Home ଓଡ଼ିଶା ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖୁଛନ୍ତି ସରକାରୀ ଠିକା, ଆଉଟସୋର୍ସିଂ କର୍ମଚାରୀ ଓ ଶିକ୍ଷକ

ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖୁଛନ୍ତି ସରକାରୀ ଠିକା, ଆଉଟସୋର୍ସିଂ କର୍ମଚାରୀ ଓ ଶିକ୍ଷକ

329

ଭୁବନେଶ୍ୱର, ୭/୧୧ (ଓଡ଼ିଆ ପୁଅ) – ଆରମ୍ଭ ହେଲା ସରକାରୀ କର୍ମଚାରୀଙ୍କ ପୋଷ୍ଟକାର୍ଡ ଅଭିଯାନ। ରାଜ୍ୟର ହଜାର, ହଜାର ଠିକା, ଆଉଟସୋର୍ସିଂ କର୍ମଚାରୀ ଓ ଶିକ୍ଷକ ଓଡ଼ିଶାର ମାନ୍ୟବର ଜନକଲ୍ୟାଣକାରୀ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖୁଛନ୍ତି। ଦୀର୍ଘ ବର୍ଷ ହେଲା ଅବହେଳିତ ଅବସ୍ଥାରେ ବିଭିନ୍ନ ସରକାରୀ ଦପ୍ତରରେ ଏହି କର୍ମଚାର ମାନେ କାର୍ଯ୍ୟ କରୁଛନ୍ତି। ମାସକୁ ମାତ୍ର ଛଅରୁୁ ଆଠ ହଜାର ଦରମାରେ ହଜାର ହଜାର କର୍ମଚାରୀ ନିଷ୍ଠାର ସହ କାମ କରିଆସୁଛନ୍ତି। ଯାହା ସାଧାରଣ ଦିନ ମଜୁରିଆର ରୋଜଗାର ଠାରୁ ବି କମ୍। ଏଭଳି ଅନ୍ୟାୟ ବିରୋଧରେ ଗଣତାନ୍ତ୍ରିକ ଉପାୟରେ ବର୍ଷ ବର୍ଷ ଧରି ପ୍ରତିବାଦ ହୋଇ ଆସୁଅଛି। ସରକାର ବି ପ୍ରତିଶୃତି ପରେ ପ୍ରତିଶୃତି ଦେଉଛନ୍ତି କିନ୍ତୁ ଦୁଃଖ ଓ ପରିତାପର ବିଷୟ ତାହା ପରବର୍ତ୍ତୀ ମୁହୁର୍ତ୍ତରେ କାର୍ଯ୍ୟକାରୀ କରାଯାଉନାହିଁ। ତେଣୁ ଏକ ଅଭିନବ ଉପାୟରେ ନିଜର ଦାବିକୁ ସରକାରଙ୍କ ପାଖରେ ରଖିବାକୁ ଠିକା ଓ ଆଉଟସୋର୍ସିଂ କର୍ମଚାରୀମାନେ ଭାରତର ସର୍ବ ଜନଆଦୃତ ଲୋକପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କ ଠିକଣାରେ ଚିଠିଲେଖି ନିଜର ଦୁଃଖ ଜଣାଉଛନ୍ତି। ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲୁ ରହିବ। ଅନ୍ୟାୟର ଶିକାର ହୋଇଥିବା ସରକାରୀ ଶିକ୍ଷକମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ପୁରା ସଂଖ୍ୟା ଦେଖିଲେ ୨ଲକ୍ଷରୁ ଅଧିକ ପୋଷ୍ଟ କାର୍ଡ ପ୍ରେରଣର ଲକ୍ଷ୍ୟ ରଖାଯାଇଛି। ରାଜ୍ୟ ଶାସନର ଦୁଇ ସର୍ବୋଚ୍ଚ କର୍ତ୍ତା ଗରିବ ତଥା ନିଷ୍ପେଷିତ ଏହି କର୍ମଚାରୀଙ୍କ ଦୀର୍ଘଦିନର ଦାବିକୁ ମାନିନେବେ ବୋଲି ଆଶା ରହିଛି। ଓଡ଼ିଶାରୁ ଠିକା ଓ ଆଉଟସୋର୍ସିଂ ଭଳି ଘୃଣ୍ୟ ଓ କୁତ୍ସିତ ପ୍ରଥା ଉଚ୍ଛେଦ କରାଯାଉ ଏବଂ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରା ପ୍ରଚଳିତ ସମାନ କାମକୁ ସମାନ ଦରମା ପ୍ରଦାନ କରାଯିବ ବୋଲି ଆଶା ରଖାଯାଇଛି। ଏହା ସତ୍ୱେ ଯଦି ସରକାର ସରକାରୀ କର୍ମଚାରୀଙ୍କ ଦୁଃଖ ନବୁଝନ୍ତି ତେବେ ବାଧ୍ୟ ହୋଇ ଓଡ଼ିଶା କର୍ମଚାରୀ ମହାମଞ୍ଚ ନିଜର ଆନ୍ଦୋଳନକୁ ବ୍ୟାପକ କରିବ।

ଏହି ପୋଷ୍ଟକାର୍ଡ଼ ଅଭିଯାନ ପ୍ରଥମେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜୁଳିକାଟୁ ଠାରୁ ଆରମ୍ଭ କରାଯାଇଛି। ଏହା ପରେ ପରେ ସାରା ରାଜ୍ୟରୁ ପୋଷ୍ଟକାର୍ଡ ପ୍ରେରଣ ଆରମ୍ଭ ହୋଇଛି। ଓଡ଼ିଶା କର୍ମଚାରୀ ମହାମଞ୍ଚ ଏହି ଆନ୍ଦୋଳନର ନେତୃତ୍ୱ ନେଉଛି। ମହାମଞ୍ଚର ଆବାହକ ପ୍ରଭାତ ମହାନ୍ତି, ମଧୁସୁଦନ ମଲ୍ଲିକ, ଠିକା କର୍ମଚାରୀ ସଂଘର ସଭାପତି ବିଜୟ ମଲ୍ଲ, ଉପସଭାପତି କ୍ଷିତିଶ ପଣ୍ଡା ଏବଂ ଆଉଟସୋର୍ସିଂ ସଂଘର ସଭାପତି ସଂଜୟ ପଟନାୟକ, ଉପସଭାପତି ସତ୍ୟବ୍ରତ ବାରିକ, ସମ୍ପାଦକ ମାନସ ଦାସ, ମହାସଚିବ ସଚିତ୍ର ଦାସ, ସଙ୍ଗଠନ ସମ୍ପାଦକ ତାପସ ମିଶ୍ର ଚୁକ୍ତିଭିତ୍ତିକ ସରକାରୀ ହାଇସ୍କୁଲର ସଭାପତି ଶୁଭ୍ରଜିତ ପ୍ରତିହାରି ସମ୍ପାଦକ ବିପିନ ବିହାରୀ ସାହୁ ପ୍ରମୁଖ ଏହି ଅଭିଯାନକୁ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଛନ୍ତି ଓ ସମସ୍ତଙ୍କୁ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ଏହାକୁ ସରକାର ଆନ୍ତରିକତାର ସହିତ ନେବେ ବୋଲି ଆମ୍ଭେମାନେ ଆଶାବାଦୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.