Home କେନ୍ଦୁଝର ପାନୀୟଜଳ ପ୍ରକଳ୍ପ ନାମରେ ଠିକାସଂସ୍ଥାର ରାସ୍ତାଖୋଳା, ରାସ୍ତା ପାଲଟିଲା ମରଣଯନ୍ତା

ପାନୀୟଜଳ ପ୍ରକଳ୍ପ ନାମରେ ଠିକାସଂସ୍ଥାର ରାସ୍ତାଖୋଳା, ରାସ୍ତା ପାଲଟିଲା ମରଣଯନ୍ତା

22

ହାଟଡିହି, ୨୩ । ୯ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ମେଗା ପାନୀୟଜଳ ପ୍ରକଳ୍ପ ନାମରେ ପାଇପ ବିଛାଇବା ପାଇଁ ଠିକାଦାର ମନଇଛା ରାସ୍ତା ଗୁଡିକ ଖୋଳି ଦେଉଥିବାରୁ ଅନେକ ସ୍ଥାନରେ ରାସ୍ତା ଗୁଡିକ ମରଣଯନ୍ତାରେ ପରିଣତ ହୋଇଯାଇଛି । ଯାହାଦ୍ୱାରା ଲୋକେ ଯାତାୟତ କ୍ଷେତ୍ରରେ ନାହିଁ ନଥିବା ଅର୍ସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ଗାଁ ଗହଳି ରାସ୍ତା ଗୁଡିକୁ ଖୋଳିପକାଇ ଥିବାରୁ ଅନେକ ନୁଆ ନୁଆ କାମ ହୋଇଥିବା କଂକ୍ରିଟ ଓ ପିଚୁରାସ୍ତା ଏବେ ନଷ୍ଟ ହୋଇଯାଇଛି । ଏଭଳି ଏକ ଶୋଚନୀୟ ଅବସ୍ଥା ଦେଖିବାକୁ ମିଳିଛି ଇଶଳା-ଧାନଘର ରାସ୍ତାରେ । ଗତ କିଛିମାସ ତଳେ ଏହି ରାସ୍ତାଟି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ କାମ ହୋଇ ସମ୍ପୁର୍ଣ୍ଣ ହୋଇଥିଲା । ଏହି ରାସ୍ତାରେ ଇଶଳା, ଧାନଘର, ଓସ୍ତପାଳ, ପରମାନନ୍ଦପୁର, ଭୁତପଦା, ଇଞ୍ଚୋଳ ପ୍ରଭୃତି ଗ୍ରାମର ଲୋକମାନେ ସୁରୁଖୁରୁରେ ଯାତାୟତ କରୁଥିଲେ । କିନ୍ତୁ ପାଇପ ବିଛାଇବା ନାମରେ ଠିକାଦାର ରାସ୍ତା କାଟିଦେବାପରେ ଏହାକୁ ଆଉ ଠିକ ଭାବେ ପୋତି ନଥିଲା । ନିୟମାନୁଯାଇ କଂକ୍ରିଟ ରାସ୍ତାକୁ ଖୋଳିଲେ କଂକ୍ରିଟ ଓ ପିଚୁ ରାସ୍ତାକୁ ଖୋଳିଲେ ପିଚୁ କରାଯିବାର ନିୟମ ଥିବାବେଳେ ତାହା ଏଠାରେ କାର୍ଯ୍ୟକାରୀ ହେଉନି । ଯାହାଦ୍ୱାରାକି ଏବେ ବର୍ଷାପରେ ଆଉ ସେହି ରାସ୍ତାରେ ଯାତାୟତ ସମ୍ଭବ ହୋଇପାରୁନି । କେତେକ ସ୍ଥାନରେ ବାଲିବସ୍ତା ପକାଇ ଚାରିଚକିଆ ଗାଡି ଗୁଡିକ ଯାତାୟତ କରୁଛନ୍ତି । ଏପରିକି ରାସ୍ତାର ଏହି ସ୍ଥାନରେ ଅନେକ ସ୍କୁଲ ଛାତ୍ରଛାତ୍ରୀ ସାଇକେଲରୁ ପଡି ଆହତ ମଧ୍ୟ ହୋଇଛନ୍ତି । କେନ୍ଦୁଝର ଜିଲ୍ଲାପାଳ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ରାସ୍ତା ନିର୍ମାଣ ଲାଗି ଠିକାସଂସ୍ଥାକୁ ନିର୍ଦ୍ଦେଶ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.