Home ଜିଲ୍ଲା ପରିକ୍ରମା ପବିତ୍ର ଦୀପାବଳି – ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡାକୁ ଉଠିଲା ମହାଦୀପ

ପବିତ୍ର ଦୀପାବଳି – ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡାକୁ ଉଠିଲା ମହାଦୀପ

40

ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ଦୀପାବଳୀ ଅବସରରେ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡାକୁ ନିର୍ଦ୍ଧାରିତ ସମୟ ଅନୁଯାୟୀ ରାତି ୯ଟାରେ ଉଠିଲା ମହାଦୀପ। ଏଥିପାଇଁ ଗତକାଲି ଦିନ ତମାମ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା ସ୍ୱତନ୍ତ୍ର ନୀତିକାନ୍ତି। ଭୋର ୪ଟାରେ ଦ୍ୱାରଫିଟା ନୀତି ସରିବା ପରେ ମଙ୍ଗଳ ଆଳତୀ, ମହାସ୍ନାନ ସରିବା ପରେ ମଣିବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ପହିଲି ବାଲ୍ୟଭୋଗ ଲାଗି କରାଯାଇଥିଲା। ସକାଳ ୯ ଟାରେ ପହଡ ଖିଆ ନୀତି। ଦିବା ୧ଟାରେ ବଡ ନୀତିଭୋଗ ଅପରାହ୍ନ ୪ଟାରେ ମଣିବାବାଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯାଇ ଦୀପାବଳି ନୀତି ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ସହସ୍ରାଧିକ ଭକ୍ତଙ୍କ ପକ୍ଷରୁ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିବାବେଳେ ମଣିବାବାଙ୍କ ପାଖରେ ସନ୍ଧ୍ୟା ଆଳତୀ ଅନୁଷ୍ଠିତ ହୋଇଥିଲା। ପରେ ପାଳିଆ ସେବାୟତ ପକ୍ଷରୁ ରାତ୍ର ୮ ଟାରେ ମହାଦୀପ ପ୍ରସ୍ତୁତି ସହ ଗୁପ୍ତ ଶୋଡଷରେ ଉପଚାରରେ ପୂଜା କରାଯାଇ ରାତ୍ର ୯ଟାରେ ଘଣ୍ଟା କୀର୍ତ୍ତନ, ଛତ୍ର ଆଲଟ ଚାମର ଆଦି ଦ୍ୱାରା ସେବାୟତମାନେ ଭକ୍ତଙ୍କ ଗହଣରେ ମହାଦୀପକୁ ବେଢା ପରିକ୍ରମା କରାଇବା ପରେ ମନ୍ଦିର ଚୂଡାରେ ସ୍ଥାପନ କରିଥିଲେ। ଏଥିପାଇଁ ମନ୍ଦିର ଭିତରେ ଓ ବାହାରେ ମନ୍ଦିର ପ୍ରଶାସନ ପକ୍ଷରୁ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା କରାଯାଇଥିବା ବେଳେ ପୁଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.