Home ଜିଲ୍ଲା ପରିକ୍ରମା କାର୍ଯ୍ୟରତ ଶିକ୍ଷକଙ୍କୁ ମାଡ଼ ଅଭିଯୋଗ

କାର୍ଯ୍ୟରତ ଶିକ୍ଷକଙ୍କୁ ମାଡ଼ ଅଭିଯୋଗ

72

ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ମହାନ୍ତିପଡ଼ା ଗ୍ରାମ ପଞ୍ଚାୟତର କୁଣ୍ଡି ମହାନ୍ତିପଡ଼ା ୟୁଜିଏମଇ ସ୍କୁଲର ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ଦାଶଙ୍କୁ ଆଜି ସେହି ଗ୍ରାମର ମନୋଜ ବେହେରା ମାଡ଼ ମାରିଥିବାର ଜଣାଯାଇଛି । ଆଗରପଡ଼ା ଥାନାରେ ହୋଇଥିବା ଅଭିଯୋଗରୁ ଜଣା ଯାଇଛି ଯେ ଆଜି ବିଦ୍ୟାଳୟ ଖୋଲା ଥିବାର ଦେଖି ସଂପୃକ୍ତ ବିଦ୍ୟାଳୟ କମିଟିର ସଭ୍ୟ ମନୋଜ ବେହେରା ବିଦ୍ୟାଳୟ ପରିସରକୁ ଯାଇ ବିଦ୍ୟାଳୟର ଅନିୟମିତତା ବିଷୟରେ ପଚାରିବା ସମୟରେ ପ୍ରଧାନଶିକ୍ଷକ ସହ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ମନୋଜ ନିକଟରେ ଥିବା ପ୍ଲାଷ୍ଟିକ ଚେୟାରରେ ପିଟି କୃଷ୍ଣଚନ୍ଦ୍ରଙ୍କ ନାକ ଫଟାଇ ଦେବା ସହିତ ମୁଣ୍ଡକୁ ଫଳାଇ ଦେଇଛନ୍ତି । ଗୁରୁତର କୃଷ୍ଣଚନ୍ଦ୍ରଙ୍କୁ ଗ୍ରାମବାସୀ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ଚିକିତ୍ସିତ କରାଇଥିଲେ । ସଂପୃକ୍ତ ପ୍ରଧାନ ଶିକ୍ଷକ ଜଣେ ସରଳ ଅମାୟିକ ବ୍ୟକ୍ତି ହୋଇଥିବା ବେଳେ ସରକାରଙ୍କ ନିୟାମାନୁଯାୟୀ କାର୍ଯ୍ୟାଳୟରେ ବସି କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ଆକ୍ରମଣ ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ତୁରନ୍ତ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର ଜେନା, ବରିଷ୍ଠ ନାଗରିକ ନନ୍ଦ କିଶୋର ନାୟକ, ଭାଗବତ ପଣ୍ଡା, ନାଏବ ସରପଞ୍ଚ ଜଗନ୍ନାଥ ନାୟକ ପ୍ରମୁଖ ଦାବୀ କରିଛନ୍ତି । ଉପରୋକ୍ତ ଘଟଣା ନେଇ ବ୍ଲକ ଶିକ୍ଷାଧିକାରୀ ଅଧିର କୁମାର ତରାଇଙ୍କୁ ଯୋଗଯୋଗ କରାଯାଇଥିବା ବେଳେ ସେ କହନ୍ତି, ପ୍ରଧାନ ଶିକ୍ଷକଙ୍କୁ ମାଡ଼ ହୋଇଥିବା ଘଟଣା ମୁଁ ଜାଣିଛି, ଏ ବିଷୟରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଶିକ୍ଷାଧିକାରୀଙ୍କୁ ଅବଗତ କରାଇବି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.