Home ଜିଲ୍ଲା ପରିକ୍ରମା ପଶୁଙ୍କ ପ୍ରେମରେ ଅଂଜନ : ଲକଡାଉନ୍ ଆରମ୍ଭରୁ ରାତିରେ ବୁଲି ବାଣ୍ଟୁଛନ୍ତି ଖାଦ୍ୟ

ପଶୁଙ୍କ ପ୍ରେମରେ ଅଂଜନ : ଲକଡାଉନ୍ ଆରମ୍ଭରୁ ରାତିରେ ବୁଲି ବାଣ୍ଟୁଛନ୍ତି ଖାଦ୍ୟ

109

ଭଦ୍ରକ, ୨୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲକଡାଉନ୍ ସହରର ନିର୍ଜନ ରାତି । ପୁଲିସ୍ ଗାଡି ଓ ଆମ୍ବୁଲାନ୍ସର ସାଇରନ ନୀରବ ପରିବେଶକୁ ଭୟଙ୍କର ଗଢି ତୋଳିଥାଏ । ଠିକ୍ ଏତିକିବେଳେ କୌଣସି ଜଣେ ବ୍ୟକ୍ତି ସ୍କୁଟିରେ ଆସନ୍ତି । ମୁହଁରେ ମାସ୍କ । ବିଭିନ୍ନ ଛକ ସ୍ଥାନ ମାନଙ୍କରେ କୁକୁରଙ୍କ ପାଇଁ ପତ୍ରରେ ବାଢି ଦିଅନ୍ତି କିଛି ଖାଦ୍ୟ । ତା ପରେ ସେ ସ୍ଥାନ ଛାଡି ଚାଲିଯାଆନ୍ତି । ଏମିତି କିଛି ଦୃଶ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଥିଲା । କିନ୍ତୁ ତାଙ୍କର ପରିଚୟ ଜାଣି ହେଉନଥିଲା । କିନ୍ତୁ ଲକଡାଉନ୍ କଟକଣା କୋହଳ ହେବା ପରେ ଚଳଚଞ୍ଚଳ ହୋଇଛି ବଜାର । ଆଉ ଏହି ଅଜଣା ବ୍ୟକ୍ତିଙ୍କ ପରିଚୟ ସଂପର୍କରେ ଜଣାପଡିଛି । ସେ ହେଲେ ବାଲେଶ୍ୱର ଜିଲା ସୋର ନିକଟବର୍ତ୍ତୀ ଗୁହାରିଆ ସାହିର ଅଂଜନ କୁମାର ମହାନ୍ତି । ୬ ମାସ ପୂର୍ବେ ଜୀବନ ବୀମା ନିଗମ କାର୍ଯ୍ୟାଳୟରୁ ଅବସର ଗ୍ରହଣ କରିଥିବା ଅଂଜନ ଏବେ ନିଜର ପତ୍ନୀ ଓ ଏକମାତ୍ର ପୁତ୍ର ସହ ଅପର୍ତ୍ତିବିନ୍ଧା ନ୍ୟୁ କଲୋନୀର ନିଜର ନୂତନ ଘରେ ରହିବା ସହ ନିଜର ମାର୍ବଲ ବିଜିନେସ୍ ଚଳାଉଛନ୍ତି । ମାର୍ଚ୍ଚ ମାସ ଶେଷ ସପ୍ତାହରୁ ଆଜିପର୍ଯ୍ୟନ୍ତ ଏପରି କରି ଚାଲିଛନ୍ତି ଅଂଜନ । ରାତି ୧୦ ବାଜିଲେ ସ୍କୁଟି ଧରି ଘରୁ ବାହାରନ୍ତି । ଆଗରେ ଥାଏ ୩ଟି ବଡ ବ୍ୟାଗ୍ । ଦୁଇଟି ବ୍ୟାଗ୍‌ରେ ୧୪ କେଜି ଚାଉଳର ଭାତ ଓ ଅନ୍ୟଟିରେ ୨ କେଜିର ମାଛ ତରକାରୀ । ଏଥିସହିତ କିଛି ପତ୍ର ମଧ୍ୟ । ସ୍କୁଟି ଡିକିରେ ଥାଏ କିଛି ବିସ୍କୁଟ । ମହତାବ ଷ୍ଟେଚ୍ୟୁ ଠାରୁ ଆରମ୍ଭ ହୁଏ ବୁଲା କୁକୁରଙ୍କୁ ଖାଦ୍ୟ ବାଣ୍ଟିବା । ଶେଷ ହୁଏ ରାଜଘାଟ ଛକରେ । ଏହି ସମୟରେ ପ୍ରାୟ ୨ ଶହ କୁକୁରଙ୍କୁ ଖାଦ୍ୟ ଦେଇଥାଆନ୍ତି ଅଂଜନ । ବୁଲା ଗୋରୁ ଓ ଷଣ୍ଢଙ୍କୁ ମଧ୍ୟ ଭାତ ଦେଇଥାଆନ୍ତି । ୨ ଘଣ୍ଟାର ଏତକ କାମ ପରେ ପୁଣି ଫେରିଆସନ୍ତି ଅଂଜନ ନିଜ ଘରକୁ । କେବଳ କୁକୁର ନୁହେଁ, ବିଲେଇଙ୍କ ପ୍ରତି ମଧ୍ୟ ରହିଛି ତାଙ୍କର ଅପୂର୍ବ ଦୁର୍ବଳତା । ଘରେ ଅଛନ୍ତି ୩୨ ଟି ବିଲେଇ । ନିଜ ଘରର ତୃତୀୟ ମହଲାକୁ ଭଡା ନଲଗାଇ ସେ ଏହି ବିଲେଇଙ୍କ ପାଇଁ ଛାଡି ଦେଇଛନ୍ତି । ବର୍ତ୍ତମାନ ମଣିଷ ବସ୍ତୁବାଦୀ ହୋଇପଡିଛି । ସମସ୍ତେ ନିଜ ସ୍ୱାର୍ଥ ପଛରେ ଧାଉଁଛନ୍ତି । ଏଥିରେ କୌଣସି ଭୁଲ୍ ନାହିଁ । ତଥାପି ଆମେ ଏହି ପଶୁଜାତି ପ୍ରତି ସମ୍ବେଦନଶୀଳ ହେବାରେ କ୍ଷତି ମଧ୍ୟ କିଛି ନାହିଁ ବୋଲି କୁହନ୍ତି ଅଂଜନ । ଲକଡାଉନ୍ ସମୟର ସବୁ ଦୋକାନ ବଜାର ବନ୍ଦ ଥିଲାବେଳେ ପୌରକର୍ତ୍ତୃପକ୍ଷ ବୁଲା କୁକୁରଙ୍କୁ ଖାଇବାକୁ ଦେଇ ଫଟୋ ଉଠାଇ ଟ୍ୟୁଟରରେ ପୋଷ୍ଟ କରି ଆସୁଥିବାବେଳେ, ଅଂଜନଙ୍କ ଏପରି ନୀରବ ପଶୁପ୍ରେମ ନିଶ୍ଚିତ ନିଆରା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.