Home ଜିଲ୍ଲା ପରିକ୍ରମା ନୟାଗଡ଼ ଜିଲ୍ଲାରେ ଦଣ୍ଡଯାତ୍ରା ପାଇଁ ପୁରପଲ୍ଳୀ ଉତ୍ସବ ମୂଖର

ନୟାଗଡ଼ ଜିଲ୍ଲାରେ ଦଣ୍ଡଯାତ୍ରା ପାଇଁ ପୁରପଲ୍ଳୀ ଉତ୍ସବ ମୂଖର

92

ନୟାଗଡ଼, ୧୧ା୪(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଚାଲିଥିବା ଦଣ୍ଡଯାତ୍ରା ପାଇଁ ପୁରପଲ୍ଲୀ ଉତ୍ସବ ମୁଖର ହୋଇପଡ଼ିଛି। କରୋନା କଟକଣା ଯୋଗୁଁ ଦଣ୍ଡଯାତ୍ରା ଫିକା ପଡ଼ିଯାଇଥିଲେ ମଧ୍ୟ ଗାଁ ଠାରୁ ସହରପର୍ଯ୍ୟନ୍ତ ଦଣ୍ଡଯାତ୍ରା ସାଙ୍ଗକୁ ଝାମୁନାଚର ଆସରରେ ପରିବେଶ ଶିବମୟ ହୋଇଉଠିଛି। ଠାକୁରଙ୍କୁ ନିମନ୍ତ୍ରଣ ଅନୁସାରେ ଦଣ୍ଡୁଆମାନେ ଗାଁ ଗାଁ ବୁଲି ଦଣ୍ଡଖେଳ ପ୍ରଦର୍ଶନ କରୁୁଥିବାବେଳେ ଭକ୍ତଙ୍କ ଦୁଆରେ ପାଣିଦଣ୍ଡ ଉତୁରା ହେବା ସହ ସେହି ଗାଁରେ ଝାମୁନାଚ ଆଗରେ ଦଣ୍ଡୁଆମାନଙ୍କ ମାନଙ୍କ ଦ୍ୱାରା ବିଭିନ୍ନ ଖେଳ ପ୍ରଦର୍ଶନ ତଥା ଜମି ଚାଷଠାରୁ ଆରମ୍ଭ କରି ଧାନବୁଣା ପର୍ଯ୍ୟନ୍ତ ଓ ଦଣ୍ଡୁଆଙ୍କ ଚାରିପଟେ ନିଆଁ ଜାଳିବାର ଦୃଶ୍ୟ ବେଶ୍ ଉତ୍ସାହଜନକ ହୋଇଛି ା କେତେକ ଗାଁରେ ଦଣ୍ଡୁଆମାନେ ଦିନସାରା ନିର୍ଜ୍ଜଳା ଉପବାସ ରହି କେବଳ ରାତିରେ ପଣା ସାରୁଥିବାବେଳେ ଆଉ କେତେକ ଗାଁରେ ଦଣ୍ଡୁଆମାନେ ଅରୁଆ ଅନ୍ନ ସାରିଥାନ୍ତି। କେତେକ ସ୍ଥାନରେ ଏହି ଦଣ୍ଡଯାତ୍ରାକୁ ପାଣିତୋଳା ମଧ୍ୟ କହନ୍ତି। ୧୩ଭଗତକୁ ନେଇ ଚାଲିଥିବା ଦଣ୍ଡଯାତ୍ରାରେ ଠାକୁରଙ୍କ ବିଧିବିଧାନ ଅତି ନିଷ୍ଠାର ସହିତ ପାଳନ କରାଯାଇଥାଏ। ଏହି ଦଣ୍ଡଯାତ୍ରାରେ କେଉଁଠି ୨୧ ଦିନିଆ, କେଉଁଠି ୧୬, କେଉଁଠି ୧୩, କେଉଁଠି ୯, କେଉଁଠି ୭ ଦିନଧରି ପାଳନ କରାଯାଇଥାଏ। ଦଣ୍ଡଯାତ୍ରାରେ ପାଟ ଭଗତା ଓ ପାଟ ଦଣ୍ଡୁଆ ମୁଖ୍ୟ କାର୍ଯ୍ୟ ନିର୍ବାହ କରିଥାନ୍ତି। ଯେଉଁ ଗାଁକୁ ଦଣ୍ଡଠାକୁର ମାନସିକଧାରୀଙ୍କ ଦୁଆରେ ଭୋଗ ସାରିଥାନ୍ତି ସେଠାରେ ରାତିରେ ଝାମୁନାଚ ପରିବେଷଣ ହୋଇଥାଏ। ଚଢେଇଚଢେୟାଣୀ, ଫୁଲଚୋରୀ, ପରତସଉରା, ବୀଣାକାର, ଯୋଗୀଯୋଗିଆଣୀ, କେଳାକେଳୁଣୀ ଆଦି ପାରମ୍ପରିକ ନାଚରେ ପୁରପଲ୍ଲୀର ଲୋକମାନେ ରାତିସାରା ଅନିଦ୍ରା ହୋଇ ଅତି କୌତୁହଳ ସହ ନାଚ ଦେଖୁଥିବା ପରିଲକ୍ଷିତ ହୋଇଛି ନୟାଗଡ଼ ଜିଲ୍ଲାର ଦେଉଳପଲ୍ଲୀ, ସିନ୍ଦୁରିଆ, ଦୁର୍ଗାପ୍ରସାଦ, କଂଚନବିଲି, ମାଳିସାହି, ମଶାଣିଝୋଲା, ଅଶ୍ୱସ୍ଥପଡ଼ା, ନବଘନପୁର, ନନ୍ଦିଘୋର, ବାଲୁଗାଁ, ଯଦୁପୁର, ପଂଚିରିଡ଼ା ଏପରିକି ଜିଲ୍ଲାର ରଣପୁର, ଗଣିଆ, ଖଣ୍ଡପଡ଼ା, ଦଶପଲ୍ଲା, ଓଡ଼ଗାଁ ବ୍ଳକର ବିଭିନ୍ନ ଗ୍ରାମରେ ଏହି ଦଣ୍ଡଯାତ୍ରା ହେଉଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.