁ ପରିକ୍ରମା ଓ ଅନ୍ୟାନ୍ୟ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ମହତ କାର୍ଯ୍ୟରେ ଶ୍ରମଦାନ କିମ୍ବା ଅର୍ଥଦାନ ମାଧ୍ୟମରେ ବିଶ୍ୱର ସମଗ୍ର ହିନ୍ଦୁ ସମାଜ ତଥା ବିଶେଷ ଭାବରେ ସାଢେ ୪ କୋଟି ଓଡିଆ ସାମିଲ ହେବାକୁ ଉଚ୍ଛା ରଖିଛନ୍ତି। ତେଣୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ସମର୍ପଣ ନିଧି ସଂଗ୍ରହ ସଂଗ୍ରହ ଅଭିଯାନ ଭଳି ଏକ ବ୍ୟବସ୍ଥା ତିଆରି କରିବା ପାଇଁ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ପତ୍ର ଲେଖି ତାଙ୍କର ସହଯୋଗ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ମାର୍ଗଦର୍ଶନରେ ଏପରି ବ୍ୟବସ୍ଥା ତିଆରି କରାଗଲେ ସମଗ୍ର ବିଶ୍ୱର ହିନ୍ଦୁ ବିଶେଷ ଭାବରେ ସାଢେ ୪ କୋଟି ଓଡିଆ ମନଖୋଲି ମହାପ୍ରଭୁଙ୍କୁ ଦାନ କରିବାର ସୁଯୋଗ ପାଇପାରିବେ ବୋଲି ଶ୍ରୀ ପ୍ରଧାନ ପତ୍ର ଜରିଆରେ କହିଛନ୍ତି।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ସଂରକ୍ଷଣ କରିବା ତଥା ସେବାୟତଙ୍କ ସାମଗ୍ରିକ ବିକାଶ, ଶ୍ରଦ୍ଧାଳୁଙ୍କ କଲ୍ୟାଣ ତଥା ଆମର ପୁରୁଣା ପରମ୍ପରା ଏବଂ ଐତିହ୍ୟକୁ ବଜାୟ ରଖିବା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଭାବରେ ପୁରୀ ମହାରାଜା ଦିବ୍ୟସିଂହ ଦେବ ନିରନ୍ତର ଓ ନିରଳସ ଉଦ୍ୟମ କରି ଆସୁଛନ୍ତି।

ଅନାଦି ଅନନ୍ତ କାଳରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ତାଙ୍କର ପବିତ୍ରତା ସହିତ ସଂଶ୍ଲିଷ୍ଟ ସବୁକିଛି ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ପରିଚୟର ମୂଳବିନ୍ଦୁ। ମହାପ୍ରଭୁ ଶ୍ରୀଜଗନ୍ନାଥ ଲୋକଙ୍କ ଦେବତା। ପ୍ରତି ବ୍ୟକ୍ତିର ହୃଦୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବିରାଜମାନ। ତେଣୁ ସମଗ୍ର ହିନ୍ଦୁ ସମାଜ ଓ ସାଢେ ୪ କୋଟି ଓଡିଆଙ୍କ ମନରେ ମହାପ୍ରଭୁଙ୍କ କାମରେ ସହଯୋଗ କରିବା ନେଇ ଅଦମ୍ୟ ଉତ୍ସାହ ରହିଛି। ତେଣୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଏହି ବିଶାଳ ଧନ ସଂଗ୍ରହ ଅଭିଯାନର ସହଯୋଗର ପ୍ରକ୍ରିୟାକୁ ଜନଆନ୍ଦୋଳନ ଭାବରେ ପରିଣତ କରିବା ଏବଂ ଲୋକଙ୍କୁ ଏଥିରେ ଭାଗିଦାରୀ କରିବା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଭାବରେ ଶ୍ରୀ ଦିବ୍ୟସିଂହ ଦେବଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।

ଆବହମାନ କାଳରୁ କଳିଙ୍ଗ, ଉତ୍କଳ ଅଥବା ଓଡିଶା କେଉଁ ବି ସମୟରେ ମହାପ୍ରଭୁଙ୍କର ସେବା କରିବା ଓଡିଶାବାସୀଙ୍କ ନିଷ୍ଠାର ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ରହିଆସିଛି। ନିଜର ଦୈନନ୍ଦିନ ଜୀବନରେ ମହାପ୍ରଭୁଙ୍କ ସେବାରେ ହିଁ ଓଡିଆ ଲୋକମାନେ ସେମାନଙ୍କ ଜୀବନର ଅର୍ଥ, ବଂଚିବାର କାରଣ ଏବଂ ମୋକ୍ଷର ପଥ ବୋଲି ଶତାବ୍ଦୀ ଶତାବ୍ଦୀ ଧରି ଭାବିବା ସହ ଏଥିରେ ହିଁ ଓଡିଶାର ସାର୍ଥକତା ବୋଲି ବିବେଚନା କରିଆସିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟସେବକ ଭାବରେ ପୁରୀ ଗଜପତି ମହାରାଜ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା। ପୁରୀ ଶ୍ରୀମନ୍ଦିର ପରିକ୍ରମା ଯୋଜନା କିମ୍ବା ଶ୍ରୀଜଗନ୍ନାଥ ମନ୍ଦିର ଐତିହ୍ୟ କୋରିଡ଼ର ଯୋଜନାକୁ ଆଗେଇ ନେବାରେ କୋଟି କୋଟି ହିନ୍ଦୁ ବିଶେଷ ଭାବରେ ସାଢେ ୪ କୋଟି ଓଡ଼ିଆଙ୍କ ଭାବାବେଗ, ଶ୍ରଦ୍ଧା ଏବଂ ଭକ୍ତିଭାବନାକୁ ଉଜ୍ଜୀବିତ କରିଥିବାରୁ ପୁରୀ ଗଜପତି ମହାରାଜାଙ୍କ ନିକଟରେ ଶ୍ରୀ ପ୍ରଧାନ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଉଲ୍ଲେଖନୀୟ ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନିକଟରେ ପୁରୀ ଗସ୍ତରେ ଯାଇ ଶ୍ରୀମନ୍ଦିରର ବିକାଶ ପାଇଁ ନିଜ ଦରମାରୁ ୧ ଲକ୍ଷ ସହଯୋଗ ରାଶି ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିଥିଲେ। ଏ ପରିପ୍ରେକ୍ଷୀରେ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ମହାପ୍ରଭୁଙ୍କ ସେବା କରିବାର ସୁଯୋଗର ଅନୁଭବକୁ ଶବ୍ଦରେ ବର୍ଣ୍ଣନା କରିବା ମୋ ପାଇଁ ସମ୍ଭବ ନୁହେଁ। ତେବେ ପ୍ରତ୍ୟେକ ହିନ୍ଦୁ ବିଶେଷ ଭାବରେ ଓଡ଼ିଆ ଲୋକମାନେ ଜାତି ଓ ବର୍ଣ୍ଣ ନିର୍ବିଶେଷରେ ମହାପ୍ରଭୁଙ୍କ ସେବା କରିବା ତଥା ଶ୍ରୀମନ୍ଦିରର ବିକାଶ ପାଇଁ ଏହି ଧାମର ସହଯୋଗ ନିମନ୍ତେ ଶ୍ରମଦାନ ଏବଂ ଅର୍ଥଦାନ ପାଇଁ ସୁଯୋଗ ଦିଆଯିବା ନିମନ୍ତେ ଶ୍ରୀ ପ୍ରଧାନ ଗଜପତି ମହାରାଜାଙ୍କୁ ଅନୁରୋଧ କରିଛନ୍ତି। ଓଡ଼ିଶାର ପ୍ରତ୍ୟେକ ବ୍ୟକ୍ତି ଶ୍ରୀକ୍ଷେତ୍ର ତଥା ଶ୍ରୀମନ୍ଦିର ବିକାଶ ପାଇଁ ଶ୍ରମ ଓ ଅର୍ଥଦାନ ସେମାନଙ୍କୁ ସ୍ୱର୍ଗୀୟ ଆଶୀର୍ବାଦରେ ଆଧ୍ୟାତ୍ମିକ ଶାନ୍ତି ସହ ଅଭୁତପୂର୍ବ ଆନନ୍ଦ ଦେବ।

ଏହି ମର୍ମରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଆପଣଙ୍କ ଦକ୍ଷ ନେତୃତ୍ୱ ଏବଂ ମାର୍ଗଦର୍ଶନରେ ବଡ ଆକାରର ଧନ ସଂଗ୍ରହ ଅଭିଯାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମସ୍ତ ଭକ୍ତ ସହଯୋଗରେ ହାତ ବଢାଇପାରିବେ ତା’ର ବ୍ୟବସ୍ଥା ତିଆରି କରାଯିବା ନେଇ ଗଜପତି ମହାରାଜାଙ୍କୁ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ସମ୍ମାନ ଏବଂ ଭକ୍ତିଭାବର ପ୍ରକାଶ କରି ଆସୁଛନ୍ତି। ଏହି ପବିତ୍ର ପ୍ରଚେଷ୍ଟାକୁ ବଡ ସଫଳତାର ରୂପ ଦେବା ପାଇଁ ଭାରତ ସରକାର ଆଇନଗତ ଏବଂ ନୀତିଗତ ଭାବରେ ସମସ୍ତ ଆନୁଷଙ୍ଗିକ ସହାୟତା ପ୍ରଦାନ କରିବା ପାଇଁ ଇଚ୍ଛୁକ ଅଛନ୍ତି।

ତେବେ ପ୍ରସ୍ତାବିତ ଅଭିଯାନ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ଅତ୍ୟନ୍ତ ଜରୁରୀ। ଏଥିପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ଭାରତ ସରକାର ଏବଂ ଓଡିଶା ସରକାରଙ୍କ ମଧ୍ୟରେ ସମ୍ପର୍କର ସେତୁ ସାଜିବା ଏବଂ ସମନ୍ୱୟ ରକ୍ଷା କରିବା ପାଇଁ ଶ୍ରୀ ପ୍ରଧାନ ଗଜପତି ମହାରାଜାଙ୍କୁ ଅନୁରୋଧ କରିଛନ୍ତି। ଆଇନଗତ ଦୃଷ୍ଟିକୋଣରୁ ଭାରତ ସରକାର ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ଆୟକର ଅଧିନିୟମ ଅନୁଯାୟୀ ଛାଡ, ବୈଦେଶିକ ଆର୍ଥିକ ଯୋଗଦାନ ପଞ୍ଜିକରଣ (ନିୟମାବଳି) ଆଇନ, ୨୦୧୦ ଅନୁଯାୟୀ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ସହାୟତା ପ୍ରଦାନ କରିବେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଗଣିତ ଭକ୍ତ ମାନଙ୍କ ପାଇଁ ଓଡ଼ିଶା ତଥା ଭାରତର ଏକାଧିକ ବ୍ୟାଙ୍କ୍ ଏବଂ ସେମାନଙ୍କ ଶାଖା ବ୍ରାଂଚ୍ ମଧ୍ୟ ଏଥିପାଇଁ ସୁବିଧା ସୁଯୋଗ ଯୋଗାଇବା ସହ ସହଯୋଗ କରିବେ।

ପୁରୀ ଶ୍ରୀମନ୍ଦିର ପରିକ୍ରମା ଯୋଜନାର ତଦାରଖ କରୁଥିବାରୁ ଶ୍ରୀ ପ୍ରଧାନ ମହାରାଜାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବା ସହ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରଧାନ ସେବକ ଭାବରେ ଗଜପତି ମହାରାଜ କୋଟି କୋଟି ହିନ୍ଦୁ ତଥା ସାଢ଼େ ୪ କୋଟି ଓଡ଼ିଆଙ୍କ ମହାପ୍ରଭୁ ତଥା ଶ୍ରୀମନ୍ଦିର ପ୍ରତି ଥିବା ଧାର୍ମିକ ଆସ୍ଥାର ପବିତ୍ର ପ୍ରତୀକ। ଗଜପତି ମହାରାଜାଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ଯୋଜନାର କ୍ରିୟାନ୍ୱୟନ ବଡ ସଫଳତା ପାଇବ ବୋଲି ଦୃଢ ଆଶାବାଦୀ ଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଶ୍ରୀ ପ୍ରଧାନ।

ମହାପ୍ରଭୁ ଜଗନ୍ନାଥଙ୍କୁ ଆର୍ଥିକ ସହାୟତା କିମ୍ବା ଶ୍ରମଦାନ ମାଧ୍ୟମରେ ସେବା କରିବା ପାଇଁ ହିନ୍ଦୁ ବିଶେଷ ଭାବରେ ଓଡ଼ିଆଙ୍କୁ ସୁଯୋଗ ମିଳିବା ଗୌରବ ଏବଂ ସୌଭାଗ୍ୟର ବିଷୟ। ଏହି ମହତ କାର୍ଯ୍ୟ ପାଇଁ ଶ୍ରୀ ପ୍ରଧାନ ଏହି ପ୍ରସଙ୍ଗରେ ଭାରତ ସରକାରଙ୍କ ସମ୍ପୂର୍ଣ୍ଣ ସହଯୋଗ ଦୋହରାଇବା ସହ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ମାର୍ଗଦର୍ଶନ ଓ ସହଯୋଗରେ କେନ୍ଦ୍ର ସରକାର ତଥା ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ସ୍ଥାପନ କରି ଏହି ପବିତ୍ର ପ୍ରକଳ୍ପ ପ୍ରତ୍ୟେକ ଓଡ଼ିଆ ଏବଂ ହିନ୍ଦୁ ଧର୍ମର ଲୋକମାନଙ୍କ ପାଇଁ ବିଶାଳ ସଫଳତା ହେବ ବୋଲି ଶ୍ରୀ ପ୍ରଧାନ ଆଶାବାଦୀ ଅଛନ୍ତି। ଓଡ଼ିଶା, ଭାରତ ତଥା ବିଶ୍ୱରେ ଏକ ବିଶାଳ ଦାନ ଅଭିଯାନକୁ ସ୍ୱେଚ୍ଛାକୃତ ଜନଆନ୍ଦୋଳନ ଭାବେ ପରିଣତ କରିବା ପାଇଁ ସହଯୋଗ ନିମନ୍ତେ ଗଜପତି ମହାରାଜାଙ୍କୁ ଅନୁରୋଧ କରିବା ସହ ଏହାଦ୍ୱାରା ସମଗ୍ର ବିଶ୍ୱରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଗଣିତ ଭକ୍ତମାନେ ସମ୍ପୂର୍ଣ୍ଣ ଜୀବନରେ ଗୋଟିଏ ଥର ସେବା କରିବାର ମହାନ୍ ସୁଯୋଗ ପାଇପାରିବେ ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.