Home ଜିଲ୍ଲା ପରିକ୍ରମା ନଭେମ୍ବର ୫ରେ ସୁନାମି ମକ୍‌ଡ଼୍ରିଲ, ବାସୁଦେବପୁର ର ୫ଟି ଗ୍ରାମରେ ହେବ ଅଭ୍ୟାସ

ନଭେମ୍ବର ୫ରେ ସୁନାମି ମକ୍‌ଡ଼୍ରିଲ, ବାସୁଦେବପୁର ର ୫ଟି ଗ୍ରାମରେ ହେବ ଅଭ୍ୟାସ

19

ଭଦ୍ରକ, ୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରାକୃତିକ ବିପର୍ଯ୍ୟୟ ସୁନାମି ସତର୍କତା ଓ ସଚେତନତା ପାଇଁ ନଭେମ୍ବର ୫ ତାରିଖ ରବିବାର ଦିନ ହେବାକୁ ଥିବା ମକ୍‌ଡ଼୍ରିଲ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କାର୍ଯ୍ୟାଳୟର ସାଳନ୍ଦୀ ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପଜିଲ୍ଲାପାଳ ମନୋଜ ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ର, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ମନୋରମା ଜାଲି ପ୍ରମୁଖ ଯୋଗ ଦେଇଥିଲେ । ଭୂମିକମ୍ପ ଯୋଗୁଁ ସୃଷ୍ଟି ହେଉଥିବା ସୁନାମି ଆମ ରାଜ୍ୟରେ ଅଦ୍ୟାବଧି ହୋଇନଥିଲେ ବି ଭବିଷ୍ୟତରେ ଯେ ତାହା ନ ହେବ ସେ କଥା କହିହେବ ନାହିଁ । ତେଣୁ ସୁନାମି ଭଳି ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟରୁ ଧନଜୀବନ ରକ୍ଷା ପାଇଁ ଜନସାଧାରଣଙ୍କୁ ସଚେତନ କରାଯିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ ଆୟୋଜିତ ହେବାକୁ ଥିବା ସୁନାମି ମକ୍‌ଡ଼୍ରିଲ କାର୍ଯ୍ୟକ୍ରମ ଭଦ୍ରକ ଜିଲ୍ଲାର ଉପକୂଳ ଅଞ୍ଚଳ ବାସୁଦେବପୁର ବ୍ଲକ୍‌ର ୫ଟି ଗ୍ରାମରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

ରାଜ୍ୟ ସ୍ତରରେ ନିର୍ଦ୍ଧାରିତ ଏହି ଗ୍ରାମ ମାନଙ୍କରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସମ୍ପୃକ୍ତ ସମସ୍ତ ବିଭାଗୀୟ ଅଧିକାରୀ, କର୍ମଚାରୀମାନଙ୍କୁ ସାମିଲ କରାଯାଇ ବିଭାଗୀୟ କାର୍ଯ୍ୟଧାରା ପ୍ରଦର୍ଶନ ପାଇଁ ଆଲୋଚନା କରାଯାଇ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ଅଢ଼ୁଆଁ, ବଡ଼ବାହଳି ସାହି, କୃଷ୍ଣପୁର, କୁମାରପୁର ଏବଂ ମୋହନପୁର ଗ୍ରାମରେ ଏହି ମକଡ଼୍ରିଲ ଅନୁଷ୍ଠିତ ହେବ । ଉକ୍ତ ଦିନ ସକାଳ ୯ ଟା ୩୦ ରେ ଆସିବାକୁ ଥିବା ଡମି ବାର୍ତ୍ତା ପାଇ ପୂର୍ବ ପ୍ରସ୍ତୁତି ଅନୁଯାୟୀ ବିଭାଗୀୟ ପ୍ରକ୍ରିୟା କାର୍ଯ୍ୟାନ୍ୱୟନ କରାଯିବ । ସୁନାମି ଆସିଲେ ଆମକୁ କ’ଣ କରିବାକୁ ହେବ ଏବଂ ସୁନାମି ବିପର୍ଯ୍ୟୟ ପରିଚାଳନା ନେଇ ସଂପୃକ୍ତ ବିଭାଗୀୟ କାର୍ଯ୍ୟଧାରା, ଜନପ୍ରତିନିଧି, ଅଗ୍ନିଶମ, ପୋଲିସ ଗଣମାଧ୍ୟମ ଆଦିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଓ ଆଲର୍ଟ ସିଷ୍ଟମ୍ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଡି.ଏସ୍‌.ପି.ଡି.ଆଇ.ବି. କୋଳମ ଲୋଚନ ଭୂୟାଁ, ଜିଲ୍ଲା ଶିକ୍ଷାଧିକାରୀ ଅକ୍ରୁର ବାରିକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପଲତା ପାତ୍ର ପ୍ରମୁଖ ଏହି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସୂଚନା ଯୋଗ୍ୟକି ଏହି ଉପଲକ୍ଷେ ଗତ ସେପ୍ଟେମ୍ବର ୨୯ରେ ଜିଲ୍ଲା ସଂସ୍କୃତି ଭବନରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.