Home ଜିଲ୍ଲା ପରିକ୍ରମା ପୁରୀରୁ ନୟାଗଡ଼ ଆଜ୍ଞାମାଳ ଆସି ରଥକାଠ ଅନୁକୂଳ ହେଲା

ପୁରୀରୁ ନୟାଗଡ଼ ଆଜ୍ଞାମାଳ ଆସି ରଥକାଠ ଅନୁକୂଳ ହେଲା

144

ନୟାଗଡ଼, ୧୨ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ପୁରୀର ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ପରିପ୍ରେକ୍ଷିରେ ପୁରୀ ଶ୍ରୀମନ୍ଦିରରୁ ମହାପ୍ରସାଦ, ଆଜ୍ଞାମା.ପାଟପତନୀ, ଖଣ୍ଡୁଆପାଟ, ଫୁଲମାଳ, ଧୂପ, ଦୀପ ଏବଂ ନଡ଼ିଆ ପ୍ରଭୃତି ଆସି ନୟାଗଡ଼ରେ ପହଂଚି ପୂଜାପାଠ ପରେ ରଥକାଠ ଅନୁକୂଳ ହୋଇଛି। ରଥକାଠ କାଟିବା ପୂର୍ବରୁ ନୟାଗଡ଼ର ବଡ଼ମୂଳସ୍ଥିତି ମା’ବଡ଼ରାଉଳ ଠାକୁରାଣୀ ଓ ବେଠିଆସାହି ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ଶ୍ରୀମନ୍ଦିରରୁ ମାଳମାହାର୍ଦ୍ଦ ଲାଗି କରାଯାଇଥିଲା। ମା’ବଡ଼ରାଉଳ ଠାକୁରାଣୀଙ୍କ ପାଖରେ ପୂଜା, ହୋମପାଠ କରାଯିବା ପରେ ରଥକାଠ ଅମିନ ଗଛ ଚିହ୍ନଟ କରାଯାଇଛି। ଏଥିପାଇଁ ନୟାଗଡ଼ ବନଖଣ୍ଡ ତରଫରୁ ଶ୍ରୀମନ୍ଦିରକୁ ନିମନ୍ତ୍ରଣ କରାଯାଇଥିଲା। ଗଣିଆର ବଡ଼ମୂଳଠାରେ ଶ୍ରୀମନ୍ଦିର କର୍ତ୍ତୃପକ୍ଷ ଆଜ୍ଞାମାଳ ଧରି ପହଂଚିଲା ପରେ ଘଂଟା, ଘଂଟ, ଖୋଳ କୀର୍ତ୍ତନ କରାଯାଇ ସେମାନଙ୍କୁ ବଡ଼ରାଉଳ ଠାକୁରାଣୀଙ୍କ ନିକଟକୁ ପାଛୋଟି ନିଆଯାଇଥିଲା। ହୁଳହୁଳି ହରିବୋଲ ଖୋଳତାଳ ବାଦ୍ୟରେ ପୀଠଟି ଏକ ଧାର୍ମିକ ପରିବେଶ ସୃଷ୍ଟି କରିଥିଲା। କାଠ କଟାଯାଇ ସରସ୍ୱତୀ ପୂଜା ପୂର୍ବରୁ ପ୍ରଥମ ପର୍ଯ୍ୟାୟ କାଠ ପୁରୀରେ ପହଂଚିବ। ଶ୍ରୀପଂଚମୀରେ ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠ ପୂଜାବିଧି କରାଯିବାର ପରମ୍ପରା ରହିଛି। ଶ୍ରୀାରାମ ନବମୀ ତିଥିରେ କଟକ ଖପୁରିଆ କରତ କଳରେ ରଥକାଠ ଚିରଟ ଅନୁକୂଳ କରାଯାଇ ଅକ୍ଷିତୃତୀୟାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ବିଧି ରହିଛି। ଏହି ପରିପ୍ରେକ୍ଷିରେ ଗତକାଲି ରାତିରେ ଶ୍ରୀମନ୍ଦିର ପ୍ରଶାସକ (ନୀତି) ଜିତେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ, ରଥକାଠ ଅମିନ ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦ୍ଦାର ରବି ଭୋଇଙ୍କ ସହ ପୁରୀରୁ ନୟାଗଡ଼ ଆଜ୍ଞାମାଳ ଆସିବା ପରେ ଆଜି ବଡ଼ମୂଳସ୍ଥିତ ମା’ ବଡ଼ରାଉଳଙ୍କ ପୂଜାର୍ଚ୍ଚନା କରାଯାଇ ରଥକାଠ ଅନୁକୂଳ କରାଯାଇଛି। ତିନିରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ ଅସନ, ଧଉରା ଓ ଫାସିକାଠର ଆବଶ୍ୟକତା ରହିଛି। ତେବେ ନୟାଗଡ଼ରୁ ୭୯୬ ଖଣ୍ଡ କାଠ ପଠାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସକ ନୟାଗଡ଼ ଡିଏଫଓଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏହି ରଥକାଠ ଅନୁକୂଳ ପର୍ବରେ ବନଖଣ୍ଡ ଅଧିକାରୀ ଏଚ୍ ଡି ଧନରାଜ୍‌ଙ୍କ ସମେତ ବନବିଭାଗର ବହୁ ଅଧିକାରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.