ବାଲେଶ୍ୱର, ୯ା୧(ଓଡ଼ିଆ ପୁଅ/ଅଭୟ ଦାସ): ମିତ୍ରପୁର କାଠଗୋଚ୍ଛିସ୍ଥିତ ପଥର ଖାଦାନରୁ ଚାଲିଥିବା ବେଧଡ଼କ ପଥର ଉତ୍ତୋଳନ ଓ ଅନ୍ୟାନ୍ୟ ବେଆଇନ କାର୍ଯ୍ୟକୁ ବିରୋଧ କରି ‘କାଠଗୋଚ୍ଛି ସର୍ବାଙ୍ଗ ଉନ୍ନୟନ ମହାସଂଘ’ ପକ୍ଷରୁ ଶନିବାର ଦିନ ବାଲେଶ୍ୱର ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି। ସଂଗଠନର ଅଧ୍ୟକ୍ଷ ଲମ୍ବୋଦର ସିଂହଙ୍କ ନେତୃତ୍ୱରେ ଆୟୋଜିତ ଧାରଣାରେ ସଦସ୍ୟଙ୍କ ସମେତ ବହୁ ଗ୍ରାମବାସୀ ଯୋଗ ଦେଇଥିଲେ। ବିଶେଷ କରି କାଠଗୋଚ୍ଛି ଅଞ୍ଚଳର ୩ଶହ ଫୁଟ ଗଭୀର ଜଳାଶୟର ବନ୍ଧ ହାଣିବା ଦ୍ୱାରା ଅହରହ ପାଣି ନିଷ୍କାସିତ ହୋଇ ଚାଷ ଜମିରେ ମାଡ଼ି ଚାଲିଛି। ଫଳରେ ଚାଷ ଜମିଗୁଡ଼ିକ ସମୁଦ୍ରର ଭ୍ରମ ସୃଷ୍ଟି କରିଛି ବୋଲି ଧାରଣାରତ ଗ୍ରାମବାସୀ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଜଙ୍ଗଲ ଜମରେ ହୋଇଥିବା ନାଳର କିଛି ଅଂଶକୁ ବନ ବିଭାଗ ପୋତିଥିବା ବେଳେ ବାକି ସେମିତି ରହିଛି ବୋଲି ସେମାନେ କହିଛନ୍ତି। ସମ୍ପ୍ରତି ସାଧାରଣ ଲୋକଙ୍କ ପାଇଁ ସମସ୍ୟା ହୋଇଥିବା ଏହି ପଥର ଖାଦାନକୁ ବନ୍ଦ କରିବା, ଆଦିବାସୀ ହରିଜନଙ୍କ ଉପରେ ଶୋଷଣ ବନ୍ଦ କରିବା, ସମସ୍ତ ଜଳାଶୟରେ ମତ୍ସ୍ୟଚାଷ ପାଇଁ ଅନୁମତି ଦେବା, କାଠଗୋଚ୍ଛିର ସମସ୍ତ ଭୂମିହୀନ ପରିବାରକୁ ଜମିପଟା ପ୍ରଦାନ କରିବା, ସ୍ୱର୍ଣ୍ଣଚୂଡ଼ ସଂରକ୍ଷିତ ଜଙ୍ଗଲର କାଠଗୋଚ୍ଛି ଅଞ୍ଚଳରେ ୧୯୭୦ ମସିହାଠାରୁ ଅଦ୍ୟାବଧି ଚାଲିଥିବା ବେଆଇନ ପଥର ଖାଦାନର ତଦନ୍ତ କରିବା ଆଦି ଦାବି ନେଇ ମହାସଂଘର କର୍ମକର୍ତ୍ତା ଓ ଗ୍ରାମବାସୀମାନେ ଏହି ଧାରଣାରେ ସାମିଲ ହୋଇଥିବା କହିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ସମ୍ପାଦକ ବିଜୟ କୁମାର ମଲିକ, କୋଷାଧ୍ୟକ୍ଷ ରଂଜନ କୁମାର ସିଂ ଆନ୍ଦୋଳନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ତେବେ ଦୀର୍ଘ ସମୟ ପରେ ଜିଲାପାଳଙ୍କଠାରୁ ଦାବି ପୂରଣର ପ୍ରତିଶ୍ରୁତି ପାଇ ସେମାନେ ଧାରଣାରୁ ଉଠି ଯାଇଥିବା ଳକ୍ଷ୍ୟ କରାଯାଇଥିଲା।







