Home ଓଡ଼ିଶା ନିର୍ମାଣ ଶ୍ରମିକଙ୍କୁ କରେନା ସହାୟତା ପ୍ରଦାନ ଓ ଅନ୍ୟାନ୍ୟ ଦାବିରେ ଶ୍ରମ କମିଶନର୍‌ଙ୍କ କାର୍ଯ୍ୟାଳୟ ଘେରାଉ

ନିର୍ମାଣ ଶ୍ରମିକଙ୍କୁ କରେନା ସହାୟତା ପ୍ରଦାନ ଓ ଅନ୍ୟାନ୍ୟ ଦାବିରେ ଶ୍ରମ କମିଶନର୍‌ଙ୍କ କାର୍ଯ୍ୟାଳୟ ଘେରାଉ

27

ଭୁବନେଶ୍ୱର, ୧୧.୦୧ (ଓଡ଼ିଆ ପୁଅ) : ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ କୋଭିଡ୍ ସହାୟତା ପ୍ରଦାନରେ ଉଦାସୀନତା ବିରୁଦ୍ଧରେ ଓ ଅନ୍ୟାନ୍ୟ ଦାବିରେ ନିର୍ମାଣ ଶ୍ରମିକ ୟୁନିୟନ୍ ସମନ୍ୱୟ କମିଟି ତରଫରୁ ଶ୍ରମକମିଶନର୍ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ହୋଇ ଦାବିପତ୍ର ପ୍ରଦାନ କରାଯାଇଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ନିର୍ମାଣ ଶ୍ରମିକ ମାଷ୍ଟରକ୍ୟାଣ୍ଟିନ୍ ଛକଠାରୁ ଶୋଭାଯାତ୍ରାରେ ବାହାରି ଶ୍ରମି କମିଶନର୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭ ସ୍ଥଳରେ ରାଜକିଶୋର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ସମନ୍ୱୟ କମିଟିର ରାଜ୍ୟ ଆବାହକ ବିଜୟ ଜେନା ନିର୍ମାଣ ଶ୍ରମିକଙ୍କ ଦାବି ଉପସ୍ଥାପିତ କରିବା ସହ ସରକାର ନିର୍ମାଣ ଶ୍ରମିକଙ୍କ ସମସ୍ୟା ସମାଧାନ ପାଇଁ ଦାବି କରିଥିଲେ।

ନିର୍ମାଣ ଶ୍ରମିକଙ୍କ ସର୍ବନିମ୍ନ ଦାବି, ଯଥା ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ କରୋନା ସହାୟତା ରାଶି ପ୍ରଦାନ ପାଇଁ ନିର୍ମାଣ କଲ୍ୟାଣ ବୋର୍ଡ଼ ଗତ ଏପ୍ରିଲ ମାସରୁ ଆବଶ୍ୟକ ଅନୁଦାନ ଓ ନିର୍ଦ୍ଦେଶନାମା ପ୍ରଦାନ କରିଥିଲେ ମଧ୍ୟ ଅଧିକାଂଶ ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ପ୍ରଦାନ କରାଯାଇ ନାହିଁ। ସମନ୍ୱୟ କମିଟି ତରଫରୁ ବିଭିନ୍ନ ସମୟରେ ଶ୍ରମ ବିଭାଗ ଓ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ବିକ୍ଷୋଭ ଓ ଚିଠି ଜରିଆରେ ଅବଗତ କରାଯାଇଥିଲେ ମଧ୍ୟ ତାହା ଦୀର୍ଘ ନଅ ମାସ ବିତି ଯାଇଥିଲେ ମଧ୍ୟ ହଜାର ହଜାର ନିର୍ମାଣ ଶ୍ରମିକ ସହାୟତା ରାଶି ପାଇବାରୁ ବଞ୍ôଚତ ହୋଇଛନ୍ତି। ତତ୍‌ସହିତ ନିର୍ମାଣ ଶ୍ରମିକଙ୍କ ଜ୍ୱଳନ୍ତ ସମସ୍ୟା ଯଥା :- କଲ୍ୟାଣ ବୋର୍ଡ଼ର ତୃଟିପୂର୍ଣ୍ଣ ନିର୍ଦ୍ଦେଶନାମା ଯୋଗୁ ବହୁ ଶ୍ରମିକ ଲେବର କାର୍ଡ ପୁନଃ କାର୍ଯ୍ୟକ୍ଷମ କରିପାରିଲେ ନାହିଁ। ଫଳରେ କରୋନା ସହାୟତା ରାଶି ପାଇବାରୁ ବଞ୍ôଚତ ହେଲେ। ତେଣୁ ସମସ୍ତ ପଞ୍ଜିକୃତ ଶ୍ରମିକଙ୍କୁ କରୋନା ସହାୟତା ପ୍ରଦାନ, ଉଭୟ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ପିଲାଙ୍କୁ ସହାୟତା ରାଶି ପ୍ରଦାନ, ଅଘୋଷିତ ଭାବେ ବନ୍ଦ କରାଯାଇଥିବା ଯନ୍ତ୍ରପାତି ଓ ନିରାପତ୍ତା ଉପକରଣ ଏବଂ ସାଇକେଲ ପ୍ରଦାନ, ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ତାଲିମ ନେଇଥିବା ପଞ୍ଜିକୃତ ଶ୍ରମିକଙ୍କୁ ଭତ୍ତା ପ୍ରଦାନ, ଚିକିତ୍ସା ସହାୟତା ରାଶି ପ୍ରଦାନ, ଅଘୋଷିତ ଭାବରେ ବନ୍ଦ କରାଯାଇଥିବା ପଞ୍ଜିକରଣକୁ ଚାଲୁ କରିବା, କଲ୍ୟାଣ ବୋର୍ଡ଼ର ଆବଶ୍ୟକ ଭିତ୍ତିଭୂମି ଗଠନ, ଶତକଡ଼ା ୧ ଭାଗ ପରିବର୍ତ୍ତେ ୨ ଭାଗ ସେସ୍ ଆଦାୟ, ପେନ୍‌ସନ୍ ପାଇବା ପାଇଁ ଆଠ ବର୍ଷର ଅବଧି ଉଠାଇ ୬୦ ବର୍ଷ ହେଲେ ସମସ୍ତ ଶ୍ରମିକଙ୍କୁ ୩୦୦୦ ଟଙ୍କା ପେନସନ୍ ପ୍ରଦାନ, ଶିକ୍ଷା ଓ ଅନ୍ୟାନ୍ୟ ସହାୟତା ରାଶି ନିୟମାନୁସାରେ ପ୍ରଦାନ ଆଦି ଦାବି ଉପରେ ଏକ ପ୍ରତିନିଧି ମଣ୍ଡଳୀ ଶ୍ରମ କମିଶନରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସମନ୍ୱୟ କମିଟିର ନେତା ସୁର ଜେନା, ବିକ୍ରମ ନାୟକ, ବିପ୍ଳବ କେଶରୀ ମହାପାତ୍ର, ମହାବୀର ପ୍ରସାଦ ମିଶ୍ର, ଜ୍ଞାନରଞ୍ଜନ ଦାସ, ମଞ୍ଜୁଳା ମଞ୍ଜରୀ ମିଶ୍ର, ଶଙ୍କର ବେହେରା, ଦିଲ୍ଲୀପ ମହାନ୍ତି, ଅଶୋକ ସାହୁ, ପ୍ରବୀଣ ଦାସ, ସତ୍ୟନାରାୟଣ ତ୍ରିପାଠୀ, ଇନ୍ଦ୍ରଜିତ ତାଣ୍ଡି, ଅବକାଶ ସାହୁ, ମୋହନ ମହାରଣା, ରବିନ୍ଦ୍ର ନାଥ ମହାନ୍ତି, ସୁଦର୍ଶନ ବାରିକ, ଲୋକନାଥ ମହାରଣା, ମନୋରଞ୍ଜନ ସାହୁ, ଶେଖ ଅମଜାଦ୍ ଅଲ୍ଲୀ, କରୁଣାକର ମହାରଣା, ମଧୁସୂଦନ ପ୍ରଧାନ, ସୋମନାଥ ଗିରି ପ୍ରମୁଖ ବକ୍ତବ୍ୟ ଦେଇ ନିର୍ମାଣ ଶ୍ରମିକଙ୍କ ନ୍ୟାୟୋଚିତ ଦାବି ମାନି ନେବାକୁ ଆହ୍ୱାନ ଦେଇଥିଲେ। ନଚେତ୍ ଆଗାମୀ ମାର୍ଚ୍ଚ ମାସରେ ଅହୋରାତ୍ର ଧାରଣା ଅନୁଷ୍ଠିତ ହେବ। ସେଥିପାଇଁ ସରକାର ଦାୟୀ ରହିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.