Home ଓଡ଼ିଶା ନୂଆ ଓଡିଶା ନିର୍ମାଣର ବିଶ୍ୱକର୍ମା ଜାନକୀ ବଲ୍ଲଭ : ଜାନକୀବାବୁଙ୍କ ଚତୁର୍ଥ ବାର୍ଷିକ ରାଜ୍ୟସ୍ତରୀୟ ଶ୍ରାଦ୍ଧ...

ନୂଆ ଓଡିଶା ନିର୍ମାଣର ବିଶ୍ୱକର୍ମା ଜାନକୀ ବଲ୍ଲଭ : ଜାନକୀବାବୁଙ୍କ ଚତୁର୍ଥ ବାର୍ଷିକ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଉତ୍ସବ ପାଳିତ

321

ଭୁବନେଶ୍ୱର ୨୧.୪ (ଓଡ଼ିଆ ପୁଅ) – ରାଜ୍ୟସ୍ତରୀୟ ଜାନକୀ ବଲ୍ଲଭ ସ୍ମୃତି କମିଟି ପକ୍ଷରୁ ଆଜି ସଂନ୍ଧ୍ୟାରେ ଭୁବନେଶ୍ୱର ସତ୍ୟନଗର ସ୍ଥିତ ହୋଟେଲ ରୟାଲ ସୁଟ୍ ଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ ରାଜ୍ୟପାଳ, ବିଶିଷ୍ଟ ଜନନାୟକ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକ ବିଶିଷ୍ଟ ଶିକ୍ଷାବିତ୍ ତଥା ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର ପୂର୍ବତନ କୁଳପତି ଡଃ ବିମଳେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ପାଳିତ ହୋଇଯାଇଛି।

ସ୍ୱର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ମୁଖ୍ୟ ଅତିଥି ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ, ପୂର୍ବତନ ସାଂସଦ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ କହିଲେ ଯେ ଡକ୍ଟର ହରେକୃଷ୍ଣ ମହତାବଙ୍କ ପରେ ଓଡିଶାକୁ ଯଦି କେହି ନୂତନ ଭାବେ ନିର୍ମାଣ କରିଥାଏ ସେ ହେଲେ ସ୍ୱର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକ। ଜାନକୀ ବାବୁଙ୍କୁ ନୂଆ ଓଡିଶା ଗଠନର ବିଶ୍ୱକର୍ମା କହିଲେ କିଛି ଅତ୍ୟୁକ୍ତି ହେବନାହିଁ। ଓଡିଶାରେ ଶିଳ୍ପର ବିକାଶ ପାଇଁ ସେ ଯେଉଁ ମୂଳଦୁଆ ପକାଇଥିଲେ ତା’ଉପରେ ଆଜି ଶିଳ୍ପ ପ୍ରତିଷ୍ଠିତ। ଓଡିଶାରେ ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ ସର୍ବୋପରି ଓଡିଆ ଯୁବକଙ୍କୁ କାର୍ଯ୍ୟକ୍ଷମ କରିବାରେ ତାଙ୍କର ଅବଦାନ ଅବିସ୍ମରଣୀୟ। ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ ସ୍ମୃତି କମିଟିର ସାଧାରଣ ସଂପାଦକ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଲେ ଯେ ୧୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥିବା ଜାନକୀବାବୁଙ୍କ ସ୍ମୃତି ରକ୍ଷା କରିବାରେ ଏ ସରକାର ଆଜି ପକ୍ଷପାତିତା କରୁଛନ୍ତି। ଓଡିଶାର ଉତରପୀଢୀ ଏ ସରକାରକୁ କେବେହେଲେ କ୍ଷମା ଦେବେନାହିଁ। ଆଗାମୀ ୨୦୨୦ ମସିହା ଜାନୁଆରୀ ୩ ତାରିଖ ମଧ୍ୟରେ ସରକାର ଯଦି ସ୍ୱର୍ଗତ ପଟ୍ଟନାୟକଙ୍କ ପ୍ରତିମୂର୍ତି ଭୁବନେଶ୍ୱର ରାଜଧାନୀରେ ପ୍ରତିଷ୍ଠା ନକରନ୍ତି ତେବେ ସ୍ମୃତି କମିଟି ପକ୍ଷରୁ ସ୍ୱର୍ଗତ ପଟ୍ଟନାୟକଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତି ଆସନ୍ତା ଶ୍ରାଦ୍ଧ ବାର୍ଷିକୀ ପୂର୍ବରୁ କଂଗ୍ରେସ ଭବନ ସମ୍ମୁଖରେ ତିଆରି କରାଯିବ। ମୁଖ୍ୟବକ୍ତା କିସ୍ ବିଶ୍ୱ ବିଦ୍ୟାଳୟର କୁଳପତି ଡଃ ହରେକୃଷ୍ଣ ଶତପଥି କହିଲେ ଯେ ସ୍ୱର୍ଗତ ପଟ୍ଟନାୟକ ଥିଲେ ଜଣେ ଦେବ ପୁରୁଷ। ତାଙ୍କର ସମଗ୍ର ଜୀବନଶୈଳୀକୁ ଯଦି ଲକ୍ଷ୍ୟ କରିବେ ସେ ଥିଲେ ଓଡିଆ ଜାତିର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ପ୍ରତି ସମର୍ପିତ ମଣିଷ। ତାଙ୍କର ସ୍ୱର୍ଗପ୍ରାପ୍ତି ମଧ୍ୟ ଅନ୍ୟ ଏକ ପୁରୁଷୋତମ କ୍ଷେତ୍ରରେ ଘଟିଲା। ଯାହା ମଧ୍ୟ ସଂପୂର୍ଣ୍ଣ ଦୈବିକୃତ।

ଆଜିର ସ୍ମୃତିଚାରଣ ସଭାରେ ପୂର୍ବ ବର୍ଷମାନଙ୍କ ଭଳି ଭାଷା ସାହିତ୍ୟ କ୍ଷେତ୍ରରେ ପଦ୍ମଶ୍ରୀ ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକ, ସମାଜସେବା ପାଇଁ ପୂର୍ବତନ ବିଧାୟକ ତଥା ମଦବିରୋଧି ଆନ୍ଦୋଳନର ବିଶିଷ୍ଟ ନେତା ଶ୍ରୀ ପଦ୍ମ ଚରଣ ନାୟକ, ସାମ୍ବାଦିକତା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ‘ସମାଜ’ର ପୂର୍ବତନ ବାର୍ତ୍ତା ସଂପାଦକ ଶ୍ରୀ ପ୍ରଦୋଷ ପଟ୍ଟନାୟକ ଓ ଶିକ୍ଷା ପାଇଁ ପାଢୀ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ଲୁସି ମହାପାତ୍ରଙ୍କୁ ଜାନକୀବଲ୍ଲଭ ସ୍ମୃତି ସମ୍ମାନ – ୨୦୧୯ ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର କୋଷାଧ୍ୟକ୍ଷ ଡଃ ବଦି୍ରନାଥ ପଟ୍ଟନାୟକ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇ କହିଲେ ଯେ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତି ରକ୍ଷାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ଓଡିଶାବାସୀଙ୍କ ହୃଦୟରେ ଜାନକୀ ବଲ୍ଲଭ ଏବେବି ବଂଚି ରହିଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟତମ ସଦସ୍ୟ ସୀତାବଲ୍ଲଭ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପ୍ରଶାସକ ନରେନ୍ଦ୍ର କୁମାର ମିଶ୍ର, ପିସିସି ଉପସଭାପତି ଶ୍ରୀ ଶିବାନନ୍ଦ ରାୟ, ପୂର୍ବତନ ନଗରପାଳ ଡଃ ଜଗନ୍ନାଥ ମହାପାତ୍ର, ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ, ପୂର୍ବତନ କର୍ପୋରେଟର ପ୍ରତାପ ଜେନା ଓ ବହୁ ବିଶିଷ୍ଟ ବୁଦ୍ଧିଜୀବୀ ସ୍ମୃତିଚାରଣ କରି ସ୍ୱର୍ଗତ ଜାନକୀ ବାବୁଙ୍କୁ ଜଣେ ମହାପୁରୁଷ ଭାବେ ତୁଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.