Home ଜିଲ୍ଲା ପରିକ୍ରମା ଧାମନଗର ଉପ-ନିର୍ବାଚନ ପାଇଁ ୩ପ୍ରମୁଖ ଦଳ ପ୍ରସ୍ତୁତ, ବିଜେଡ଼ି ଆରମ୍ଭ କଲା ପ୍ରସ୍ତୁତି ବୈଠକ

ଧାମନଗର ଉପ-ନିର୍ବାଚନ ପାଇଁ ୩ପ୍ରମୁଖ ଦଳ ପ୍ରସ୍ତୁତ, ବିଜେଡ଼ି ଆରମ୍ଭ କଲା ପ୍ରସ୍ତୁତି ବୈଠକ

70

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବିଧାନସଭାର ବିଧାୟକ ବିଷ୍ଣୁ ସେଠୀଙ୍କ ଅକାଳ ବିୟୋଗପରେ ଧାମନଗର ବିଧାନସଭା ଆସନ ଖାଲିପଡ଼ିଥିବାବେଳେ ନିକଟରେ ନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀଙ୍କ ବିଜ୍ଞପ୍ତିପ୍ରକାଶ କରିବା ପରେ ୩ପ୍ରମୁଖ ରାଜନୈତିକ ଦଳଙ୍କ ମଧ୍ୟରେ ବେସ୍ ଉଷ୍ଣତା ଦେଖାଦେଇଛି। ବିଜେପିର ସ୍ୱର୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁତ୍ର ସୂର୍ଯ୍ୟବଂଶୀ ସୂରଜ ସେଠୀ ପ୍ରାର୍ଥୀ ପାଇଁ ଏକପ୍ରକାର ଘୋଷଣା ହୋଇସାରିଥିବାବେଳେ କଂଗ୍ରେସ ଓ ବିଜେଡ଼ିର ପ୍ରାର୍ଥୀ ଚୟନ ହୋଇପାରିନାହିଁ। ତେବେ ବିଜେଡ଼ିର ଘନ ଘନ ବୈଠକ ପରେ ମଧ୍ୟ ଏପର୍ଯ୍ୟନ୍ତ କିଏ ଦଳିୟ ପ୍ରାର୍ଥୀପାଇଁ ଟିକେଟ୍ ପାଇବ ସେନେଇ ଆସାୟୀ ପ୍ରାର୍ଥୀମାନେ ଭୁବନେଶ୍ୱର ସମେତ ଦଳୀୟ କର୍ମୀଙ୍କ ପାଖରେ ଲବି ଆରମ୍ଭ କରିଦେଇଛନ୍ତି। ଆଜି ଧାମନଗର ବ୍ଳକ ବିଜୁ ଜନତାଦଳର ଧାମନଗର ବ୍ଲକ ଓ ଏନ୍‌ଏସି ପକ୍ଷରୁ ସାଂଗଠନିକ ବୈଠକ ଧାମନଗର କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା। ବ୍ଲକ ସଭାପତି ଉମେଶ ମହାନ୍ତିଙ୍କ ସଭାପତିତ୍ୱରେ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା ଓ ନଭେମ୍ବର ୩ତାରିଖରେ ହେବାକୁ ଥିବା ବିଧାନସଭା ପାଇଁ ଉପ-ନିର୍ବାଚନ ନିମନ୍ତେ ଏହି ବୈଠକରେ ବ୍ଳକ ଓ ଏନ୍‌ଏସିର ବିଭିନ୍ନ ପଂଚାୟତର ସମିତିସଭ୍ୟ, ସରପଂଚ ଓ କାଉନ୍‌ସିଲର ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଚଳିତମାସ ୮ତାରିଖରୁ ୧୨ତାରିଖ ମଧ୍ୟରେ ଧାମନଗର, ଦୋବଲ, ଧୂଷୁରୀ ଓ ଅସୁରାଳି ଜୋନ୍‌ର ଜନସମ୍ପର୍କ ପଦଯାତ୍ରା ଶେଷ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିବାବେଳେ ୧୩ ତାରିଖ ଦିନ ବିଜେଡ଼ିର ବିଧାୟକ ପ୍ରାର୍ଥୀ ନାମ ଘୋଷଣା କରାଯିବା ସହ ୧୪ତାରିଖ ଦିନ ନାମାଙ୍କନପତ୍ର ଦାଖଲ କରାଯିବବୋଲି ପର୍ଯ୍ୟବେକ୍ଷକ ସରୋଜ ମହାପାତ୍ର ସୂଚନା ଦେଇଥିଲେ।

ବିଜେଡ଼ିର ବିଧାୟକ ପ୍ରାର୍ଥୀଭାବେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ରାଜେନ୍ଦ୍ର ଦାସ ଓ ଡ଼ାକ୍ତର ସଞ୍ଜୟ ଦାସଙ୍କ ନାମ ଚର୍ଚ୍ଚାରେ ଥିବାବେଳେ ବିଜେଡ଼ିର ସୁପ୍ରିମୋଙ୍କ ନିଷ୍ପତିକୁ ମାନିବାକୁ ପଡ଼ିବବୋଲି ବୈଠକରେ କାର୍ଯ୍ୟକର୍ତମାନେ ମତପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଧାମନଗର ବ୍ଳକର ପର୍ଯ୍ୟବେକ୍ଷକ ସରୋଜ କୁମାର ମହାପାତ୍ର, ପଦଯାତ୍ରା ପାଇଁ ପର୍ଯ୍ୟବେକ୍ଷକ କୋରେଇ ବିଧାୟକ ଅଶୋକ କୁମାର ବଳ, ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ପଂଚାୟତସମିତି ଉପାଧ୍ୟକ୍ଷ ଜଗବନ୍ଧୁ ପ୍ରଧାନ, ଜିଲ୍ଳାପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ, ଏନ୍‌ଏସି ଅଧ୍ୟକ୍ଷା ନିବେଦୀତା ଜେନା, ଉପାଧ୍ୟକ୍ଷ ଓସିମ୍ ଏଜଦାନି କାଦରି, ଜିଲ୍ଳାପରିଷଦ ସଭ୍ୟ ପ୍ରଦୀପ କୁମାର ମଲ୍ଲିକ, ସାରଦାପ୍ରସନ୍ନ ସାହୁ, ପୂର୍ବତନ ସମିତିସଭ୍ୟ ପ୍ରତାପ ସାମଲ, ସେବା ସମବାୟ ସମିତିର ସଭାପତି ହରେକୃଷ୍ଣ ପାଢୀ, ସୁଶାନ୍ତ କୁମାର ପଣ୍ଡା, ସଞ୍ଜୟ ମହାପାତ୍ର, ଯୁବ ଜନତାଦଳର ବ୍ଲକ ସଭାପତି ଭାରତବିଜୟ ଦଳାଇ, ନଗରସଭାପତି ସୁଶାନ୍ତ କୁମାର ରାଉତ, ଯୁବସଭାପତି ସେକ୍ ସୟଫୁଦ୍ଦିନ୍‌, ପୂର୍ବତନ ବିବିସିସି ସଭାପତି ରଘୁନାଥ ଲେଙ୍କା, ବରିଷ୍ଠ ବିଜେଡ଼ିନେତା ରାମଚନ୍ଦ୍ର ସାହୁ ସମେତ ଦଳୀୟ କାର୍ଯ୍ୟକର୍ତାମାନେ ଉପସ୍ଥିତ ହୋଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ତେବେ ବିଧାୟକ ପାଇଁ ପ୍ରାର୍ଥୀପତ୍ର ଘୋଷଣା ନହେବା ଯାଏ ସାମାଜିକ ଗଣମାଧ୍ୟମରେ କେହିବି ଭୁଲ୍‌ତଥ୍ୟ ପ୍ରକାଶ ନକରିବାପାଇଁ ଦଳିୟ ପର୍ଯ୍ୟବେକ୍ଷକ ଶ୍ରୀ ମହାପାତ୍ର ଉପସ୍ଥିତ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.