Home ଜିଲ୍ଲା ପରିକ୍ରମା ପଞ୍ଚାୟତ ନିର୍ବାଚନ ସଫଳତା ପରେ ପୌରାଞ୍ଚଳରେ ମଞ୍ଚର ପଦଧ୍ୱନି

ପଞ୍ଚାୟତ ନିର୍ବାଚନ ସଫଳତା ପରେ ପୌରାଞ୍ଚଳରେ ମଞ୍ଚର ପଦଧ୍ୱନି

35

ଭଦ୍ରକ, ୨୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇନାହିଁ । ୪ଟି ପର୍ଯ୍ୟାୟରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନର ପ୍ରଥମ ଦିବସରେ ଭଦ୍ରକ ବ୍ଲକ୍‌ର ଗୋଟିଏ ଜିଲା ପରିଷଦ ଓ ୯ଟି ପଞ୍ଚାୟତର ଗଣତି ଶେଷ ହୋଇ ଫଳାଫଳ ଘୋଷଣା ହୋଇସାରିଛି । ଫଳାଫଳ ଅନୁସାରେ ଜିଲା ପରିଷଦ ପଦବୀ ଦଳୀୟ ସଂକେତରେ ଲଢାଯାଇଥିବାବେଳେ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ୩ ପ୍ରମୁଖ ରାଜନୈତିକ ଦଳର ସମର୍ଥନରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । ତେବେ ଜିଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀ ବିପୁଳ ବିଜୟ କରିଛନ୍ତି । କିନ୍ତୁ ଘୋଷିତ ୯ଟି ପଞ୍ଚାୟତ ମଧ୍ୟରୁ ୪ଟି ପଞ୍ଚାୟତ ହାତଛଡା ହୋଇଯାଇଛି । ୩ଟି ସ୍ଥାନରେ ଶାସକ ଦଳର ସମର୍ଥନ ନପାଇ ମଞ୍ଚ ଗଠନ କରି ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀମାନେ ବିଜୟ ଲାଭ କରିଛନ୍ତି । ଗଣତି ବେଳେ ମଧ୍ୟ ଅନୁରୂପ ଟ୍ରେଣ୍ଡ ଦେଖିବାକୁ ମିଳିଛି । କେତେକ ପଞ୍ଚାୟତରେ ମଂଚର ପ୍ରାର୍ଥୀମାନେ ବହୁ ଆଗରେ ଅଛନ୍ତି । ଯାହାକି ବିଧାୟକଙ୍କ ପାଇଁ ଏକ ଆହ୍ୱାନ ସୃଷ୍ଟି କରିଛି । ତେବେ ଦଳୀୟ ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ଭଦ୍ରକ ବିଧାୟକ ମାରାଥନ ପ୍ରଚାର କରିବା ସହ ସେମାନଙ୍କ ବିଜୟ ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ ମଧ୍ୟ ତାହା ସଫଳ ହୋଇନାହିଁ ବୋଲି ଚାଲିଥିବା ଟ୍ରେଣ୍ଡରୁ ଜଣାପଡୁଛି । ବରଂ ଶାସକ ଦଳର ଅସନ୍ତୁଷ୍ଟମାନେ ମଞ୍ଚ ଗଠନ କରି ବିଧାୟକଙ୍କୁ ଚକମା ଦେଇଛନ୍ତି ।

ଗୋଟିଏ ପଟେ ଦଳୀୟ ସଂକେତରେ ନିର୍ବାଚନ ଲଢି ବିଜୟ ଲାଭ କରିଥିବା ଜିଲା ପରିଷଦ ପ୍ରାର୍ଥୀଙ୍କ ଭୋଟ୍ ବ୍ୟବଧାନକୁ ଦେଖିଲେ, ଶାସକ ଦଳ ସୁରକ୍ଷିତ ଅଛି ବୋଲି କୁହାଯାଇପାରିବ । କିନ୍ତୁ ତୃଣମୂଳ ସ୍ତରରେ ଯେଭଳି ମଞ୍ଚ ପ୍ରାର୍ଥୀଙ୍କ ଦବଦବା ବଢିଛି, ତାହା ଶାସକ ଦଳ ପାଇଁ ଆହ୍ୱାନ ସୃଷ୍ଟି କରିଛି । ଯଦି ଆଗାମୀ ପୌର ନିର୍ବାଚନରେ ଶାସକ ଦଳ ପ୍ରାର୍ଥୀ ଚୟନରେ ଠିକ୍ ନିଷ୍ପତ୍ତି ନନିଏ, ତେବେ ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବାଚନରେ ମଞ୍ଚ ପ୍ରାର୍ଥୀମାନଙ୍କୁ ମଧ୍ୟ ଦେଖିବାକୁ ମିଳିବ । ତେବେ ପଞ୍ଚାୟତ ନିର୍ବାଚନର ଏହି ୨ ଦିନର ଭୋଟ ଗଣନା ପରେ ମଞ୍ଚ ପ୍ରାର୍ଥୀଙ୍କ ପ୍ରଭାବ ସମଗ୍ର ଭଦ୍ରକ ବିଧାନସଭା କ୍ଷେତ୍ରରେ ଅନୁଭୂତ ହେଲାଣି । ଆଗକୁ ଆସୁଛି ପୌର ନିର୍ବାଚନ । ଏହି ନିର୍ବାଚନରେ ଯଦି ଠିକ୍ ପ୍ରାର୍ଥୀ ମନୋନୟନ ନହୁଏ, ତେବେ ଅଧିକାଂଶ ୱାର୍ଡରେ ହୁଏତ ମଞ୍ଚ ପ୍ରାର୍ଥୀଙ୍କ ଆବିର୍ଭାବ ହେବା ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ । କାରଣ ଇତିମଧ୍ୟରେ ପୌରାଞ୍ଚଳର ୧୦ନଂ ୱାର୍ଡରେ ବିକାଶ ମଂଚ ଗଠିତ ହୋଇସାରିଛି । ଅନୁରୂପ ମଞ୍ଚ ଗଠନ ପାଇଁ ପ୍ରାୟ ୧୫ ରୁ ଉର୍ଦ୍ଧ୍ୱ ୱାର୍ଡରେ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ପଞ୍ଚାୟତ ନିର୍ବାଚନରେ ତୃଣମୂଳ ସ୍ତରର କର୍ମୀଙ୍କୁ ଅଣଦେଖା କରି ଓ ସେମାନଙ୍କୁ ବିଶ୍ୱାସକୁ ନନେଇ ଯେପରି ଭାବରେ ଦଳ ଡିଆଁ ମାରୁଥିବା ବ୍ୟକ୍ତିଙ୍କୁ ଅଗ୍ରାଧିକାର ଦିଆଗଲା । ସେହି କାରଣରୁ ଭଦ୍ରକ ବିଧାନସଭା କ୍ଷେତ୍ରରେ ୧୮ଟି ପଞ୍ଚାୟତର ମଞ୍ଚ ମୁଣ୍ଡ ଟେକିଲା । ଅସନ୍ତୁଷ୍ଟ ବିଜେଡି ନେତା ମଞ୍ଚ ଗଠନ କରିବା ବେଳେ ସଂଗଠନ ନଥିବା ବିଜେପି ଓ କଂଗ୍ରେସ ଏହାକୁ ସମର୍ଥନ ଜଣାଇଲେ । ତେଣୁ ପୌର ନିର୍ବାଚନରେ ଦଳର ହାଇ କମାଣ୍ଡ ଦଳୀୟ ଟିକେଟ୍ ବଣ୍ଟନ ସମୟରେ ଯଥାର୍ଥ ନିଷ୍ପତ୍ତି ନନେଲେ, ହୁଏତ ପୌରାଞ୍ଚଳରେ ୧୫ରୁ ଉର୍ଦ୍ଧ୍ୱ ୱାର୍ଡରେ ବିକାଶ ମଞ୍ଚ ଦେଖିବାକୁ ମିଳିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.