Home Top News ଧାମରାରେ ଘରୋଇ ବସ୍‌ରେ ଯାତ୍ରୀଙ୍କୁ ଶୋଷଣ, ମନଇଛା ନେଇଛନ୍ତି ଭଡା, ଅଭିଯୋଗ ଆଣିଲେ ମଝି ରାସ୍ତାରେ...

ଧାମରାରେ ଘରୋଇ ବସ୍‌ରେ ଯାତ୍ରୀଙ୍କୁ ଶୋଷଣ, ମନଇଛା ନେଇଛନ୍ତି ଭଡା, ଅଭିଯୋଗ ଆଣିଲେ ମଝି ରାସ୍ତାରେ ଓହ୍ଲାଇ ଦେଉଛନ୍ତି ଯାତ୍ରୀଙ୍କୁ , ଦାଦାଗିରୀ ଦେଖାଉଛନ୍ତି ବସ୍ କଣ୍ଡକ୍ଟର

56

ଭଦ୍ରକ, ୧୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ଅଂଚଳରେ ଚାଲିଥିବା ଘରୋଇ ବସ୍ ମାଲିକ ଏବଂ କଣ୍ଡକ୍ଟରଙ୍କ ଶିକାର ବନିଛନ୍ତି ସାଧାରଣ ବସ୍‌ଯାତ୍ରୀ। ସାଧାରଣ ଯାତ୍ରୀଙ୍କୁ ସୁରକ୍ଷା ଦେବା ତ ଦୂରର କଥା ଭଡା ଆକାରରେ ଶୋଷଣ କରି ଚାଲିଛନ୍ତି ଯାତ୍ରୀ ମାନଙ୍କୁ। ନିଜର ମନମାନୀରେ ବସ କଣ୍ଡକ୍ଟର ସାଧାରଣ ଯାତ୍ରୀଙ୍କ ପାଖରୁ ସବୁବେଳେ କରୋନାର ଆଳ ଏବଂ ଡିଜେଲର ଅହେତୁକ ମୂଲ୍ୟବୃଦ୍ଧିକୁ ଆଳ କରି ଏହି ଶୋଷଣ କରୁଥିବା ଜଣାଯାଇଛି। ସରକାର ଆଜି ଭଳି ଦିନରେ ଡିଜେଲ ଦର କମାଇଥିବା ବେଳେ ମଧ୍ୟ ଏହାର ଫରକ କିଛି ସାଧାରଣ ଯାତ୍ରୀଙ୍କ ଉପରେ ପଡୁ ନଥିବା ଜଣାଯାଇଛି। ପ୍ରାପ୍ତ ଖବରରୁ ପ୍ରକାଶ ଧାମରାରୁ ଦୈନିକ ୧୦ଟି ଆର୍ନ୍ତରାଜ୍ୟ ବସ ଚାଲିଥିବା ବେଳେ ବାଲେଶ୍ୱର, ଭଦ୍ରକ, କଟକ ଏବଂ ଭୁବନେଶ୍ୱରକୁ ଦୈନିକ ୧୫ରୁ ଅଧିକ ବସ ଚଳାଚଳ କରୁଛି। ଏହି ଆନ୍ତରାଜ୍ୟ ବସ ଗୁଡିକ ସାଧାରଣ ବର୍ଗ ର ହୋଇଥିବା ବେଳେ ଏହି ସମସ୍ତ ବସ୍ ସୁପର ପ୍ରମିୟମ ବସ ର ଭଡା ଠାରୁ ମଧ୍ୟ ବହୁ ଗୁଣରେ ଭଡା ଯାତ୍ରୀ ମାନଙ୍କ ପାଖରୁ ନେଉଥିବା ଅଭିଯୋଗ ହୋଇଛି। କେଉଁ ପରିସ୍ଥିତିରେ ଏହି ସମସ୍ତ ବସର କଣ୍ଡକ୍ଟର ଯାତ୍ରୀ ମାନଙ୍କୁ ଶୋଷଣ କରି ଚାଲିଛନ୍ତି ବୋଲି ପଚାରିବାରୁ ସଂପୃକ୍ତ ବସର କଣ୍ଡକ୍ଟର ମାସିକିଆ ଚାନ୍ଦା ଧାମରା ଥାନା ଠାରୁ ଆରମ୍ଭ କରି କୋଲକାତା ଏବଂ କାନ୍ଥି ଥାନା ଓ ପରିବହନ ବିଭାଗକୁ ଦେଉଛନ୍ତି ବୋଲି ପାଲଟା ଅଭିଯୋଗ ଆଣିଛନ୍ତି।

ଏହି ଆର୍ନ୍ତରାଜ୍ୟ ବସ୍ ଗୁଡିକରେ ରେଟ୍ ଚାର୍ଟ ଲଗା ଯାଉ ନଥିବା ବେଳେ ଏହି ସମସ୍ତ ବସ୍‌ର ଆଡଭାନ୍ସ ଟିକେଟ କାଉଂଟର ଗୁଡିକ ମଧ୍ୟ ଦଲାଲ ଗିରି କରି ଯାତ୍ରୀଙ୍କୁ ଶୋଷଣ କରି ଚାଲିଛନ୍ତି। ଏଥିସହ ଧାମରାରୁ ଭଦ୍ରକ, ବାଲେଶ୍ୱର, କଟକ ଏବଂ ଭୁବନେଶ୍ୱରକୁ ଚାଲୁଥିବା ଗାଡି ଗୁଡିକ ମଧ୍ୟ ମନଇଛା ସାଧାରଣ ଯାତ୍ରୀଙ୍କୁ ଶୋଷଣ କରି ଚାଲିଛନ୍ତି ସେବା ଯୋଗାଇବା ଆଳରେ ସମସ୍ତ ବସ୍ ସାଧାରଣ ବର୍ଗ ରେ ଯାତାୟତ କରୁଥିବା ବେଳେ ଅସାଧାରଣ ଭାବେ ଭଡା ଆଦାୟ କରୁଛନ୍ତି। ତୁରନ୍ତ ଏହି ବସ ଗୁଡିକୁ ଅଚାନକ ଭାବେ ତନଖି କରିବା ସହ ଯାତାୟତ କରୁଥିବା ଯାତ୍ରୀ ମାନଙ୍କ ଠାରୁ କେତେ ଭଡା ନେଉଛନ୍ତି ସେ ବିଷୟରେ ପରିବହନ ବିଭାଗ ଅବଗତ ହେବା ଜରୁରୀ ହୋଇ ପଡିଛି। ଗତକାଲି ବିଳମ୍ବିତ ରାତିରେ ଏକ ଆନ୍ତରାଜ୍ୟ ବସ ଜଣେ ଯାତ୍ରୀ ଏହି ଭଡା ବିଷୟରେ ଅଭିଯୋଗ ଆଣିବାରୁ ସଂପୃକ୍ତ କଣ୍ଡକ୍ଟର ସେହି ଯାତ୍ରୀଙ୍କୁ ଅଧା ବାଟରେ ଛାଡି ଚାଲିଯାଇଥିଲେ। ଫଳରେ ସଂପୃକ୍ତ ବେଙ୍ଗଲୀ ପରିବାର କାନମୁଣ୍ଡ ଆଉଁସି ଆଜି ସକାଳ ସମୟରେ ଅନ୍ୟ ଏକ ଘରୋଇ ବସରେ ପଶ୍ଚିମବଙ୍ଗ ଯାତ୍ରା କରିଥିଲେ ବୋଲି ଏକ ବିଶେଷ ସୂତ୍ରରୁ ଜଣାଯାଇଛି। ବର୍ତ୍ତମାନ ପରିବହନ ବିଭାଗ ସାଧାରଣ ବସକୁ କି.ମି ପିଛା ୮୯ ପଇସା, ଏକ୍ସପ୍ରେସ ୧.୨୯, ଏସି ଡିଲକ୍ସ ୧.୫୭, ସୁପର ପ୍ରିମିୟମ ୨.୪୪ପଇସା ନେବାକୁ ନିର୍ଦେଶ ଦେଇଥିବା ବେଳେ ଧାମରାରୁ ଆନ୍ତାରାଜ୍ୟ ବସ୍ ଗୁଡିକ କି.ମି ପିଛା ନୁହେଁ ଧାମରାରୁ ବାଲେଶ୍ୱର ୧୦୦ କି.ମି ଯିବାକୁ ହେଲେ ୨ଶହ ଟଙ୍କା ଏବଂ ୨୩୫ କି.ମି କାନ୍ଥି କୁ ୩ଶହ ଟଙ୍କା ଏବଂ ୩୪୮ କି.ମି କୋଲକାତାକୁ ୫୫୦ଟଙ୍କା ଯାତ୍ରୀ ଭଡା ବାବଦକୁ ନେଉଥିବା ଜଣାଯାଇଛି। ତୁରନ୍ତ ପରିବହନ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ସହ ସେବା ଯୋଗାଇବା ଆଳରେ ସାଧାରଣ ଯାତ୍ରୀଙ୍କ ଶୋଷଣ କରୁଥିବା ବସ୍ ମାଲିକ ଏବଂ କଣ୍ଡକ୍ଟରଙ୍କ ବିରୁଦ୍ଧରେ ଦୃୃଢ କାର୍ଯ୍ୟନୁଷ୍ଠାନ ନେବାକୁ ସର୍ବସାଧାରଣରେ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.