Home ଜିଲ୍ଲା ପରିକ୍ରମା ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ବିରୁଦ୍ଧରେ ଜନସାଧାରଣଙ୍କ ଅଭିଯୋଗ, ପଦଚ୍ୟୁତ କରିବା ପାଇଁ ବିଭିନ୍ନ ମହଲରୁ...

ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ବିରୁଦ୍ଧରେ ଜନସାଧାରଣଙ୍କ ଅଭିଯୋଗ, ପଦଚ୍ୟୁତ କରିବା ପାଇଁ ବିଭିନ୍ନ ମହଲରୁ ଦାବି

52

ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଅଂଚଳ ଏବଂ ପଡ଼ୋଶୀ ଜିଲାର ହଜାର ହଜାର ଜନସାଧାରଣ ଓ ଶହ ଶହ ରୋଗୀ ନିର୍ଭର କରୁଥିବା ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବେ ରୋଗୀସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଦୀର୍ଘ ୨ବର୍ଷରୁ ଉର୍ଦ୍ଧ୍ୱହେବ ଡ଼ାଃ. ଦୀପକ ନାୟକ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପରିଚାଳନ ଦାୟିତ୍ୱ ନେବାଠାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ରୋଗୀ ଓ ଜନସାଧାରଣ । ତାଙ୍କର ଦୁର୍ବଳ ପରିଚାଳନାଗତ ଦକ୍ଷତା ପାଇଁ ତଳସ୍ତର କର୍ମଚାରୀଙ୍କ ଉପରେ କର୍ତ୍ତୃତ୍ୱ ରହୁନଥିବା ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି । ଗତ ୨୦୨୦ ଅଗଷ୍ଟ ୧୬ ତାରିଖ ଚିଠି ନଂ ୧୯୪୭ ମୂଳେ ତତ୍କାଳୀନ ଜିଲ୍ଳା ମୁଖ୍ୟଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଭଦ୍ରକ, ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡ଼ାକ୍ତର ନାୟକଙ୍କ ଠାରୁ ଅର୍ଥନୈତିକ ଓ ପ୍ରଶାସନିକ କ୍ଷମତା ହସ୍ତାନ୍ତର ନେଇ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଓଡ଼ିଶା ଭୁବନେଶ୍ୱରଙ୍କୁ ପତ୍ର ଲେଖିଥିଲେ । ଅର୍ଥନୈତିକ ଓ ପ୍ରଶାସନିକ ପ୍ରଶିକ୍ଷଣ ନେଇନଥିବାରୁ ଡ଼ାକ୍ତର ନାୟକ କ୍ଷମତା ହସ୍ତାନ୍ତରପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ଅଧିକାରୀଙ୍କ ଏହି ନିର୍ଦ୍ଦେଶକୁ ବେଖାତିର କରିବା ସହିତ ସରକାରୀ ନିୟମକୁ ଖୋଲା ଖୋଲି ଉଲଙ୍ଘନ କରି ଡ଼ାକ୍ତର ନାୟକ ବିଭାଗୀୟ କିରାଣୀ ଗୋପୀନାଥ ପାଢୀଙ୍କ ସହ ମଧୁଚନ୍ଦ୍ରିକା ହେତୁ ବିଭିନ୍ନ ଉନ୍ନୟନ ତଥା କୋଭିଡ଼-୧୯ ପରିଚାଳନା ପାଇଁ ଆସୁଥିବା ଅର୍ଥ ହଡ଼ପ କରୁଥିବା ଅଭିଯୋଗ ହୋଇଛି । ଏପରିକି ଅଧିକାଂଶ ସମୟରେ ଚିକିତ୍ସାଳୟର ଉପର ତାଲାରେ ମଦ ମାଂସର ଆସର ଜମୁଛି ଓ ଏହି ସମୟରେ ମେଡ଼ିକାଲ ସିସିଟ଼ିଭି କ୍ୟାମେରା ବନ୍ଦ ରହୁଥିବା ଦେଖାଯାଇଛି । ତାହା ସହିତ ସହକର୍ମୀ ଓ ରୋଗୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହେଉଛି । ଭାରପ୍ରାପ୍ତ ସ୍ୱାସ୍ଥ୍ୟାଧିକାରୀ ଡ଼ାକ୍ତର ନାୟକଙ୍କ ମନମାନୀ, ବେପରୁଆ, ବିଶୃଙ୍ଖଳିତ ନୀତି ଓ ଆଚରଣ ପାଇଁ ସ୍ଥାନୀୟ ଅଂଚଳବାସୀଙ୍କ ପକ୍ଷରୁ ଉପରିସ୍ଥ ଅଧିକାରୀଙ୍କ ଠାରେ ବାରମ୍ବାର ଅଭିଯୋଗ ହୋଇଆସୁଥିଲେ ମଧ୍ୟ ଜିଲ୍ଳା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଛତ୍ରଛାୟା ତଳେ ଥାଇ ଏମିତି କାଣ୍ଡ ଭିଆଉଥିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ଜନଅସନ୍ତୋଷ ତୀବ୍ର ହେଉଛି ।

ଡ଼ାକ୍ତର ନାୟକଙ୍କୁ ଅନ୍ୟତ୍ର ବଦଳି ନଚେତ ତାଙ୍କ ଠାରୁ କ୍ଷମତା ଅପସାରଣ ପାଇଁ ଜନସାଧାରଣଙ୍କ ପକ୍ଷରୁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ଜିଲ୍ଳା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଦେଖାଯାଇଛି । ପ୍ରକାଶ ଥାଉକି, ଡ଼ାକ୍ତର ନାୟକଙ୍କ ଛତ୍ରଛାୟା ତଳେ ଥିବା ସମ୍ପୃକ୍ତ ଚିକିତ୍ସାଳୟର କିରାଣୀ ଗୋପୀନାଥ ପାଢୀଙ୍କର ଦୁଇମାସ ହେବ ପ୍ରମୋସନ ହୋଇଥିଲେ ମଧ୍ୟ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ଯିବାପାଇଁ କୁଣ୍ଠା ବଳାଉଛନ୍ତି ତେଣୁ ଏ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଚଳିତ ମାସ ୧୭/୦୮/୨୦୨୧ତାରିଖରେ ଧାମନଗର ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ଏବଂ ସଚେତନ ନାଗରିକଙ୍କ ପକ୍ଷରୁ ଭଦ୍ରକ ସିଡ଼ିଏମ୍‌ଓକୁ ଲିଖିତ ଅଭିଯୋଗ ଦିଆଯାଇଥିଲା । ଏହି ଅଭିଯୋଗ ପାଇବା ପରେ ଜିଲ୍ଳା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ କିଛିଦିନ ମଧ୍ୟରେ ଡ଼ାକ୍ତର ନାୟକଙ୍କ ଠାରୁ କେବଳ ଅର୍ଥନୈତିକ କ୍ଷମତା ଅପସାରଣ କରି ଜିଲ୍ଳା ମୁଖ୍ୟଚିକିତ୍ସାଳୟର ଡ଼ାକ୍ତର ଜୟନ୍ତ କୁମାର ପଣ୍ଡାଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିବା ଜଣାଯାଇଛି । କେଇଦିନ ତଳେ ଭଦ୍ରକର ନବ ନିଯୁକ୍ତ ଜିଲ୍ଳାପାଳ ତ୍ରିଲୋଚନ ମାଝୀ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ ଆସି ପାରିପାଶ୍ୱିର୍କ ସ୍ଥିତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଡ଼ାକ୍ତର ନାୟକଙ୍କୁ ତାଗିଦ ମଧ୍ୟ କରିଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ନ ଅସୁବିଧାର ସୁଧାର ଆଣିବାକୁ ପ୍ରତିଶୃତି ଦେଇଥିଲେ । ତେବେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଖାଲିଥିବା ମେଡ଼ିସିନ ଷ୍ପେଶାଲିଷ୍ଟ, ସ୍ତ୍ରୀ ଓ ପ୍ରସୁତି, ଅସ୍ତ୍ରୋପଚାର ଏବଂ ଶିଶୁ ବିଭାଗ ଡ଼ାକ୍ତର, ମେଡ଼ିକାଲ ଅଫିସର ପଦବୀ ପୁରଣ ସହ ଅପାରଗ, ବିଶୃଙ୍ଖଳ ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ନାୟକଙ୍କ ବଦଳି ନତୁବା ପ୍ରଶାସନିକ କ୍ଷମତା ଅପସାରଣ ପୂର୍ବକ ନୂତନ ଅଭିଜ୍ଞତା ସମ୍ପନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ନିଯୁକ୍ତି କ୍ଷେତ୍ରରେ ଦୃଷ୍ଟି ଦେବାକୁ ମାନନୀୟା ସାଂସଦ ଭଦ୍ରକ, ମାନ୍ୟବର ବିଧାୟକ ଧାମନଗର, ବ୍ଲକ ଅଧ୍ୟକ୍ଷ ଓ ବିଭାଗୀୟ ଉଚ୍ଚାଧିକାରୀ, ମାନନୀୟ ଜିଲ୍ଳାପାଳ ଭଦ୍ରକଙ୍କ ସମେତ ରାଜ୍ୟ ସ୍ୱାସ୍ଥ୍ୟ ସଚୀବ, ସ୍ୱାସ୍ତ୍ୟମନ୍ତ୍ରୀ, ୫-ଟି ସେକ୍ରେଟାରି ଓ ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କୁ ଜନସାଧାରଣଙ୍କ ପକ୍ଷରୁ ଲିଖିତ ଅଭିଯୋଗ ଓ ଟୁଇଟର ମାଧ୍ୟମରେ ଅବଗତ କରାଯାଇଛି । ତେବେ ଡ଼ାଃ. ଦୀପକ ନାୟକଙ୍କୁ ପଦଚ୍ୟୁତ କରିବାରେ ବିଳମ୍ବ ହେଲେ ସ୍ଥାନୀୟ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦିଆଯାଇଛିି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.