Home ଜିଲ୍ଲା ପରିକ୍ରମା ନୂଆବର୍ଷର ପ୍ରଥମ ମିଳିତ ଜନଶୁଣାଣି ଶିବିର – ୧୦୮ଟି ଅଭିଯୋଗର ଶୁଣାଣି, ୩ ଜଣଙ୍କୁ ୨୨...

ନୂଆବର୍ଷର ପ୍ରଥମ ମିଳିତ ଜନଶୁଣାଣି ଶିବିର – ୧୦୮ଟି ଅଭିଯୋଗର ଶୁଣାଣି, ୩ ଜଣଙ୍କୁ ୨୨ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ

20

ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନୂଆ ବର୍ଷ ୨୦୨୩ ଆରମ୍ଭରେ ଆଜି ୨ ତାରିଖ ସୋମବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ବର୍ଷର ପ୍ରଥମ ଯୁଗ୍ମ ଜନଶୁଣାଣି ଶିବର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଏହି ବୈଠକରେ ଯୋଗ ଦେଇ ସମୁଦାୟ ୧୦୮ଟି ଅଭିଯୋଗର ଶୁଣାଣି କରିଥିଲେ। ଅତିରିକ୍ତ ଏସ୍‌.ପି. ବିଜୟ କୁମାର କେର୍କେଟା, ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ସି.ଡ଼ି.ଓ. ପ୍ରତାପ ପ୍ରୀତିମୟ, ଉପଜିଲ୍ଲାପାଳ ମନୋଜ ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ସନ୍ତୋଷ କୁମାର ପାତ୍ର ପ୍ରମୁଖ ଏହି ଶିବିରରେ ଯୋଗ ଦେଇଥିଲେ। ସମୁଦାୟ ୧୦୮ଟି ଅଭିଯୋଗ ମଧ୍ୟରେ ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ୧୦୧ଟି ଥିବା ବେଳେ ସାମୂହିକ ୭ଟି ଥିଲା। ରେଡ଼୍‌କ୍ରସ୍ ରୁ ସହାୟତା ପ୍ରଦାନ ସମ୍ବନ୍ଧୀୟ ୨ ଜଣ ଅଭିଯୋଗକାରୀଙ୍କ ମଧ୍ୟରେ ଜଣଙ୍କୁ ପାଠପଢ଼ା ପାଇଁ ୫ ହଜାର ଓ ଜଣଙ୍କୁ ଅସହାୟତା ପାଇଁ ୭ ହଜାର ଟଙ୍କାର ଆର୍ଥିକ ସାହଯ୍ୟ ପ୍ରଦାନ ପାଇଁ ଜିଲ୍ଲାପାଳ ମଞ୍ଜୁର କରିଥିଲେ। ସେହିପରି ସି.ଏମ୍‌.ଆର୍‌.ଏଫ୍ ପାଣ୍ଠିରୁ ଚିକିତ୍ସା ସହାୟତା ବାବଦ ଜଣେ ଆବେଦନକାରୀଙ୍କୁ ୧୦ ହଜାର ଟଙ୍କା ପ୍ରଦାନ ପାଇଁ ମଞ୍ଜୁର କରାଯାଇଥିଲା।

ରେସନ୍‌କାର୍ଡ଼ ଏବଂ ସୋସାଇଟିରେ ଧାନ ବିକ୍ରି କରାଯିବା ନେଇ ଯୋଗାଣ ବିଭାଗ ସମ୍ବନ୍ଧୀୟ ସର୍ବାଧିକ ଅଭିଯୋଗ ଥିଲା। କୃଷି, ପ୍ରାଣୀଚିକିତ୍ସା, ଚିକିତ୍ସା, ଶିକ୍ଷା, ସାମାଜିକ ସୁରକ୍ଷା, ଜମିଜମା, କ୍ଷୁଦ୍ର ଜଳସେଚନ ଆଦି ସକ୍ରାନ୍ତୀୟ ଅଭିଯୋଗ ସବୁ ଆଗତ ହୋଇଥିଲା। ସ୍ୱାମୀଙ୍କୁ ଗୁଜରାଟର ସୁରଟ୍‌ରେ ହତ୍ୟା କରାଯିବା ନେଇ ଜଣେ ଅଭିଯୋଗକାରୀଙ୍କ ଆବେଦନର ଶୁଣାଣି କରାଯାଇଥିଲା। ଏହି ଶୁଣାଣି ଶିବିରରେ ସାମାଜିକ ସୁରକ୍ଷା ଯୋଜନାରେ ଜିଲ୍ଲାପାଳ ଧାମନଗର ବ୍ଲକ୍ ର ରଜନୀ ସେଠୀଙ୍କୁ ଦିବ୍ୟାଙ୍ଗ ଭତ୍ତା ଏବଂ ଭଦ୍ରକ ମ୍ୟୁନିସପାଲିଟିର ବିମଳ ଚନ୍ଦ୍ର ଦାସଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରିବା ସହିତ ତିନିଜଣଙ୍କୁ କୃତ୍ରିମ ଅଙ୍ଗ ଏବଂ ଜଣଙ୍କୁ ତିନି ଚକିଆ ସାଇକେଲ ବଣ୍ଟନ କରିଥିଲେ। ଅଭିନେତ୍ରୀ ମହାନ୍ତି ଏବଂ ଲିସାରାଣୀ ରାଉତ ଅଭିଯୋଗ ପଞ୍ଜିକରଣରେ ସହାୟତା ପ୍ରଦାନ କରିଥିଲା ବେଳେ ସହକାରୀ ଜିଲ୍ଲାପାଳ କାର୍ତ୍ତିକ ନାଥ ମଣ୍ଡଳ ଏବଂ ସହାୟକ ଜିଲ୍ଲାପାଳ ବସନ୍ତ କୁମାର ଲେଙ୍କା ଅଭିଯୋଗ ଉପସ୍ଥାପନା କାର୍ଯ୍ୟରେ ସହଯୋଗ କରିଥିଲେ। ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀ ଏହି ଶିବିରରେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟକି ଚଳିତ ମାସର ମିଳିତ ଜନଶୁଣାଣି ଶିବିର ଆୟୋଜନ କାର୍ଯ୍ୟସୂଚୀ ଅନୁଯାୟୀ ଆସନ୍ତା ୯ ତାରିଖ ସୋମବାର ଧାମନଗର ବ୍ଲକରେ, ୧୬ ତାରିଖ ସୋମବାର ବନ୍ତ ବ୍ଲକରେ, ୨୩ ତାରିଖ ସୋମବାର ସରକାରୀ ଛୁଟି ଦିନ ଥିବାରୁ ପରବର୍ତ୍ତୀ ଦିନ ୨୪ ତାରିଖ ମଙ୍ଗଳବାର ବାସୁଦେବପୁର ବ୍ଲକରେ ଓ ଏ ମାସର ଶେଷ ସୋମବାର ୩୦ ତାରିଖ ଦିନ ତିହିଡ଼ି ବ୍ଲକରେ ଶୁଣାଣି କାର୍ଯ୍ୟ ଅନୁଷ୍ଠିତ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.