Home ଅନୁଗୁଳ ନିରାଡ଼ମ୍ବର ଭାବେ ପାଳିତ ହେବ ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଉଭାସ୍ଥଳୀ ଅବା ପୀଠକୁ ନ...

ନିରାଡ଼ମ୍ବର ଭାବେ ପାଳିତ ହେବ ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଉଭାସ୍ଥଳୀ ଅବା ପୀଠକୁ ନ ଆସିବାକୁ ତାଳଚେର ଉପଜିଲ୍ଲାପାଳଙ୍କ ଅନୁରୋଧ

215

ତାଳଚେର,୪/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ତାଳଚେର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ମା ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡର ସଦସ୍ୟମାନଙ୍କ ଉପସ୍ଥିତିରେ ତାଳଚେର ଉପଜିଲ୍ଲାପାଳ ତଥା ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ରଜନୀକାନ୍ତ ସ୍ୱାଇଁ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ଚଳିତ ବର୍ଷ ମାଆଙ୍କ ଏହି ଅନନ୍ୟ ଯାତ୍ରା ଚଳିତ ଅପ୍ରେଲ ମାସ ୭ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ କୋରୋନା ଭୂତାଣୁର ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ନିରାଡମ୍ବର ସହକାରେ ପାଳନ କରିବାକୁ ସ୍ଥିର କରାଯାଇଥିଲା । ଯାତ୍ରାରେ କେବଳ ମାଙ୍କ ପୂଜକ, ସେବାୟତଙ୍କ ଉପସ୍ଥିତିରେ ତଥା ସାମାଜିକ ଦୂରତା ରକ୍ଷା କରି ପାରମ୍ପରିକ ବିଧିବିଧାନ ଅନୁଯାୟୀ ପୂଜା ସମ୍ପନ୍ନ କରାଯିବ ବୋଲି ବୈଠକରେ ନିଷ୍ପତି ହୋଇଥିଲା । ଚଳିତ ବର୍ଷ ଯାତ୍ରାରେ କୌଣସି ଶ୍ରଦ୍ଧାଳୁ ମାଆ ହିଙ୍ଗୁଳାଙ୍କୁ ଦର୍ଶନ କରିବା ପାଇଁ ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ପୀଠକୁ ନ ଆସିବା ପାଇଁ ବାରଣ କରାଯାଇଥିଲା । ଏହା ସହିତ ଛୋଟ ଶିଶୁମାନଙ୍କର ଚୁଟି ମୁଣ୍ଡନ କାର୍ଯ୍ୟ ମଧ୍ୟ ହେବ ନାହିଁ ବୋଲି ସର୍ବସମ୍ମତି କ୍ରମେ ସ୍ଥିର କରାଯାଇଥିଲା । କୋରୋନା ଭୂତାଣୁର ପ୍ରଭାବ ଶେଷ ହେବା ପରେ ଟ୍ରଷ୍ଟ ବୋର୍ଡ ସଦସ୍ୟମାନଙ୍କ ଉପସ୍ଥିତିରେ ଏକ ସ୍ୱତନ୍ତ୍ର ବୈଠକରେ ଚୁଟି ମୁଣ୍ଡନ ନିମନ୍ତେ ଦିନ ଧାର୍ଯ୍ୟ କରାଯିବ ବୋଲି ନିଷ୍ପତି ନିଆ ଯାଇଥିଲା । ଯାତ୍ରା ଦିନ ବିଭିନ୍ନ ଛକ ତଥା ରାସ୍ତାରେ ବ୍ୟାପକ ପୋଲିସ ମୂତୟନ କରାଯିବାର ନିଷ୍ପତି ହୋଇଛି । ଏଣୁ ନିୟମ ଭଙ୍ଗ ନକରି ଘରେ ସଙ୍ଗରୋଧ ହୋଇ ରହିବାକୁ ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ । କୋରୋନା ଭୂତାଣୁକୁ ପ୍ରତିରୋଧ କରିବା ଉଦ୍ଦେଶ୍ୟରେ ସମଗ୍ର ଦେଶ ଲକ୍ ଡାଉନରେ ଥିବା ବେଳେ ଚଳିତ ବର୍ଷ ମା’ଙ୍କ ପୀଠରେ କୌଣସି ଦୋକାନ, ବଜାର, ମୀନାବଜାର କିମ୍ବା ଲୋକ ମହୋତ୍ସବ ଅନୁଷ୍ଠିତ ହେବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ଏହି ବୈଠକରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.