Home ଜିଲ୍ଲା ପରିକ୍ରମା ‘ଯୁଗଶ୍ରୀ ଯୁଗନାରୀ’ପକ୍ଷରୁ ମହିଳା ସ୍ୱାସ୍ଥ୍ୟ ସଚେତନତା ଶିବିର

‘ଯୁଗଶ୍ରୀ ଯୁଗନାରୀ’ପକ୍ଷରୁ ମହିଳା ସ୍ୱାସ୍ଥ୍ୟ ସଚେତନତା ଶିବିର

18

ବାଲେଶ୍ୱର, ୯ା୧(ଓଡ଼ିଆ ପୁଅ/ଅଭୟ ଦାସ): ମାସିକ ଓଡ଼ିଆ ପତ୍ରିକା ‘ଯୁଗଶ୍ରୀ ଯୁଗନାରୀ’ ପକ୍ଷରୁ ମହିଳା ସ୍ୱାସ୍ଥ୍ୟ ସଚେତନତା ଶିବିର ସହରର ଫିରିଙ୍ଗିପାଟଣାସ୍ଥିତ ବ୍ରଜେଶ୍ୱର ନାଥ ମହାଦେବ ମନ୍ଦିର ବେଢ଼ାରେ ଅନୁଷ୍ଠିତ ହୋଇଯାଇଛି। ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ମୀରା ପତି ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକ ସମାଜରେ ନାରୀମାନଙ୍କଠାରେ ଦେଖାଯାଉଥିବା ବିଭିନ୍ନ ରୋଗ ଓ ଏହାର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ। ବିଶେଷ କରି ଲଜ୍ଜା ଯୋଗୁଁ ନିଜର ରୋଗ ଯନ୍ତ୍ରଣା ବାବଦରେ ବହୁ ମହିଳା ପ୍ରକାଶ ନ କରିବା ଯୋଗୁଁ ଏହା ଅଧିକ ଜଟିଳ ସ୍ଥିତି ସୃଷ୍ଟି କରିଥାଏ। ଯେତେ ଗୁପ୍ତ ହେଲେ ମଧ୍ୟ ଡାକ୍ତରଙ୍କ ନିକଟରେ ନ ଲୁଚାଇ ନିଃସଙ୍କୋଚରେ ପ୍ରକାଶ କଲେ ଯାଇ ଏହାର ଚିକିତ୍ସା କରାଯାଇ ପାରିବ ବୋଲି ଡାକ୍ତର ପତି ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଫାର୍ମାସିଷ୍ଟ ଯୋଗେଶ ମହାପାତ୍ର, ସମାଜସେବୀ ହେମଲତା ଦାସ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିରୋଗ ତଥା ଉତ୍ତମ ସ୍ୱାସ୍ଥ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ବିଶେଷ କରି ନାରୀମାନଙ୍କ କ୍ଷେତ୍ରରେ ଦେଖାଯାଉଥିବା ରୋଗର ଲକ୍ଷଣ ସମ୍ପର୍କରେ ବିଳମ୍ବ ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ସେମାନେ କହିଥିଲେ। ଯୁଗଶ୍ରୀ ଯୁଗ ନାରୀର ସମ୍ପାଦିକା ମମତା ମହାପାତ୍ର ଏଥିରେ ସଭାପତିତ୍ୱ କରିବା ସହିତ ଏଭଳି କାର୍ଯ୍ୟକ୍ରମ ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଗୀତାଞ୍ଜଳି ସିଂହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ନପୂର୍ଣ୍ଣା ସାଂସ୍କୃତିକ ନାରୀ ସଂଘର ସହାୟତାରେ ଆୟୋଜିତ ଏହି ଶିବିରରେ ଜୟନ୍ତୀ ପଣ୍ଡିତ, ଜୟାମଣି ଜେନା, ସରସ୍ୱତୀ ମହାନ୍ତି, ସ୍ନେହଲତା ପତି, ମିତା ପଟ୍ଟନାୟକ ପ୍ରମୁଖ ଏଥିରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.