ନୂଆଦିଲ୍ଲୀ ୩୧ା୧୦ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଓଡିଆ ପୁଅ ତଥା ଗୁଜୁରାଟ କ୍ୟାଡର ଆଇଏଏସ ଅଫିସର ଗିରିଶ ଚନ୍ଦ୍ର ମୁର୍ମୁ ଆଜି ଠାରୁ ନୂତନ ଭାବେ ଗଠିତ ହୋଇଥିବା ଜାମ୍ମୁ-କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ପ୍ରଥମ ଉପରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ। ଜାମ୍ମୁ-କାଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଭାବେ ପୃଥକ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ଅନୁଯାୟୀ ବୁଧବାର ମଧ୍ୟରାତ୍ରୀରୁ ଆନୁଷ୍ଠାନିକ ଭାବେ ଜମ୍ମୁ ଓ କଶ୍ମୀର ଏବଂ ଲଦାଖକୁ ଦୁଇଟି ପୃଥକ୍ କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା କରାଯାଇଛି। ଜମ୍ମୁ ଓ କାଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପାଇଁ ଅଗଷ୍ଟ ୫ ତାରିଖରେ ପାର୍ଲାମେଣ୍ଟରେ ନିଷ୍ପତ୍ତି ନିଆଯାଇଥିଲା। ସେହିଦିନ ରାଜ୍ୟରୁ ୩୭୦ ଧାରା ଉଚ୍ଛେଦ ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା। ଆଜି ଗିରିଶ ଚନ୍ଦ୍ର ମୁର୍ମୁ ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ଭାବରେ ଶପଥ ନେବେ। ସେହିପରି ରାଧାକ୍ରିଷ୍ଣ ମାଥୁର୍ ଲଦାଖ୍ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳ ଭାବରେ ଶପଥ ଗ୍ରହଣ କରିବେ। ଗୃହମନ୍ତ୍ରାଳୟ ଜମ୍ମୁ ଓ କଶ୍ମୀରକୁ ରାଜ୍ୟରୁ ବଦଳାଇ ଜମ୍ମୁ ଓ କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିଛି ଏବଂ ସେଠାରୁ ସ୍ଥାୟୀ ବାସିନ୍ଦା ବା ବଂଶାନୁକ୍ରମିକ ବାସିନ୍ଦା ନୀତି ଉଚ୍ଛେଦ କରିଛି। ଏବେ ଉଭୟ କେନ୍ଦ୍ରଶାସିତ ଅଞ୍ଚଳରେ ଅନ୍ୟୂନ ୧୦୮ଟି ନୂତନ କେନ୍ଦ୍ରୀୟ ଆଇନ ଲାଗୁ ହେବ। ଆଜି ଅପରାହ୍ଣ ୧୨: ୩୦ ମିନିଟ୍ରେ ରାଜଭବନରେ ଆୟୋଜନ କରାଯାଉଥିବା ଶ୍ରୀନଗର ହାଇକୋର୍ଟର ମୁଖ୍ୟ ବିଚାରପତି ଗୀତା ମିତ୍ତଲ୍ ତାଙ୍କୁ ଶପଥ ପାଠ କରାଇବେ। ବର୍ତ୍ତମାନ ଦେଶର ରାଜ୍ୟ ସଂଖ୍ୟା ୨୮କୁ ଖସିଆସିଥିବାବେଳେ କେନ୍ଦ୍ରଶାସିତ ଅଞ୍ଚଳ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ସୁଚନାଯୋଗ୍ୟ-୧୯୫୯ମସିହା ନଭେମ୍ବର ୨୧ ଜନ୍ମ ଗ୍ରହଣ କରିଥିବା ଶ୍ରୀମୁର୍ମୁ ୧୯୮୫ ମସିହାରେ ଗୁଜୁରାଟ କ୍ୟାଡର ଆଇଏଏସ ଅଫିସର ଏବଂ ନରେନ୍ଦ୍ର ମୋଦୀ ଗୁଜରାତର ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ ଥିଲେ ତାଙ୍କ ମୁଖ୍ୟ ସଚିବ।
Home ଓଡ଼ିଶା ଓଡିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ ଜାମ୍ମୁ-କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ପ୍ରଥମ ଉପରାଜ୍ୟପାଳ ଭାବେ ନେବେ...