Home ଜିଲ୍ଲା ପରିକ୍ରମା ନିରାଡମ୍ବର ଭାବେ ବିଦାୟ ନେଲେ ଭଦ୍ରକର ବୁଢା ଓ ପିଲା ଗଣେଶ

ନିରାଡମ୍ବର ଭାବେ ବିଦାୟ ନେଲେ ଭଦ୍ରକର ବୁଢା ଓ ପିଲା ଗଣେଶ

28

ଭଦ୍ରକ, ୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘ ଏକମାସ ଧରି ପାରମ୍ପରିକ ରୀତିରେ ପୂଜା ପାଇବା ପରେ ବୋଇତ ଯୁଗୀୟ ବୁଢା ଗଣେଶଙ୍କ ଭସାଣି ଉତ୍ସବ ସଂପନ୍ନ ହୋଇଛି । କୋଭିଡ୍ କଟକଣାକୁ ନେଇ କମିଟି ପକ୍ଷରୁ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରାଯାଇଛି । ପୁଲିସ୍ ପ୍ରଶାସନ ପକ୍ଷରୁ ମଧ୍ୟ ଏହି ଭସାଣି ଉତ୍ସବ ଉପରେ କଡା ନଜର ରଖାଯାଇଥିଲା । ଏହି ଭସାଣି ଉତ୍ସବ କୋଭିଡ୍ କଟକଣା ମଧ୍ୟରେ ସଂପୂର୍ଣ୍ଣ ନିରାଡମ୍ବର ଓ ଶାନ୍ତିପୂର୍ଣ୍ଣ ଏବଂ ପୂର୍ବବର୍ଷ ମାନଙ୍କ ଠାରୁ ନିଆରା ଥିଲା । ଅଳ୍ପ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଗହଣରେ ବାବାଙ୍କୁ ଏକ ନିରାଡମ୍ବର ଶୋଭାଯାତ୍ରାରେ ନିଆଯାଇ ବିସର୍ଜନ କରାଯାଇଥିଲା । ଶୋଭାଯାତ୍ରା ଯାଉଥିବା ରାସ୍ତା ପାଶ୍ୱର୍ରେ ଥିବା ଶତାଧିକ ଘର ଉପରେ ରହି ନିଜ ଆରାଧ୍ୟକ୍ଷଙ୍କୁ ଲୋତକପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କୋଭିଡ୍ କଟକଣା ସତ୍ୱେ ବୁଢା ଗଣେଶଙ୍କ ମୂର୍ତ୍ତି ତାଙ୍କ ସ୍ଥାୟୀ ମଣ୍ଡପରୁ ବାହାରି ବାଙ୍କା ବଜାର, ଅଲାଲପୁର ଦେଇ ଅତିକ୍ରମ କରିବା ପରେ ଗରଦପୁର କୁମ୍ଭାରସାହି ଘାଟି ଅଭିମୁଖେ ଆଗେଇଥିଲା । ଭସାଣି ଶୋଭାଯାତ୍ରା ସଂଖ୍ୟାଲଘୁ ଅଧ୍ୟୁଷିତ ପୁରୁଣାବଜାରର ବିଭିନ୍ନ ଛକ ଅତିକ୍ରମ କରିବା ସମୟରେ ମୁସଲିମ୍ ସଂପ୍ରଦାୟ ପକ୍ଷରୁ ଶୋଭାଯାତ୍ରାକୁ ପାରମ୍ପରିକ ଭାବରେ ସ୍ୱାଗତ କରାଯାଇଥିଲା । ସମଗ୍ର ରାଜ୍ୟରେ ବୁଢା ଗଣେଶଙ୍କ ଭସାଣି ଉତ୍ସବ ନିଆରା । ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ୫୦ ରୁ ଉର୍ଦ୍ଧ୍ୱ ବାଦ୍ୟ ଦଳ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥାନ୍ତି । କିନ୍ତୁ ଗତ ୨ ବର୍ଷ ହେଲା କୋଭିଡ୍ କଟକଣା ପାଇଁ ଏହା ନିରାଡମ୍ବର ରହିଛି । କେବଳ ପାରମ୍ପରିକ ଘଣ୍ଟ ଧ୍ୱନି ମଧ୍ୟରେ ବାବାଙ୍କୁ ବିସର୍ଜନ କରାଯାଉଛି । ଅନୁରୂପ କୁଆଁସସ୍ଥିତ ପିଲାଗଣେଶ ମାସାଧିକ କାଳ ରହି ପୂଜା ପାଇଆସୁଥିବାବେଳେ ଆଜି ଭସାଣିରେ ଶେଷ ହୋଇଛି । ବାବା ପିଲା ଗଣେଶଙ୍କୁ ନିରାଡମ୍ବର ଭାବେ ଘଣ୍ଟ ହୁଳହୁଳି ମଧ୍ୟରେ ପରିକ୍ରମା କରାଯାଇ ଶେଷରେ ସାଳନ୍ଦୀ ନଦୀରେ ବିସର୍ଜନ କରାଯାଇଛି । ଏହି ଭସାଣି ଉତ୍ସବରେ ଅଳ୍ପ ସଂଖ୍ୟକ ଶ୍ରଦ୍ଧାଳୁ ଭକ୍ତ ସାମିଲ ହୋଇଥିଲେ । ଏହି ବାବା ବୁଢା ଓ ପିଲା ଗଣେଶ ଭସାଣି ଉତ୍ସବରେ ଜିଲା ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.