Home ଜିଲ୍ଲା ପରିକ୍ରମା ପାଣ୍ଡିଆନଙ୍କ ଭଦ୍ରକ ଗସ୍ତ ଏକ ନିର୍ବାଚନୀ ଧୁଆଁବାଣ, ଭଦ୍ରକ ଜିଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ପାଣ୍ଡିଆନଙ୍କ ଭଦ୍ରକ ଗସ୍ତ ଏକ ନିର୍ବାଚନୀ ଧୁଆଁବାଣ, ଭଦ୍ରକ ଜିଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

7

ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଓଡ଼ିଶା ରାଜ୍ୟ ସରକାରଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ତଥା ବିଜୁ ଜନତା ଦଳର ନେତା ଭି.କେ. ପାଣ୍ଡିଆନ ଭଦ୍ରକ ଜିଲାର ଭଣ୍ଡାରିପୋଖରୀ ଓ ଧାମନଗର ଗସ୍ତ କାର୍ଯ୍ୟକ୍ରମକୁ ଭଦ୍ରକ ଜିଲା କଂଗ୍ରେସ କମିଟି ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ସନ୍ଧ୍ୟାରେ ଜିଲା କଂଗ୍ରେସ କାର୍ଯ୍ୟାଳୟରେ କଂଗ୍ରେସ ପ୍ରଦେଶ କମିଟିର ଜିଲା ମିଡିଆ ଓ କମ୍ୟୁନିକେଶନ ସେଲର ଅଧ୍ୟକ୍ଷ ଶୁଭେନ୍ଦୁ ରାୟ ମହାପାତ୍ର ଗଣମାଧ୍ୟମ ଜରିଆରେ ଶ୍ରୀ ପାଣ୍ଡିଆନଙ୍କୁ ୭ ଦଫା ସମ୍ବଳିତ ପ୍ରଶ୍ନ ଉତ୍ଥାପନ କରି ତାର ଉତ୍ତର ଜିଲାବାସୀଙ୍କ ସମ୍ମୁଖରେ ସେ ରଖିବାକୁ ଦାବି କରିଛନ୍ତି । ଶ୍ରୀ ମହାପାତ୍ରଙ୍କ ସୂଚନା ଅନୁସାରେ ଚିରନ୍ତନ ବନ୍ୟା ଦାଉରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାରଙ୍କ କ୍ୟାବିନେଟ୍ ୨୦୨୨ ସେପ୍ଟେମ୍ବର ୨୨ ରେ କୋଚିଳା ଓ ବୈତରଣୀ ନଦୀ ଉପରେ ଇନଷ୍ଟ୍ରିମ୍ ଷ୍ଟୋରେଜ ଷ୍ଟ୍ରକଚର (ବ୍ୟାରେଜ) ଧାମନଗର ବ୍ଲକ୍ ଅନ୍ତର୍ଗତ କୁଟୁରିଆ ଓ ଯାଜପୁର ଅନ୍ତର୍ଗତ ଧୋବାବିଲ ଠାରେ ନିର୍ମାଣ କରିବା ପାଇଁ ମଂଜୁର ପ୍ରଦାନ କରିଥିଲେ । ଏହି ଦୁଇଟି ପ୍ରକଳ୍ପ ୨୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ସ୍ଥିର କରାଯାଇ ୩୦ ମାସ ମଧ୍ୟରେ ସଂପୂର୍ଣ୍ଣ କରାଯିବାର ନିଷ୍ପତ୍ତି ନିଆଯାଇଥିଲା । ଯାହା ଆଜିପର୍ଯ୍ୟନ୍ତ ଆରମ୍ଭ କରାଯାଇନାହିଁ । ସେହିଭଳି ଗତ ୨୪ ବର୍ଷ ଶାସନ କାଳରେ ବୈତରଣୀ ନଦୀର ବାମପାଶ୍ୱର୍ ବନ୍ଧ ପାଇଁ ଫ୍‌ଲଡ୍ ଡେମେଜ୍ ରିପ୍ୟାରିଂ (ଫଡିଆର) ଏମ୍‌ବାକମେଣ୍ଟ ପ୍ରୋଟେକସନ, ରିହାବିଲେସନ, ରିଲିଫ୍ ଓ କ୍ରପ୍ ଲସ୍ ବାବଦକୁ ୬୦୦ କୋଟି ଟଙ୍କା ଲୁଟ୍‌ର ଏକ ମାଧ୍ୟମ ସାଜିଛି । ରାଜ୍ୟ ସରକାର ଏହି ସମୟ କାଳ ମଧ୍ୟରେ ଖର୍ଚ୍ଚ ହୋଇଥିବା ସମସ୍ତ ଅର୍ଥ ଉପରେ ଏକ ଶ୍ୱେତପତ୍ର ପ୍ରକାଶ କରିବାକୁ ସେ ଦାବି କରିଛନ୍ତି ।

ଯାଜପୁର ଜିଲା ଅଧୀନସ୍ଥ ବୈତରଣୀ ନଦୀର ଡାହାଣ ପାଶ୍ୱର୍ ନଦୀବନ୍ଧକୁ କ୍ୟାପିଟାଲ ଏମବାକମେଣ୍ଟରେ ପରିଣତ କରିବା ଓ ଭଦ୍ରକ ପଟ ନଦୀବନ୍ଧକୁ ଟେଷ୍ଟ ରିଲିଫ୍ ଏମ୍ବାକମେଣ୍ଟ (ଟିଆରଇ) ରେ ପକାଇ ରଖିବା, ଜିଲା ଭିତରେ ପାତର ଅନ୍ତର ହୋଇଥିବାବେଳେ ବୈତରଣୀ ନଦୀର ବନ୍ୟା ବିଭୀଷିକା ସର୍ବାଧିକ ଭଦ୍ରକ ଜିଲାବାସୀ ଯୁଝୁଥିବାବେଳେ ଭଣ୍ଡାରିପୋଖରୀ ଓ ଧାମନଗରର ଇରିଗେସନ ଡିପାର୍ଟମେଣ୍ଟ ଆଜିପର୍ଯ୍ୟନ୍ତ ଯାଜପୁର ଜିଲା ଇରିଗେସନ ଡିଭିଜନ ଅନ୍ତର୍ଭୁକ୍ତ କାହିଁକି ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିଭଳି ବୈତରଣୀ ନଦୀର ବାମପାଶ୍ୱର୍ ନଦୀବନ୍ଧରେ ତିଆରି କରାଯାଇଥିବା ଏସକେପ୍‌ଗୁଡିକ ନୋ ପତି ଯାଜପୁର ଜିଲା ଆଡକୁ ଥିବା ଡାହାଣ ପାଶ୍ୱର୍ ନଦୀବନ୍ଧକୁ କ୍ୟାପିଟାଲ ଏମବାକମେଣ୍ଟରେ ପରିଣତ କରିବା ଓ ସୁଦୃଢ କରାଇବା, ରାଜ୍ୟ ସରକାରଙ୍କର ଭଦ୍ରକ ଜିଲା ପ୍ରତି ଥିବା ପାତର ଅନ୍ତର ନୀତିକୁ ଦର୍ଶାଇବା ସହ ଜିଲା ବିଜେଡିର ନେତାଙ୍କ ପାରିବା ପଣିଆକୁ ପଦାରେ ପକାଇଛି । ଭଦ୍ରକ ଜିଲା ଆଡକୁ ତିଆରି କରାଯାଇଥିବା ଏସକେପ ବାଟ ଦେଇ ବନ୍ୟାଜଳ ଜନବସତିକୁ ଅହେତୁକ କ୍ଷତି ପହଞ୍ଚାଉଛି । ଯାଜପୁର ବାସୀଙ୍କୁ ନିରାପଦରେ ରଖିବା ଓ ଭଦ୍ରକବାସୀଙ୍କୁ ବନ୍ୟାପ୍ଲାବିତ କରିବା ପଛରେ ଥିବା କାରଣ ପାଣ୍ଡିଆନ ଦେବାକୁ ସେ କହିଛନ୍ତି । ବନ୍ୟାଜଳକୁ ନିଷ୍କାସନ କରିବା ପାଇଁ ନିର୍ମାଣ କରାଯାଇଥିବା ଏସକେପ୍ ଗୁଡିକର ଉଚ୍ଚତା ବୃଦ୍ଧି ନକରିବା ଓ ବନ୍ୟା ସମୟରେ ଜନସାଧାରଣଙ୍କ ସୁବିଧା ନିମନ୍ତେ ଏସକେପ୍ ଗୁଡିକ ଉପରେ ଫୁଟ୍ ବ୍ରିଜ୍ ନିର୍ମାଣ ନକରାଇବା ପଛରେ ଯେଉଁ ଉଦ୍ଦେଶ୍ୟ ରହିଛି, ତାହା କହିବାକୁ ସେ ଦାବି ଉତ୍ଥାପନ କରିବା ସହ ଆବାହମାନ କାଳରୁ ବୈତରଣୀ ନଦୀର ବନ୍ୟା ବିଭୀଷିକାରେ ଭଦ୍ରକ ଜିଲାର ଭଣ୍ଡାରିପୋଖରୀ ଓ ଧାମନଗର, ତିହିଡି ଓ ଚାନ୍ଦବାଲି ବ୍ଲକ୍‌ର ଲକ୍ଷ ଲକ୍ଷ ଲୋକଙ୍କ ଧନଜୀବନ , ଚାଷ ଓ ପଶୁସଂପଦ ହରାଇ ଆସୁଛନ୍ତି ।

୨୪ ବର୍ଷ ଅର୍ଥାତ୍ ପ୍ରାୟ ଏକ ଯୁଗ ଧରି ସରକାର ଚଳାଉଥିବା ବିଜୁ ଜନତା ଦଳ ଏହି ୪ଟି ବ୍ଲକ୍‌ର ସାମାଜିକ ଓ ଅର୍ଥନୈତିକ ସର୍ଭେକ୍ଷଣ କରି ଆଜିପର୍ଯ୍ୟନ୍ତ କୌଣସି ଆର୍ଥିକ, ରାଜନୈତିକ ଓ ସାମାଜିକ ଅଗ୍ରାଧିକାର ଦେଇଛି କି ବୋଲି ସେ ପ୍ରଶ୍ନ କରିଛନ୍ତି । କ୍ରମଶଃ ପୋତିହୋଇ ପଡୁଥିବା ବୈତରଣୀ ନଦୀର ଜଳଧାରଣ କ୍ଷମତା ବଢାଇବା ପାଇଁ ରାଜ୍ୟ ସରକାର ନିଜେ ବା ସେଣ୍ଟ୍ରାଲ ୱାଟର କମିଶନଙ୍କ ସହିତ କୌଣସି ପ୍ରକଳ୍ପ ଉପରେ ଖନନ ଓ ପ୍ରସ୍ତୁତି ଆରମ୍ଭ କରିଛନ୍ତି କି ଓ ବୈତରଣୀ ନଦୀର ଜଳ ସଂପଦକୁ ଆୟୁଧ କରି ଭଦ୍ରକ ଜିଲାରେ ବୃହତର ଜଳସେଚନ ପ୍ରକଳ୍ପ ପରିକଳ୍ପନା ଏପର୍ଯ୍ୟନ୍ତ କରାଯାଇନାହିଁ । ଏଣୁ ଜିଲାବାସୀ ଶ୍ରୀ ପାଣ୍ଡିଆନଙ୍କ ଏହି ଭୋଟ୍ ଭିକ୍ଷା କରିବା ଉଦ୍ଦେଶ୍ୟରେ କରାଯାଇଥିବା ଏବଂ ବୈତରଣୀ ନଦୀବନ୍ଧ ପରିଦର୍ଶନ କାର୍ଯ୍ୟକ୍ରମକୁ ଏକ ନିର୍ବାଚନୀ ଧୂଆଁବାଣ ବୋଲି ବିବେଚନା କରିଛନ୍ତି । ଭାରତୀୟ ଜାତୀୟ କଂଗ୍ରେସ ଦଳ ପାଣ୍ଡିଆନଙ୍କ ଏହି କାର୍ଯ୍ୟକ୍ରମକୁ ବିରୋଧ କରିବା ସହିତ ଲକ୍ଷ ଲକ୍ଷ ଲୋକଙ୍କର ବନ୍ୟା ଜନିତ ସ୍ଥାୟୀ ପ୍ରତିକାର କରିବା ନିମନ୍ତେ ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳକୁ ସହଯୋଗ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ମହିଳା କଂଗ୍ରେସର ସାଧାରଣ ସଂପାଦିକା ଅମିତାବାଳା ଆଚାର୍ଯ୍ୟ, ଧାମନଗର ବ୍ଲକ୍ କଂଗ୍ରେସ କମିଟି ସଭାପତି ରମେଶ ବେହେରା, ଏବଂ ଧାମନଗର ବିଧାନସଭା ୟୁଥ୍ କଂଗ୍ରେସର ଆଲୋକ ସ୍ୱାଇଁ, ଭଦ୍ରକର ବିଧାନସଭା ନଗର କଂଗ୍ରେସ ସଭାପତି ସୁଶାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.