Home ଜିଲ୍ଲା ପରିକ୍ରମା ନିର୍ଯ୍ୟାତନା ସହି ନପାରି ଘରଛାଡ଼ିଥିଲେ ସଙ୍ଗୀତା

ନିର୍ଯ୍ୟାତନା ସହି ନପାରି ଘରଛାଡ଼ିଥିଲେ ସଙ୍ଗୀତା

94

ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଧିନ ଖଳାଗଢିଆ ଗ୍ରାମର ସତ୍ୟବାନ ଯେନାଙ୍କ ସ୍ତ୍ରୀ ସଙ୍ଗୀତା ତାଙ୍କ ଶ୍ୱଶୁରଘରେ ଯୌତୁକ ନିମନ୍ତେ ନିର୍ଯ୍ୟାତନାର ଶିକାର ହୋଇ ଆସୁଛନ୍ତି । ଏ ନେଇ ତାଙ୍କ ବାପଘର ଭଦ୍ରକ ଗ୍ରାମାଞ୍ଚଳ ଥାନା ସାନକିଆଗଢିଆ ଗ୍ରାମର କୃଷ୍ଣଚନ୍ଦ୍ର ଯେନା ବାରମ୍ବାର ଝିଅ ଘରକୁ ଯାଇ ବୁଝାସୁଝା କରି ଛାଡ଼ି ଆସୁଥିଲେ ବି ଶ୍ୱଶୁରଘର ଲୋକଙ୍କର କୌଣସି ପରିବର୍ତ୍ତନ ହେଉ ନାହିଁ । ସଙ୍ଗୀତା ନିଖୋଜ ହୋଇଯାଇଥିବା ଖବର ଗତ ୧୮ ତାରିଖ ଖବର କାଗଜରେ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଥିଲା । ତେବେ ଗତକାଲି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଡ଼ୁଙ୍ଗୁରା ଅଞ୍ଚଳରୁ ସଙ୍ଗୀତାଙ୍କ ଭାଇଙ୍କ ପାଖକୁ ଫୋନରେ ସଙ୍ଗୀତା ସେଠାରେ ଅଛନ୍ତି ବୋଲି ଖବର ଆସିଥିଲା । ତୁରନ୍ତ ତାଙ୍କ ଭାଇ ତପନ ଡ଼ୁଙ୍ଗୁରାରେ ପହଞ୍ଚି ସଙ୍ଗୀତାଙ୍କୁ ଆଣି ଏସପିଙ୍କ ଅଫିସକୁ ଯାଇଥିଲେ । ସେଠାରେ ତାଙ୍କୁ ବନ୍ତ ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ସଙ୍ଗୀତାଙ୍କ ବୟାନରୁ ପ୍ରକାଶଯେ, ଯୌତୁକ ଟଙ୍କା ତାଙ୍କ ବାପା ଦେଇପାରୁ ନଥିବାରୁ ତାଙ୍କୁ ଶାଶୁଘର ଲୋକେ ସର୍ବଦା ନିର୍ଯ୍ୟାତନା ଦେଇ ଆସୁଛନ୍ତି । ଗତ ୩ ତାରିଖ ବିଳମ୍ବିତ ରାତ୍ରରେ ଏକ ଲୁଙ୍ଗିରେ ବାନ୍ଧି ସ୍ୱାମୀ, ଶାଶୁ, ଦିଅର, ନଣନ୍ଦ ପ୍ରବଳ ମାଡ଼ ମାରିଥିଲେ । ସେମାନଙ୍କ ଅତ୍ୟାଚାର ସହି ନପାରି ତଥା ସମସ୍ୟାର ସମାଧାନ ହେଉ ନଥିବାରୁ ସେ ଚରମ୍ପା ରେଳଷ୍ଟେସନ ପାଖରେ ଆତ୍ମହତ୍ୟା କରିବାକୁ ଚିନ୍ତା କରି ଶ୍ୱଶୁରଘରୁ ପଳାଇ ଯାଇଥିଲେ । ତେବେ ଚରମ୍ପା ଯିବାକୁ ସେ ଭୁଲ୍‌ବଶତଃ ଡ଼ୁଙ୍ଗୁରା ବସରେ ଚଢିଯାଇଥିଲେ । ଡ଼ୁଙ୍ଗୁରାରେ ଓହ୍ଲାଇ ରାସ୍ତା ପାଖରେ ବସି ନିରାଶ୍ରୟ ଭାବେ କାନ୍ଦୁଥିବା ବେଳେ ଜଣେ ବୃଦ୍ଧା ମହିଳା ତାଙ୍କୁ ସଙ୍ଗରେ ନେଇ ତାଙ୍କ ଘରେ ରଖିଥିଲେ । ଏନେଇ ସଙ୍ଗୀତା ବନ୍ତ ଥାନାରେ ଦୋଷୀମାନଙ୍କ ବିରୁଦ୍ଧେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ତାଙ୍କୁ ନ୍ୟାୟ ଓ ସୁରକ୍ଷା ଯୋଗାଇ ଦେବାକୁ ନିବେଦନ କରିଛନ୍ତି । ଅନ୍ୟପକ୍ଷରେ ସଙ୍ଗୀତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଣ୍ଟା ଭିଡ଼ିଛି ବରପଦାର ମା’ ସିଦ୍ଧଦୁର୍ଗା ଟ୍ରଷ୍ଟ । ଟ୍ରଷ୍ଟର ଅଧ୍ୟକ୍ଷ ଭରତ ଚନ୍ଦ୍ର ବାରିକ ଏନେଇ ମହିଳା କମିଶନଙ୍କୁ ଭେଟି ସଙ୍ଗୀତାଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.