Home ଓଡ଼ିଶା ଧାମନଗର ଉପ ନିର୍ବାଚନ, ଦମ୍ ଦେଖାଇବ କଂଗ୍ରେସ, କଂଗ୍ରେସ ପ୍ରାର୍ଥୀ ଚୟନ ଚୂଡାନ୍ତ ପର୍ଯ୍ୟାୟରେ

ଧାମନଗର ଉପ ନିର୍ବାଚନ, ଦମ୍ ଦେଖାଇବ କଂଗ୍ରେସ, କଂଗ୍ରେସ ପ୍ରାର୍ଥୀ ଚୟନ ଚୂଡାନ୍ତ ପର୍ଯ୍ୟାୟରେ

22

ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ଆସନ୍ତା ନଭେମ୍ବର ମାସ ୩ ତାରିଖ ଧାମନଗର ଉପ ନିର୍ବାଚନ। ଏବେର ବିଧାୟକ ବିଷ୍ଣୁ ସେଠୀଙ୍କ ମୃତ୍ୟୁ ପାଇଁ ଏହି ନିର୍ବାଚନର ଆବଶ୍ୟକତା ପଡ଼ିଛି। ଏଥି ନିମିତ୍ତ ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା ସରିଛି। ତେଣୁ ସ୍ୱଭାବିକ୍ ଭାବେ ସମସ୍ତ ରାଜନୈତିକ ଦଳଙ୍କ ପକ୍ଷରୁ ତିତ୍ପରତା ପ୍ରକାଶ ପାଇଛି। ଏହିକ୍ରମରେ କଂଗ୍ରେସର ୩ଜଣିଆ ବରିଷ୍ଠ ନେତୃମଣ୍ଡଳୀ ପର୍ଯ୍ୟବେକ୍ଷକ ଭାବେ ଆସି ଧାମନଗର ବ୍ଳକ ଧୁଷୁରୀ ବାହାରବିଲ ଠାରେ ପହଞ୍ଚି ଦଳୀୟ ସ୍ଥିତି ପରଖିଛନ୍ତି। ଉକ୍ତ ଟିମରେ ଆସିଥିବା ପ୍ରାକ୍ତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ଡ. ଲଲାଟେନ୍ଦୁ ମହାପାତ୍ର, ଚିନ୍ମୟ ବେହୁରିଆ ପ୍ରମୁଖ ଧାମନଗର କଂଗ୍ରେସ ଦଳର ବହୁ ବରିଷ୍ଠ ନେତାଙ୍କ ସମେତ ଉକ୍ତ ବିଧାନସଭା କ୍ଷେତ୍ରର ସମସ୍ତ ୪୪ ପଞ୍ଚାୟତ ଓ ଏକମାତ୍ର୍ର ବିଜ୍ଞାପିତ ଅଞ୍ଚଳରୁ ଆସିଥିବା ନେତୃବୃନ୍ଦଙ୍କ ସହ ଦଳର ପ୍ରାର୍ଥିତ୍ୱ ନେଇ ଆଲୋଚନା କରିଥିଲେ। ବିଶେଷ କରି ୩ରୁ ୪ଜଣ ଆଶାୟୀଙ୍କ ନାମ ଆଲୋଚନାର ପରିଧି ମଧ୍ୟକୁ ଆସିଥିବା ଜଣା ପଡ଼ିଛି। ତେବେ ସେମାନଙ୍କ ମଧ୍ୟରୁ କେଉଁ ପ୍ରାର୍ଥୀଙ୍କ ଦଳ ଚୟନ କଲେ ଦଳର ବିଜୟ ସୁନିଶ୍ଚିତ ହୋଇ ପାରିବ ସେଥି ନେଇ ସମସ୍ତ ବରିଷ୍ଠ ନେତୃମଣ୍ଡଳୀଙ୍କ ଠାରୁ ମତାମତ ନେଇଥିଲେ। ପରେ ସେମାନେ ଭଦ୍ରକ ଫେରି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜିଲ୍ଲା ସଭାପତି ସୁବ୍ରତ ଦାସ, ଧାମନଗରର ବରିଷ୍ଠ ନେତା ତଥା ପ୍ରାକ୍ତନ ମନ୍ତ୍ରୀ ଜଗନ୍ନାଥ ରାଉତଙ୍କ ପୁତ୍ର ଅଭିଷେକ ରାଉତ, ବରିଷ୍ଠ ନେତା ନାରାୟଣ ପାଢ଼ୀ, ପ୍ରସନ୍ନ ଧଳ, ସରୋଜ ଦାସ, ପ୍ରାକ୍ତନ ସାଂସଦ ମୁରଲିଧର ଜେନାଙ୍କ ସହ ବ୍ୟାପକ ବିଚାର ବିମର୍ଷ କରିଥିଲେ। ଦଳର ଏହି ୩ ବରିଷ୍ଠ ନେତା ଆଜି ସଂଧ୍ୟାରେ ଭୁବନେଶ୍ୱର ଫେରି ଯାଇଛନ୍ତି। ସେଠାରେ ପହଞ୍ଚି ଦଳର ହାଇ କମାଣ୍ଡଙ୍କୁ ସମସ୍ତ ବିଷୟ ଅବଗତ କରାଇବେ ବୋଲି ସୂଚନା ମିଳିଛି। ତେବେ ଖୁବଶୀଘ୍ର ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କ ନାମ ଘୋଷଣା ହେବ ବୋଲି ଜିଲ୍ଲା ସଭାପତି ଶ୍ରୀ ଦାସଙ୍କ ଠାରୁ ପ୍ରକାଶ। ଏହାବ୍ୟତୀତ ଆସନ୍ତା ଉପ ନିର୍ବାଚନରେ କଂଗ୍ରେସ ନିଜର ଦମ୍ ଦେଖାଇବ ବୋଲି ଦୃଢ଼ୋକ୍ତି କରିଛନ୍ତି ଶ୍ରୀ ଦାସ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.