Home Top News “ପରୀକ୍ଷା ପେ ଚର୍ଚ୍ଚା”ରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ୍ ଆଲୋଚନା :...

“ପରୀକ୍ଷା ପେ ଚର୍ଚ୍ଚା”ରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ୍ ଆଲୋଚନା : ବିନା ଚାପରେ ପରୀକ୍ଷାକୁ ଉତ୍ସବରେ ପରିଣତ କର- ପ୍ରଧାନମନ୍ତ୍ରୀ

24

ପ୍ରଧାନମନ୍ତ୍ରୀଙ୍କ ବହୁମୂଲ୍ୟ ବାର୍ତ୍ତା ପିଲାଙ୍କ ଆତ୍ମବିଶ୍ୱାସକୁ ବଢ଼ାଇବ – ଧର୍ମେନ୍ଦ୍ର ପ୍ରଧାନ

– ନିଜର ବହୁମୂଲ୍ୟ ସମୟ ବାହାର କରି ଯୁବପିଢ଼ିଙ୍କୁ ମାର୍ଗଦର୍ଶନ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ
– “ପରୀକ୍ଷା ପେ ଚର୍ଚ୍ଚା” କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ, ମହାମହିମ ରାଜ୍ୟପାଳ, ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଶିକ୍ଷା ସମାଜର ଜନସାଧାରଣଙ୍କୁ ଧନ୍ୟବାଦ
– ଏକବିଂଶ ଶତାବ୍ଦୀର ଆକାଂକ୍ଷାକୁ ପୂରଣ କରିବା ପାଇଁ ପ୍ରେରିତ କରିବ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା
– ପ୍ରଧାନମନ୍ତ୍ରୀଙ୍କ ବାଲ୍ୟ ଜୀବନକୁ ନେଇ ନିର୍ମିତ ପ୍ରାମାଣିକ ଚଳଚ୍ଚିତ୍ର ‘ଚଲୋ ଜିତେ ହେଁ’ ଦେଖିବାକୁ ପରାମର୍ଶ
– ପିଲାଙ୍କୁ ଆତ୍ମବିଶ୍ୱାସକୁ ବଢ଼ାଇବା ପାଇଁ ଘରର ମୁଖିଆ ଭାବରେ ପ୍ରଧାନମନ୍ତ୍ରୀ ପରୀକ୍ଷା ପେ ଚର୍ଚ୍ଚାକୁ ସମ୍ବୋଧନ କରିବା ଗୌରବର ବିଷୟ

ନୂଆଦିଲ୍ଲୀ/ଭୁବନେଶ୍ୱର, ଏପ୍ରିଲ ୦୧ (ଓଡ଼ିଆ ପୁଅ) – ନୂଆଦିଲ୍ଲୀର ତାଲକଟୋରା ଷ୍ଟାଡ଼ିୟମରେ ଶୁକ୍ରବାର ଆୟୋଜିତ “ପରୀକ୍ଷା ପେ ଚର୍ଚ୍ଚା”ର ପଂଚମ ସଂସ୍କରଣରେ ସମବେତ ଛାତ୍ରଛାତ୍ରୀ ମାନଙ୍କୁ ବିନା ଚାପରେ ପରୀକ୍ଷାକୁ ଏକ ଉତ୍ସବରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପାଠପଢ଼ାର ମାଧ୍ୟମ ସମସ୍ୟା ନୁହେଁ। ପାଠପଢା ଉପରେ ମନୋନିବେଶ କରିବା ଗୁରୁତ୍ୱପୂର୍ଣ୍ଣ। ଅଫ୍‌ଲାଇନ୍‌ରେ ଓ ଅନ୍‌ଲାଇନ୍ ମାଧ୍ୟମରେ ଏକାପାଠ ପଢ଼ାଯାଏ। ଏହାର ଅର୍ଥ ମାଧ୍ୟମ ସମସ୍ୟା ନୁହେଁ। ବିଷୟବସ୍ତୁ ପ୍ରତି ମନୋନିବେଶ କରାଗଲେ ପାଠ ଧରିବାରେ ପାର୍ଥକ୍ୟ ରହିବ ନାହିଁ। ଅନ୍‌ଲାଇନ୍ ଶିକ୍ଷା ଜ୍ଞାନ ଆହରଣ ପାଇଁ ନୀତି ଉପରେ ପର୍ଯ୍ୟବେସିତ ଏବଂ ଅଫ୍‌ଲାଇନ୍ ଶିକ୍ଷା ଜ୍ଞାନ ଆହରଣ ଓ ପ୍ରୟୋଗ ଆଧାରିତ ହୋଇଥାଏ। ତେଣୁ ଟେକ୍ନୋଲୋଜିକୁ ଚ୍ୟାଲେଞ୍ଜ ଭାବରେ ନୁହେଁ, ସୁଯୋଗରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ସେହିପରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ “ପରୀକ୍ଷା ପେ ଚର୍ଚ୍ଚା”ର ପଂଚମ ସଂସ୍କରଣରେ ଦେଶ ବିଦେଶର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ଓ ଶିକ୍ଷା ପରିବାରର କୋଟି କୋଟି ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଜ୍ଞତା, ମନ୍ତ୍ର ଓ ବହୁମୂଲ୍ୟ ବାର୍ତ୍ତା ପିଲାଙ୍କ ଆତ୍ମବିଶ୍ୱାସକୁ ବଢ଼ାଇବ ଏବଂ ଅନ୍ୟ ସମସ୍ତଙ୍କୁ ନୂତନ ଶିକ୍ଷା ନୀତି ୨୦୨୦ ଆଧାରରେ ଏକବିଂଶ ଶତାବ୍ଦୀର ଆକାଂକ୍ଷାକୁ ପୂରଣ କରିବା ଦିଗରେ କାମ କରିବା ପାଇଁ ପ୍ରେରିତ କରିବ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ନିଜର ବହୁମୂଲ୍ୟ ସମୟ ବାହାର କରି ଏକ ସୁଦୃଢ଼ ଆତ୍ମନିର୍ଭର ଭାରତର ସ୍ତମ୍ଭ ଯୁବପିଢ଼ିଙ୍କୁ ଆଶୀର୍ବାଦ ଦେବା ସହ ମାର୍ଗଦର୍ଶନ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ। ପ୍ରଧାନମନ୍ତ୍ରୀଙ୍କ ଉତ୍ସାହପୂର୍ଣ୍ଣ ବାର୍ତ୍ତା ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ୱାସକୁ ଦୃଢ଼ କରିବା ସହ ଆଗକୁ ବଢ଼ିବାରେ ସହାୟକ ହେବ, ଏଥିରେ କୌଣସି ଦ୍ୱିମତ ନାହିଁ। ସେହିପରି କାରାକୋରମରୁ କନ୍ୟାକୁମାରୀ ଏବଂ କଚ୍ଚରୁ କୋହିମା ପର୍ଯ୍ୟନ୍ତ ଏହି ପରୀକ୍ଷା ପେ ଚର୍ଚ୍ଚାରେ ଦେଶ ବିଦେଶରୁ ଭାଗ ନେଇଥିବା ଏବଂ ଏହାକୁ ବଡ଼ ସଫଳ କାର୍ଯ୍ୟକ୍ରମରେ ପରିଣତ କରିଥିବାରୁ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ, ମହାମହିମ ରାଜ୍ୟପାଳ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚାର ପଂଚମ ସଂସ୍କରଣରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସ୍ୱାଗତ ଅଭିଭାଷଣରେ କହିଛନ୍ତି ଯେ ଆଜି ଅତ୍ୟନ୍ତ ଖୁସି ଓ ଗୌରବର ବିଷୟ। ଆମର ସମସ୍ତଙ୍କୁ ମାର୍ଗଦର୍ଶନ କରିବା ପାଇଁ ଦେଶର ନୂଆପିଢିଙ୍କ ଆଶୀର୍ବାଦ ଦେବା ପାଇଁ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଉପସ୍ଥିତ ହୋଇଛନ୍ତି। ପରୀକ୍ଷା ପେ ଚର୍ଚ୍ଚାର ଚତୁର୍ଥ ସଂସ୍କରଣ ମହାମାରୀ କରୋନା କାରଣରୁ ପ୍ରତ୍ୟକ୍ଷ ଭାବେ ଅନୁଷ୍ଠିତ ହୋଇପାରିନଥିଲା। ଆଜି ବଡ ଖୁସିର ଦିନ ଭାରତ ସମେତ ବିଶ୍ୱର ନାଗରିକମାନେ କରୋନାକୁ ପରାଜୟ କରିଛନ୍ତି। ଭାରତ ଆଜି ଟିକାରରଣରେ ୧ ନମ୍ବର ଦେଶ ହୋଇଛି। କିଶୋରୀଙ୍କୁ ବି କରୋନା ଟିକା ଦିଆଯାଉଛି। ଏହା ଦେଶର ସାମୂହିକ ଜନଶକ୍ତିର ପରିଚାୟକ। ଏହା ଜନଆନ୍ଦୋଳନ, ଏହା ହିଁ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ର ‘ସବକା ସାଥ୍ ସବକା ବିକାଶ’ର ମୂର୍ତିମନ୍ତ ରୂପ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍କୁଲ ଘଂଟି ପୁଣି ଥରେ ବାଜିବା ଆରମ୍ଭ ହୋଇଛି। ଘରୁ ପିଲାମାନେ ବାହାରି ସ୍କୁଲ ବସ, ସାଇକେଲରେ ବିଦ୍ୟାଳୟ ଯିବା ଆରମ୍ଭ କରି ସାରିଛନ୍ତି। ଦେଶ ସ୍ୱାଭାବିକ ଆଡ଼କୁ ଗତିଶୀଳ ହେଉଛି। ଆମେ ସମସ୍ତେ ଅମୃତ କାଳରେ ପହଁଚିଛୁ। ଦେଶ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଥିବା ବେଳେ ଆଜି ପ୍ରତ୍ୟକ୍ଷ ଭାବରେ ଶିକ୍ଷା ଜଗତର ପରୀକ୍ଷା ପେ ଚର୍ଚ୍ଚା ଆୟୋଜନ କରାଯାଇଛି। ଆମେ ଜୀବନରେ ସମସ୍ତ ଲୋକମାନେ ପରୀକ୍ଷା ଦେଇଛୁ। ଆଜିର ପିଢି ପରୀକ୍ଷା ପାଇଁ ପ୍ରସ୍ତୁତ ଅଛନ୍ତି। ପରୀକ୍ଷାକୁ ନେଇ ସମସ୍ତଙ୍କୁ ଚିନ୍ତା ଓ ଆଶଙ୍କାରେ ପକାଏ। ସମସ୍ତେ ପଢ଼ନ୍ତି କିନ୍ତୁ ପାଠ ପଢ଼ିବା ସହ ଜରୁରୀ ଅଟେ ଆତ୍ମବିଶ୍ୱାସ।

ଆଜିର କାର୍ଯ୍ୟକ୍ରମ ଜରିଆରେ ସବୁ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପୂର୍ବରୁ କିମ୍ବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାଲ୍ୟ ଜୀବନକୁ ନେଇ ନିର୍ମିତ ପ୍ରାମାଣିକ ଚଳଚ୍ଚିତ୍ର ‘ଚଲୋ ଜିତେ ହେଁ’ ୟୁଟ୍ୟୁବରେ ଦେଖିବାକୁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ବିଦ୍ୟାର୍ଥୀ ଥିବା ବେଳେ କେମିତି ଜୀବନକୁ ସାମ୍ନା କରିଥିଲେ? ପରିସ୍ଥିତିକୁ କେମିତି ସାମ୍ନା କରିଥିଲେ ? ଏବଂ ମୂଲ୍ୟବୋଧ ଭଳି ବିଷୟ କେମିତି ତାଙ୍କ ଆଗରେ ଆସିଥିଲା ଏ ସବୁ ଆମ ସମସ୍ତଙ୍କୁ ପ୍ରେରଣା ଦିଏ।

ଏଠାରେ ୧୪ ରୁ ଉର୍ଦ୍ଧ୍ୱ ବର୍ଷ ବୟସର ପିଲାମାନେ ଉପସ୍ଥିତ ଅଛନ୍ତି। କଳ୍ପନା କରିବା କଥା ଯେ, ଆମେ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରୁଥିବା ବେଳେ ବର୍ତମାନର ନୂଆପିଢ଼ି ଛାତ୍ରଛାତ୍ରୀଙ୍କ ହାତରେ ସେ ସମୟରେ କେବଳ ଦେଶ ନୁହେଁ ବରଂ ଦୁନିଆର ବ୍ୟାକଡୋର ଆସି ସାରିଥିବ। ଏହି ବୟସର ଛାତ୍ରଛାତ୍ରୀଙ୍କ ବୟସ ସେତେବେଳେ ୪୦ ବର୍ଷ ହୋଇସାରିଥିବ। ଏହି ପିଲାଙ୍କୁ ଭଭିଷ୍ୟତର ପିଢିଙ୍କୁ ପ୍ରସ୍ତୁତ କରିବା ପାଇଁ ତଥା ସେମାନଙ୍କ ଆତ୍ମବିଶ୍ୱାସକୁ ବଢ଼ାଇବା ପାଇଁ ଅଭିଭାବକ ଭାବରେ ଘରର ମୁଖିଆ ଭାବରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ଅଛନ୍ତି। ପରୀକ୍ଷା ପେ ଚର୍ଚ୍ଚାର ପଂଚମ ସଂସ୍କରଣରେ ବିଦ୍ୟାର୍ଥୀଙ୍କୁ ଚାପରୁ ମୁକ୍ତି ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଛୋଟ ଛୋଟ କଥା ଭବିଷ୍ୟତରେ ବଡ଼ ପ୍ରଭାବ ପକାଇବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.