Home ଆନ୍ତର୍ଜାତୀୟ ପାକିସ୍ଥାନରୁ ନିମନ୍ତ୍ରଣ: ସିଦ୍ଧୁ କଲେ ସ୍ୱୀକାର

ପାକିସ୍ଥାନରୁ ନିମନ୍ତ୍ରଣ: ସିଦ୍ଧୁ କଲେ ସ୍ୱୀକାର

288

ନୂଆଦିଲ୍ଲୀ: ପାକିସ୍ଥାନରୁ ନିମନ୍ତ୍ରଣ ଆସିଛି କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ପାଖକୁ।ନଭେମ୍ୱର ମାସରେ ପାଳନ ହେଉଛି ଗୁରୁ ନାନକଙ୍କ ୫୫୦ ତମ ଜୟନ୍ତୀ।ପାକିସ୍ଥାନର କରତାରପୁର ସ୍ଥିତ ଗୁରୁଦ୍ୱାର ଦରବାର ସାହିବରେ ଏହି ଉପଲକ୍ଷେ ହେବ ବ୍ୟାପକ କାର୍ଯ୍ୟକ୍ରମ।ଭାରତ ଏବଂ ପାକିସ୍ଥାନ ଦ୍ୱାରା ନିର୍ମିତ କରତାରପୁର କରିଡର୍ ଭାରତୀୟ ଶ୍ରଦ୍ଧାଳୁ ମାନଙ୍କ ପାଇଁ ନଭେମ୍ବର ୯ ତାରିଖରେ ଖୋଲାଯିବ।୯ ତାରିଖରେ ହେବ ଏହାର ଉଦ୍ଘାଟନୀ କାର୍ଯ୍ୟକ୍ରମ।ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମକୁ ପାକିସ୍ଥାନ ନିମନ୍ତ୍ରଣ କରିଛି ନବଜୋତ ସିଂହ ସିଦ୍ଧୁଙ୍କୁ।ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ନିର୍ଦ୍ଦେଶରେ ସିନେଟର ଫେସଲ ଜାବେଦ ଖାନ ଫୋନରେ ସିଦ୍ଧୁଙ୍କ ସହ କଥା ହୋଇ ତାଙ୍କୁ ନିମନ୍ତ୍ରଣ କରିଛନ୍ତି।ସିଦ୍ଦୁ ମଧ୍ୟ ନିମନ୍ତ୍ରଣ ସ୍ୱୀକାର କରିଥିବା ସୂଚନା ମିଳିଛି।କିନ୍ତୁ, ସିଦ୍ଧୁଙ୍କ କାର୍ଯ୍ୟାଳୟର ଜଣେ କର୍ମଚାରୀ କହିଛନ୍ତି, କାର୍ଯ୍ୟାଳୟକୁ ସେପରି କୌଣସି ନିମନ୍ତ୍ରଣ ଆସିନାହିଁ।ସିଦ୍ଧୁ ଏବେ ମାତା ବୈଷ୍ଣବ ଦେବୀଙ୍କ ଯାତ୍ରାରେ ଯାଇଛନ୍ତି।ତାଙ୍କ ସହ ଏବେ ସଂପର୍କ କରିହେବ ନାହିଁ।ସୂଚନାଯୋଗ୍ୟ ଯେ ସିଦ୍ଧୁ ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ଶପଥ ଗ୍ରହଣ ଉତ୍ସବକୁ ଯାଇଥିଲେ।କାର୍ଯ୍ୟକ୍ରମ ସମୟରେ ସିଦ୍ଧୁ ପାକିସ୍ଥାନ ସେନା ମୁଖ୍ୟଙ୍କୁ ଆଲିଙ୍ଗନ କରିଥିଲେ।ଏହାକୁ ନେଇ ବିପକ୍ଷ ସିଦ୍ଧୁଙ୍କୁ ସମାଲୋଚନା କରିଥିଲା।ନିଜେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରେନ୍ଦ୍ର ସିଂହ (କଂଗ୍ରେସ) ମଧ୍ୟ ଏହାକୁ ବିରୋଧ କରିଥିଲେ।

କଂଗ୍ରେସ ପ୍ରତିନିଧି ମଣ୍ଡଳ ଯିବ କରତାରପୁର ସାହିବ; ସିଦ୍ଧୁଙ୍କ ନାଁ ନାହିଁ : –
ସୂଚନା ଅନୁଯାୟୀ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳ ପାକିସ୍ଥାନ ସ୍ଥିତ କରତାରପୁର ସାହିବ ଯିବ।ଏହି ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମେତ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରେନ୍ଦ୍ର ସିଂହ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଆରପିଏନ ସିଂହ, ଆଶା କୁମାରୀ, ରଣଦୀପ ସୁରଜେବାଲା, ଦିପେନ୍ଦ୍ର ହୁଡ୍ଡା ଏବଂ ଜିତେନ୍ଦ୍ର ପ୍ରସାଦଙ୍କ ନାମ ଥିବା ଜଣାପଡ଼ିଛି।ସିଦ୍ଧୁଙ୍କ ନାମ ଏଥିରେ ଉଲ୍ଲେଖ ନାହିଁ।ଏବେ କିନ୍ତୁ ପାକିସ୍ଥାନ ନିମନ୍ତ୍ରଣ କରିଛି ସିଦ୍ଧୁଙ୍କୁ।ଏହାକୁ ନେଇ ବିଜେପି ସିଦ୍ଧୁଙ୍କୁ ସମାଲୋଚନା କରିବା ସହ ସିଦ୍ଧୁ ପ୍ରୋ-ପାକିସ୍ଥାନୀ ବୋଲି କହିଛନ୍ତି ବିଜେପି ନେତା ଅନିଲ ବିଜ୍।ସୂଚନାଯୋଗ୍ୟ ଯେ ନଭେମ୍ବର ୯ ତାରିଖରେ ଏହାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ।ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ମଧ୍ୟ ସେହି ଦିନ ତାଙ୍କ ହିସାବରେ ଉଦ୍ଘାଟନ କରିବେ।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.