Home ଜିଲ୍ଲା ପରିକ୍ରମା ନାବାଳିକା କନ୍ୟାର ଅପହରଣକାରୀକୁ ପୁଲିସ୍ ଘଣ୍ଟ ଘୋଡାଉଛି, ଶେଷରେ ନ୍ୟାୟ ପାଇଁ ପରିବାର ପକ୍ଷରୁ ଆମରଣ...

ନାବାଳିକା କନ୍ୟାର ଅପହରଣକାରୀକୁ ପୁଲିସ୍ ଘଣ୍ଟ ଘୋଡାଉଛି, ଶେଷରେ ନ୍ୟାୟ ପାଇଁ ପରିବାର ପକ୍ଷରୁ ଆମରଣ ଅନଶନ, ଆତ୍ମାହୂତି ଚେତାବନୀ

38

ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଜର ୧୫ ବର୍ଷିୟା ନାବାଳିକା ସ୍କୁଲ ପଢୁଆ କନ୍ୟାର ଅପହରଣ ନେଇ ଏହି ଜିଲାର ଧୁଷୁରୀ ଥାନା ଅଧୀନସ୍ଥ ବେତାଳି ଗାଁ ପାଳସାହି ଗ୍ରାମର ସୁଶୀଳା ପ୍ରଧାନ ଦୀର୍ଘ ୮ ମାସ ତଳେ ସ୍ଥାନୀୟ ଥାନାରେ ଅଭିଯୋଗ ପତ୍ର ଦେବା ସହ ବାରମ୍ବାର ଜିଲା ଆରକ୍ଷୀ ଅଧିକ୍ଷକଙ୍କ ପର୍ଯ୍ୟନ୍ତ ଆକୁଳ ଆବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ନପାଇବାରୁ ଆଜି ପୂର୍ବ ଘୋଷଣା ମତେ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏବଂ ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ଆଜି ତାଙ୍କୁ ଦେଇଥିବା ପ୍ରତିଶ୍ରୁତି ମୂଳେ ଆସନ୍ତା କାଲି ସୁଦ୍ଧା ତାଙ୍କ କନ୍ୟାର ଉଦ୍ଧାର ପୂର୍ବକ ଅପହରଣ କର୍ତ୍ତାଙ୍କୁ ଗିରଫ କରାନଗଲେ ସେ ପୁନର୍ବାର ଆମରଣ ଅନଶନ ସହ ଆବଶ୍ୟକ ପଡିଲେ ଆତ୍ମାହୂତି ଦେବେ ବୋଲି ଚେତାବନୀ ଦେଇଛନ୍ତି । ସୁଶୀଳାଙ୍କର ଅଭିଯୋଗ ପତ୍ରରୁ ଯାହା ଜଣାଯାଏ ତାଙ୍କ ସ୍ୱାମୀ ସନ୍ତୋଷ ପ୍ରଧାନ ଧାମରାରେ କାର୍ଯ୍ୟ କରନ୍ତି । ଗତ ଏପ୍ରିଲ ୧୩ ତାରିଖ ଦିନ ୧୨ ଘଟିକା ସମୟରେ ତାଙ୍କର ନାବାଳିକା କନ୍ୟାକୁ ସ୍ଥାନୀୟ ସାଆଁଳପୁର ଗ୍ରାମର ଭାଗୀରଥି ଜେନାଙ୍କ ପୁତ୍ର ନନ୍ଦକିଶୋର ପୂର୍ବ ଯୋଜନା ଅନୁଯାୟୀ ବଳପୂର୍ବକ ଝିଅର ଅନିଚ୍ଛା ସତ୍ୱେ ଅପହରଣ କରିନେଇଛି ।

ଏଥିପୂର୍ବରୁ ସଂପୃକ୍ତ ଯୁବକ ତାଙ୍କ କନ୍ୟାକୁ ବାରମ୍ବାର ଏକତରଫା ପ୍ରେମ ନିବେଦନ କରି ବିଫଳ ହେବା ପରେ ବିଦ୍ୟାଳୟ ଯିବାଆସିବା ରାସ୍ତାରେ ହଇରାଣ ହରକତ କରିଆସୁଥିଲା । ଏବଂ ତାଙ୍କ କନ୍ୟା ତାକୁ ପ୍ରେମ ନକଲେ ଏସିଡ୍ ପକାଇ ପୋଡିଦେବାର ମଧ୍ୟ ଧମକ ଦେଇଆସୁଥିଲା । ଏବଂ ଏହି ଯୋଜନାବଦ୍ଧ ଅପହରଣ ପଛରେ ତାଙ୍କର ପିତା ଭାଗୀରଥି ଓ ପରିବାର ଲୋକଙ୍କ ହାତ ରହିଛି । ନିଜ କନ୍ୟାର ଏହି ଅପହରଣ ନେଇ ସ୍ଥାନୀୟ ଥାନାଧିକାରୀ ଓ ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ସେ ପ୍ରାୟ ୮ ମାସ ତଳୁ ଅଭିଯୋଗ କରିଆସୁଥିଲେ ମଧ୍ୟ ଧୁଷୁରୀ ଥାନାଧିକାରୀ କେବଳ କେଶ୍ ନଂ ୮୦/୨୧ ମୂଳେ ଏକ ମାମଲା ରୁଜୁ କରି ଚୁପ୍ ହୋଇ ବସିଛନ୍ତି । ଦୀର୍ଘମାସ ଧରି ନିଜ କନ୍ୟାକୁ ଖୋଜିବା ମଧ୍ୟରେ କୌଣସି ସନ୍ଧାନ ନପାଇବା ଏବଂ ପୁଲିସ୍ ଅଭିଯୁକ୍ତଙ୍କ ପରିବାରକୁ ଥାନାକୁ ଡକାଉଥିବା ବିଷୟ ବାରମ୍ବାର କହିଆସୁଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଶେଷରେ ଆଜି ବାଧ୍ୟହୋଇ ଏଭଳି ଚରମ ପନ୍ଥା ଗ୍ରହଣ କରିଥିବା ବିଷୟ ସେ ଗଣମାଧ୍ୟମକୁ କହିଛନ୍ତି । ତେବେ ଜିଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ମୀନା ଥାନାଧିକାରୀ ପ୍ରଫୁଲ୍ଲ କୁମାର ସିଂ ଙ୍କ ଉପସ୍ଥିତିରେ ଆଜି ତାଙ୍କ କନ୍ୟାର ଉଦ୍ଧାର ସହ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.