Home ଓଡ଼ିଶା ଧାମନଗର ଉପନିର୍ବାଚନ, ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଶାସନିକ ପ୍ରସ୍ତୁତି ସମୀକ୍ଷା ବୈଠକ, ପ୍ରଥମ ଦିନରେ ନାମାଙ୍କନ ପତ୍ର...

ଧାମନଗର ଉପନିର୍ବାଚନ, ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଶାସନିକ ପ୍ରସ୍ତୁତି ସମୀକ୍ଷା ବୈଠକ, ପ୍ରଥମ ଦିନରେ ନାମାଙ୍କନ ପତ୍ର ଦାଖଲ ଶୂନ

18

ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ଉପନିର୍ବାଚନ କାର୍ଯ୍ୟ ପରିଚାଳନା ନେଇ ଗତ ୫-୧୦-୨୦୨୨ରେ ଅନୁଷ୍ଠିତ ପ୍ରଥମ ପ୍ରଶାସନିକ ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆରମ୍ଭ ହେବାକୁ ଥିବା ସଂପୃକ୍ତ ସମସ୍ତ ବିଭାଗୀୟ ପ୍ରସ୍ତୁତି ଓ କାର୍ଯ୍ୟର ଅଗ୍ରଗତି ନେଇ ଜିଲ୍ଲାପାଳଙ୍କ ଦ୍ୱାରା ସମୀକ୍ଷା କରାଯିବା ପାଇଁ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଦ୍‌ଭାବନା ସଭାଗୃହରେ ପୂର୍ବାହ୍ନ ୧୦ ଘଟିକାରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ନିର୍ବାଚନୀ ପ୍ରସ୍ତୁତି ସମୀକ୍ଷା ବୈଠକରେ ଅନ୍ୟତମ ଉଚ୍ଚ ପଦାଧିକାରୀ ଦୁଇ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ଓ ରାମଦାସ ଟୁଡ଼ୁ, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରୀତିମୟ ଓ ଅତିରିକ୍ତ ନିର୍ବାହୀ ଅଧିକାରୀ (ପ୍ରଶାସନ) କୁଶଳ ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ମନୋଜ ପାତ୍ର ପ୍ରମୁଖଙ୍କ ସହ ସଂପୃକ୍ତ ବି.ଡ଼ି.ଓ., ତହସିଲଦାର, ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ନିର୍ବାଚନ କାର୍ଯ୍ୟ ପରିଚାଳନା ନେଇ ଯାହାକୁ ଯାହା ଦାୟିତ୍ୱ ଦିଆଯାଇଛି ବିଳମ୍ବ ନକରି ଯଥା ଶୀଘ୍ର ଯୋଜନା ଓ ପ୍ରସ୍ତୁତି ଆରମ୍ଭ କରିବା ସହ ଧାର୍ଯ୍ୟ ସମୟ ପୂର୍ବରୁ ଶେଷ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ତିହିଡ଼ି ବ୍ଲକ୍ ର ୭୧ ଓ ଧାମନଗର ବ୍ଲକ୍ ର ୧୮୧ ସମୁଦାୟ ୨୫୨ ବୁଥ୍‌ର ନାମ ଠିକ୍ ଅଛିକି ନାହିଁ ତଦାରଖ କରିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଗଲା। ବୁଥ୍‌ସ୍ତରୀୟ ସମସ୍ତ କାର୍ଯ୍ୟ ତଦାରଖ ପାଇଁ ସଂପୃକ୍ତ ବି.ଡ଼ି.ଓ. ତହସିଲଦାରମାନଙ୍କୁ କୁହାଯାଇଥିଲା।

ପୋଲିଂ କର୍ମଚାରୀ ରୂପେ ଦାୟିତ୍ୱ ନିର୍ବାହ ପାଇଁ ଆଜି ମଧ୍ୟରେ ବିଭାଗୀୟ ମୁଖ୍ୟମାନେ ସେମାନଙ୍କ କାର୍ଯ୍ୟାଳୟର କର୍ମଚାରୀ ତାଳିକା ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଗଲା। ବୁଥକୁ ମତଦାନ ପାଇଁ ଯାଇ ନପାରିବା ଅବସ୍ଥାରେ ଥିବା ଦିବ୍ୟାଙ୍ଗ ଏବଂ ୮୦ ବର୍ଷ ବୟସରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ଭୋଟରମାନଙ୍କ ପାଇଁ ପ୍ରଥମ ଥର ପାଇଁ ଏହି ନିର୍ବାଚନରେ ପ୍ରଚଳନ ହେବାକୁ ଥିବା ଡ଼ାକ ଭୋଟ ବ୍ୟବସ୍ଥା ସମ୍ବନ୍ଧରେ ଜିଲ୍ଲାପାଳ ସୂଚନା ଦେବା ସହିତ ବି.ଏଲ୍‌.ଓ ଓ ଅନ୍ୟ କର୍ମଚାରୀମାନଙ୍କ ଜରିଆରେ ଏ ପ୍ରକାର ଭୋଟରମାନଙ୍କୁ ଚିହ୍ନଟ ପାଇଁ ସର୍ଭେ କରାଯିବା ସହ ଡ଼ାକଭୋଟ ପାଇଁ ଇଚ୍ଛୁକ ଥିବା ସେମାନଙ୍କ ସ୍ୱୀକୃତିପତ୍ର ସଂଗ୍ରହ କରାଯିବ ବୋଲି ପ୍ରକାଶ କରିଥିଲେ। ଉକ୍ତ ବର୍ଗର ଯେଉଁ ଭୋଟରମାନେ ଡ଼ାକଭୋଟ ମାଧ୍ୟମରେ ମତଦାନ ପାଇଁ ସମ୍ମତି ପ୍ରଦାନ କରିବେ ପରେ ସେମାନେ ଇଚ୍ଛା କଳେ ବି ବୁଥ୍ କୁ ଯାଇ ମତଦାନ କରପାରିବେ ନାହିଁ। ମାର୍କ କପିରେ ସେମାନଙ୍କ ନାମ ପାଖରେ ପୋଷ୍ଟାଲ ଭୋଟ ବୋଲି ଉଲ୍ଲେଖ ଥିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମହାନ୍ତି କହିଥିଲେ। ବୁଥକୁ ଯିବା ପାଇଁ ନିହାତି ଅକ୍ଷମ ଥିବା ଉକ୍ତ ଦୁଇବର୍ଗର ଭୋଟରଙ୍କ ପାଇଁ ସେମାନଙ୍କ ଇଚ୍ଛାନୁସାରେ ଏହି ଡ଼ାକ ଭୋଟ ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ। ଏହି ବ୍ୟବସ୍ଥାରେ ଘରକୁ ଘର ବୁଲି ଚିହ୍ନଟ ଭୋଟରଙ୍କ ଡ଼ାକ ଭୋଟ ଜରିଆରେ ମତଦାନ ସଂଗ୍ରହ କରାଯିବା ପ୍ରକ୍ରିୟା ସମ୍ବନ୍ଧରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଟୁଡ଼ୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ। ଧାମନଗର ଉପନିର୍ବାଚନରେ ନାମାଙ୍କନ ପତ୍ର ଦାଖଲ ପାଇଁ ଧାର୍ଯ୍ୟ ହୋଇଥିବା ଆଜିର ଆରମ୍ଭ ଦିନରେ କୌଣସି ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିନାହାଁନ୍ତି। ସୂଚନା ଯୋଗ୍ୟ କି ୭-୧୦-୨୨ ରୁ ୧୪-୧୦-୨୨ ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟ ଦିବସମାନଙ୍କରେ ପୂର୍ବାହ୍‌ଣ ୧୧ ଘଟିକାରୁ ଅପରାହ୍‌ଣ ୩ ଘଟିକା ମଧ୍ୟରେ ନାମାଙ୍କନ ପତ୍ର ଗ୍ରହଣ କରାଯିବା ନେଇ ବ୍ୟବସ୍ଥା ରହିଛି। ରିଟଣ୍ଣିଂ ଅଧିକାରୀ ଅତିରିକ୍ତ ଉପଜିଲ୍ଲାପାଳ ଏବଂ ସହାୟକ ରିଟଣ୍ଣିଂ ଅଧୀକାରୀ ତହସିଲଦାର ତିହିଡ଼ିଙ୍କୁ ନିର୍ବାଚନ ପାଇଁ ମନୋନୟନପତ୍ର ପ୍ରାର୍ଥୀ କିମ୍ବା ପ୍ରାର୍ଥୀଙ୍କ ପ୍ରସ୍ତାବଙ୍କ ଠାରୁ ଗ୍ରହଣ କରିବା ପାଇଁ ଦାୟୀତ୍ୱ ଅର୍ପଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.