Home ଓଡ଼ିଶା ଲକ୍ ଡାଉନ୍ ସମୟରେ ପାନୀୟ ଜଳ ପାଇଁ ହଟହଟା ହେଉଛନ୍ତି ଦୁଇ ୱାର୍ଡର ବାସିନ୍ଦା, ସମସ୍ୟାର...

ଲକ୍ ଡାଉନ୍ ସମୟରେ ପାନୀୟ ଜଳ ପାଇଁ ହଟହଟା ହେଉଛନ୍ତି ଦୁଇ ୱାର୍ଡର ବାସିନ୍ଦା, ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀଙ୍କ ଦାବି

93

କେନ୍ଦୁଝର, ତା ୦୪ ଅପ୍ରେଲ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ଲକ୍ ଡାଉନ୍ ସମୟରେ ପାଣି ଟୋପାଏ ପାଇଁ ହଟହଟା ହେଉଛନ୍ତି ଦୁଇ ୱାର୍ଡର ବାସିନ୍ଦା । ଗ୍ରୀଷ୍ମପ୍ରବାହ ଭିଷଣ ଖରା ଓ ଦେଶରେ କରୋନା ମହାମାରୀ ଆତଙ୍କର ଭୟ ସହ ଲକ୍ ଡାଉନ୍ ସମୟରେ ପାନୀୟ ଜଳ ଦେଉଛି ଦୁଇ ୱାର୍ଡବାସୀଙ୍କୁ ଦାରୁଣ ଦୁଃଖ । ଏମିତି ଏକ ଅଭାବନୀୟ ପରିସ୍ଥିତି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନୟାଗଡ଼ ପଞ୍ଚାୟତର ୯ ଓ ୧୦ ନମ୍ବର ୱାର୍ଡରେ ଦେଖିବାକୁ ମିଳିଛି । ୧୦.୨୩ ଲକ୍ଷ ଟଙ୍କା ଖର୍ଚ୍ଚ କରି ଡିଏମଏଫ୍ ଅନୁଦାନରୁ ହୋଇଥିବା ସୋଲାର ପାଇପ୍ ଲାଇନ୍ ଏବେ ଅଚଳ ଅବସ୍ଥାରେ ପଡ଼ିଛି । ସରକାରଙ୍କ ତରଫରୁ ହୋଇ ଥିବା ତିନୋଟି ନଳକୂପ ମଧ୍ୟରୁ ଦୁଇଟି ପୁରା ପୁରି ଅଚଳ ଥିବା ବେଳେ ବଳଦାର ସେରାଜୁଦିନ କମ୍ପାନୀ ଦେଇଥିବା ୫୦ ହଜାର ଲିଟରର ଓଭର ହେଡ ପାଣି ଟାଙ୍କିର ମଟରଟି ଦୀର୍ଘ ୬ମାସ ହେଲା ପୋଡ଼ି ଯାଇଥିବା ଯୋଗୁଁ ସେ ମଧ୍ୟ ଅଚଳ ହୋଇ ପଡ଼ିଥିବାର ଦେଖିବାକୁ ମିଳିଛି । ଗ୍ରାମରେ ସବୁ ଅଚଳ ଅବସ୍ଥାରେ ପଡ଼ିଥିବା ବେଳେ ମାତ୍ର ଗୋଟିଏ ନଳକୂପରୁ ପାଣି ବାହାରୁଛି, ହେଲେ ଉକ୍ତ ନଳକୂପରୁ ଖଣ୍ଡ ଖଣ୍ଡ ନାଲି ଗୁଣ୍ଡ ସହ ପାଣି ବାହାରୁଛି । ଯାହା ଫଳରେ ସେହି ପାଣି ପିଇବା ଉପଯୋଗୀ ହେଉନାହିଁ, ପାଣି ନମିଳିବା କାରଣରୁ ବାଧ୍ୟ ହୋଇ ସେହି ପାଣି ପିଇ ଅନେକ ପ୍ରକାରର ରୋଗାକ୍ରାନ୍ତ ହେଉଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏବେ ଲକ୍ ଡାଉନ୍ ସମୟରେ ପିଇବା ପାଣି ସେଠାକାର ଜନସାଧାରଣଙ୍କ ବଡ଼ ଚିନ୍ତାର କାରଣ ପାଲଟିଛି । କରୋନା ଭଳି ମହାମାରୀର ଆତଙ୍କ ସମୟରେ ଲୋକମାନେ ବିଭିନ୍ନ ସଚେତନ ହୋଇ ଘରେ ରହୁଥିବା ବେଳେ ପାନୀୟ ଜଳ ବିନା ବଞ୍ଚିବା ବଡ଼ କଷ୍ଟକର ହୋଇପଡିଛି । ଅନ୍ୟପଟେ କେନ୍ଦ୍ର ଓ ରାଜ୍ୟ ସରକାର ହାତ ଯୋଡ଼ି କହିଛନ୍ତି ଦିନକୁ ଅତି କମରେ କୋଡିଏ ଥର ଭଲ ଭାବେ ସାବୁନରେ ହାତ ରଗଡ଼ି ରଗଡ଼ି ଧୋଇବା ଏବଂ ଲକ୍ ଡାଉନ୍ ନିୟମକୁ ସମସ୍ତେ ମାନି ଚଳିବା । କରୋନା ମହାମାରୀ ଠାରୁ ବଞ୍ଚିତ ହୋଇ ରହିବା ପାଇଁ ଲୋକମାନେ ସରକାରଙ୍କ ନିୟମକୁ ମାନି ଚଳୁଥିବା ବେଳେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଯଥାଶୀଘ୍ର ଦୃଢ଼ ପଦକ୍ଷେପ ଗ୍ରହଣ କରି ଉକ୍ତ ଗ୍ରାମର ପାଣି ସମସ୍ୟା ଦୂର କରିବାକୁ ଗ୍ରାମବାସୀଙ୍କ ଦାବି ହୋଇଛି । ଏଥିସହ ପ୍ରଶାସନ ପକ୍ଷରୁ ଯଥାଶୀଘ୍ର ଗ୍ରାମରେ ପାଣି ସମସ୍ୟାର ସମାଧାନ କରାନଗଲେ ଆଗାମୀ ଦିନରେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.