Home ଓଡ଼ିଶା ନଳକୂପରୁ ବାହାରୁ ନାହଁ ପାଣି ଏକ ମାତ୍ର ଭରସା ହୋଇଛି ଚୂଆ ପାଣି

ନଳକୂପରୁ ବାହାରୁ ନାହଁ ପାଣି ଏକ ମାତ୍ର ଭରସା ହୋଇଛି ଚୂଆ ପାଣି

138

କେନ୍ଦୁଝର ୩୧.୩.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ଝୁମ୍ପୁରା ବ୍ଲକ, ଅର୍ଶଳା ଗ୍ରାମ ପଂଚାୟତର ତେଲି ଅର୍ଶଳା ଗ୍ରାମର ତାମୁଡିଆ ସାହୀ। ଏଠରେ ରହୁଥିବା ୩୦ରୁ ଉର୍ଦ୍ଧ୍ୱ ଗରୀବ ଆଦିବାସୀ ପରିବାରଙ୍କ ପାନୀୟ ଜଳର ଆବଶ୍ୟକତା ମେଣ୍ଟାଇବା ପାଇଁ ରହିଛି, ଗୋଟିଏ ମାତ୍ର ନଳକୂପ। ହେଲେ ଏବେ ଖରାର ତାପମାତ୍ରା ବଢି ଚାଲିଥିବା ବେଳେ ଏହି ନଳକୂପଟି ବାରମ୍ବାର ଅଚଳ ହୋଇ ପଡୁଛି ଏବଂ ଠିକ ଭାବେ ପାଣି ବାହାରୁ ନାହିଁ। ଏପରି କି ମଧ୍ୟାହ୍ନ ସମୟକୁ ପ୍ରାୟତଃ ଆଦୌ ପାଣି ବାହାରୁ ନାହିଁ। ଏଥି ପାଇଁ ଏକମାତ୍ର ଆରଡେଇ ନଦୀ କୂଳର ଚୂଆ ପାଣି ଭରସା ପାଲଟିଛି ସାହୀବାସିନ୍ଦାଙ୍କର। ବର୍ତମାନର ନଳକୂପକୁ ସଜାଡିବା ସହ ଆଉ ଗୋଟିଏ ନଳକୂପର ବହୁ ଆବଶ୍ୟକତା ରହିଛି ବୋଲି କହିଛନ୍ତି ତାମୁଡିଆ ସାହିର ସୁରେୟା ବାଲମୁଚୁ, ରାସମନୀ ମାଝୀ, ରୁକ୍ମଣୀ ମାଝୀ, ସୁନିଆ ମାଝୀ, ରାଧା ତନ୍ତୀ, ସୁକୁମତି ମାଝୀ, ମଙ୍ଗୁଳି ତନ୍ତୀ ପ୍ରମୁଖ ସ୍ଥାନୀୟ ଅଧିବାସୀ। ଏନେଇ ସାହି ବାସିନ୍ଦା ଅର୍ଶଳା ପଂଚାୟତ କାର୍ଯ୍ୟାଳୟରେ ଅଭିଯୋଗ କରିବା ସହିତ ଝୁମ୍ପୁରାସ୍ଥିତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ କାର୍ଯ୍ୟାଳୟରେ ମଧ୍ୟ ଗୁହାରି କରିଛନ୍ତି। ହେଲେ ସମସ୍ୟା ରେ ସୁଧାର ଆସୁନାହିଁ।

ତାମୁଡିଆ ସାହିର ପାନୀୟ ଜଳ ସମସ୍ୟା ନେଇ ଅର୍ଶଳା ସରପଂଚ ପ୍ରସନ୍ନ ନାଏକ କୁହନ୍ତି, ତାମୁଡିଆ ସାହିରେ ନୂଆ ଭାବେ ନଳକୂପ ଖୋଳାଯିବା ନିମନ୍ତେ ରେଜୁଲେସନ କରାଯାଇ ରିପୋର୍ଟ ଦିଆଯାଇଛି। ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଯନ୍ତ୍ରୀ ମୋହନ ସିଂ କହିଲେ, ନଳକୂପ ସଜଡା ଯିବା ସହିତ ନୂତନ ନଳକୂପ ଖନନ ପାଇଁ ପଦକ୍ଷେପ ନିଆଯାଉଛି। ଝୁମ୍ପୁରା ବିଡିଓ ମମତାରାଣୀ ନାଏକଙ୍କ ସହିତ ଯୋଗାଯୋଗ ହୋଇ ପାରିନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.