Home ଜିଲ୍ଲା ପରିକ୍ରମା ବିଜେଡି ଜିଲା ସଭାପତିଙ୍କୁ ଝଟକା, ନିଜ ପଞ୍ଚାୟତରେ ଜିତିଲା ବିକାଶ ମଞ୍ଚ

ବିଜେଡି ଜିଲା ସଭାପତିଙ୍କୁ ଝଟକା, ନିଜ ପଞ୍ଚାୟତରେ ଜିତିଲା ବିକାଶ ମଞ୍ଚ

62

ଭଦ୍ରକ, ୨୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ ନିଜ ପଞ୍ଚାୟତ ରାନ୍ଦିଆରେ ଦଳକୁ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡିଛି । ପ୍ରାର୍ଥିପତ୍ର ଦାଖଲ ହେବା ଦିନଠାରୁ ଗେଲପୁର ପଞ୍ଚାୟତ ପରି ଏହା ଉପରେ ସମସ୍ତଙ୍କ ନଜର ଥିଲା । ଏଠାରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିବାବେଳେ ହାଇ ଭୋଲଟେଜ୍ ପ୍ରଚାର ଶେଷ ପର୍ଯ୍ୟନ୍ତ ଜାରି ରହିଥିଲା । ଶେଷରେ ରାନ୍ଦିଆ ବିକାଶ ମଂଚର ସରପଞ୍ଚ ପ୍ରାର୍ଥିନୀ ସ୍ୱପ୍ନାରାଣୀ ରାଉତରାୟ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ସମର୍ଥିତ ମମିତା ପୁହାଣଙ୍କୁ ୬୪୯ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ବିଜୟୀ ହୋଇଥିଲେ । ମଞ୍ଚର ସମିତିସଭ୍ୟ ପ୍ରାର୍ଥୀ ଶ୍ରୀଧର ନାୟକ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଅସିତ୍ ସ୍ୱାଇଁଙ୍କୁ ୪୦୨ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଶ୍ରୀ ସ୍ୱାଇଁଙ୍କ ନିଜ ୱାର୍ଡରେ ମଧ୍ୟ ମଞ୍ଚର ଉଭୟ ପ୍ରାର୍ଥୀ ବହୁ ଭୋଟରେ ଆଗୁଆ ରହିଥିଲେ । ମୋଟ ୧୪ ଟି ୱାର୍ଡ ମଧ୍ୟରୁ ମଞ୍ଚର ପ୍ରାର୍ଥମାନେ ୧୦ ଟିରେ ବିଜୟୀ ହୋଇଛନ୍ତି । ତେବେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ଖୋଦ୍ ଦଳର ଜିଲା ସଭାପତିଙ୍କ ପଞ୍ଚାୟତରେ ମଂଚର ପ୍ରାର୍ଥୀ ଯେଭଳି ଭାବରେ ପରାସ୍ତ କଲେ, ତାକୁ ନେଇ ସହରରେ ଚର୍ଚ୍ଚାର ବିଷୟ ହୋଇଛି ।

ତେବେ ଜିଲା ସଭାପତି ଶ୍ରୀ ସ୍ୱାଇଁ ଜଣେ ଭଲ ସଂଗଠକ ଭାବରେ ଜଣାଶୁଣା । ଜନତା ଦଳ ଠାରୁ ଆରମ୍ଭ କରି ବିଜେଡିରେ ତାଙ୍କର ବେଶ୍ ଦବଦବା ରହି ଆସିଥିଲା । ପ୍ରାକ୍ତନ ସାଂସଦ ଅର୍ଜୁନ ଚରଣ ସେଠୀ ବିଜେଡିରୁ ଇସ୍ତଫା ଦେବା ପରେ ଶ୍ରୀ ସ୍ୱାଇଁଙ୍କୁ ଏହି ପଦବୀରେ ଅସ୍ଥାୟୀ ଭାବେ ଅବସ୍ଥାପିତ କରାଯାଇଥିଲା । କିନ୍ତୁ ପରେ ସେ ଦଳର ସ୍ଥାୟୀ ସଭାପତି ଭାବେ ମନୋନୀତ ହୋଇଥିଲେ । ଶ୍ରୀ ସ୍ୱାଇଁ ପୂର୍ବରୁ ୩ ଥର ଜିଲା ପରିଷଦ ଅଧ୍ୟକ୍ଷ ପଦବୀ ଅଳଙ୍କୃତ କରିଥିଲେ । ତାଙ୍କର ଦୃଢ ସାଙ୍ଗଠନିକ ଦକ୍ଷତାକୁ ଦେଖି ଦଳ ତାଙ୍କୁ ବହୁ ଉଚ୍ଚ ପଦପଦବୀରେ ଅବସ୍ଥାପିତ କରିଥିଲା । କିନ୍ତୁ ଦଳର ସମର୍ଥିତ ପ୍ରାର୍ଥୀ ଚୟନ ବେଳେ ଶ୍ରୀ ସ୍ୱାଇଁ ଠିକ୍ ଭାବରେ ନିଜ ପଞ୍ଚାୟତବାସୀଙ୍କ ଭାବାବେଗକୁ ବୁଝିବାରେ ବିଫଳ ହୋଇଥିବା ଚର୍ଚ୍ଚା ହେଉଥିଲା । ଦଳର କେତେକ ଦୃଢ ଆଶାୟୀଙ୍କୁ ନିରାଶ କରିଥିଲେ । ଫଳରେ ବିଜେଡିର କେତେକ ଅସନ୍ତୁଷ୍ଟ କର୍ମୀମାନେ ମିଶି ଅନ୍ୟ ରାଜନୈତିକ ଦଳ ସହ ହାତ ମିଶାଇ ରାନ୍ଦିଆ ବିକାଶ ମଚଂ ଗଠନ କରି ପ୍ରାର୍ଥୀ ଦେଇଥିଲେ । ଶାସକ ଦଳ ପାଇଁ ହାଇ ଭୋଲଟେଜ୍ ପ୍ରଚାର ମଧ୍ୟରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ମଧ୍ୟ ବାରମ୍ବାର ଉକ୍ତ ପଞ୍ଚାୟତକୁ ଗସ୍ତକରି ଦଳୀୟ ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ । ତେବେ ତାଙ୍କ ପାଇଁ ଆଶ୍ୱାସନାର ବିଷୟ ହେଉଛି, ଉକ୍ତ ପଞ୍ଚାୟତରୁ ବିଜେଡି ଜିଲା ପରିଷଦ ପ୍ରାର୍ଥୀ ପ୍ରତିମା ଯେନା ବିଜେପି ପ୍ରାର୍ଥୀଙ୍କ ଠାରୁ ପ୍ରାୟ ୧ ହଜାର ଭୋଟ୍‌ରେ ଆଗୁଆ ରହିଛନ୍ତି । ତଥାପି ଏହି ବ୍ୟବଧାନକୁ ସହଜରେ ହଜମ କରିପାରୁନାହାଁନ୍ତି ବିଜେଡିର ତୃଣମୂଳ କର୍ମୀ । ସାମାଜିକ ଗଣମାଧ୍ୟମରେ ସେମାନେ ସେମାନେ ଶ୍ରୀ ସ୍ୱାଇଁଙ୍କୁ କଟୁ ସମାଲୋଚନା କରି ତାଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି । ସଭାପତି ପଦ ତୁରନ୍ତ ଛାଡିବାକୁ ସେମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.