Home ଅପରାଧ ନିଖୋଜ ବିଦ୍ୟାଳୟ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ୪ ଜଣ ଅଟକ୍

ନିଖୋଜ ବିଦ୍ୟାଳୟ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ୪ ଜଣ ଅଟକ୍

96

ହରିଚନ୍ଦନପୁର, ତା ୪ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ନିଖୋଜ ଥିବା ବିଦ୍ୟାଳୟର ୪ର୍ଥ ଶ୍ରେଣୀର କର୍ମଚାରୀଙ୍କ ମୃତଦେହ ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର ହୋଇଛି । ଖବର ଅନୁଯାୟୀ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପଣ୍ଡାପଡା ଥାନା ତେନ୍ତଳାପଶି ପଞ୍ଚାୟତ ଧନୁର୍ଯୟପୁର ହାଇସ୍କୁଲରେ ନିରଞ୍ଜନ ନାଏକ ରାତ୍ରୀ ଯଗୁଆଳି ଭାବେ କାର୍ଯ୍ୟ କରିନ୍ତି । ଗତ ୨୮ ତାରିଖ ରବିବାର ସନ୍ଧ୍ୟାରେ ବଡକମଣ୍ଡରା ଗ୍ରାମ ସ୍ଥିତ ଘରୁ ବାହାରି ସାଇକେଲ ଯୋଗେ ସ୍କୁଲକୁ ଯାଇଥିଲେ । ହେଲେ ସୋମବାର ସକାଳେ ସେ ଘରକୁ ନଫେରିବାରୁ ପରିବାର ଲୋକେ ତାଙ୍କ ମୋବାଇଲକୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ । ନିରଞ୍ଜନଙ୍କ ଫୋନ୍ ସୁଇଚ ଅଫ୍ ରହିଥିବା ବେଳେ ଅନେକ ଖୋଜା ଖୋଜି ପରେ ବି ତାଙ୍କର କୌଣସି ପତା ମିଳିନଥିଲା । ଘଟଣା ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଜଣେଇବା ପରେ ବିଦ୍ୟାଳୟ ପରିସରରେ ତାଙ୍କ ସାଇକେଲ ଦେଖିବାକୁ ମିଳିଥିଲା । ଏଥିସହ ତାଙ୍କ ବିଶ୍ରାମ ଗୃହଟିର କବାଟ ଖୋଲାଥିବା ଦେଖିବାକୁ ମିଳିଥିଲା । ଏନେଇ ପରିବାର ପକ୍ଷରୁ ପଣ୍ଡାପଡା ଥାନାରେ ଲିଖିତ ଅଭିଯୋଗ ପରେ ଥାନା ଅଧିକାରୀଙ୍କ ଉପସ୍ଥିତିରେ ଅନ୍ୟ ଶ୍ରେଣୀ ଗୃହର ତାଲା ଖୋଲାଯାଇ ଛାତ୍ରଛାତ୍ରୀ ପରିକ୍ଷା ଦେଇଥିଲେ । ପଣ୍ଡାପଡା ଥାନାର ଏକ ଟିମ୍ ନିଖୋଜ ନିରଞ୍ଜନଙ୍କୁ ଖୋଜିବା ପାଇଁ ପ୍ରୟାସ ଜାରି ରଖିଥିବା ସହ ଗତ ବୁଧବାର ୩ଜଣ ଓ ପରେ ଜଣଙ୍କୁ କଟକରୁ ଆଣି ଅଟକ ରଖି ତଦନ୍ତ ଚଳାଇଥିଲା । ଆଜି ଗୋପିନାଥପୁର ଗାଁର ଲଳିତ ମହାନ୍ତଙ୍କ ଅବ୍ୟବହୃତ କୂଅରୁ ମୃତ ଦେହ ଉଦ୍ଧାର ହୋଇଛି । ପୋଲିସ ନିରଞ୍ଜନଙ୍କ ମୃତଦେହ ଉଦ୍ଧାର ପରେ ଜବତ୍ କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ହେଉଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ସହ ପୋଲିସର ତଦନ୍ତ ପରେ ସତ୍ୟାସତ୍ୟ ପଦାକୁ ଆସିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.