Home ଓଡ଼ିଶା ଧାମନଗର ଉପନିର୍ବାଚନ, ରାଜ୍ୟସ୍ତରୀୟ ଦ୍ୱିଦିିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ, ୧୩୪ ବୁଥ୍ ର ନାମ ପରିବର୍ତ୍ତନ...

ଧାମନଗର ଉପନିର୍ବାଚନ, ରାଜ୍ୟସ୍ତରୀୟ ଦ୍ୱିଦିିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ, ୧୩୪ ବୁଥ୍ ର ନାମ ପରିବର୍ତ୍ତନ ନେଇ ରାଜନୈତିକ ଦଳ ଓ ଗଣମାଧ୍ୟମଙ୍କୁ ଜିଲ୍ଲାପାଳଙ୍କ ସୂଚନା

20

ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉପନିର୍ବାଚନ କାର୍ଯ୍ୟ ପରିଚାଳନା ନେଇ ଜିଲ୍ଲା ସ୍ତରୀୟ ମାଷ୍ଟର ଟ୍ରେନର ଦାୟିତ୍ୱ ପାଇଁ ନିଯୁକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କ ପ୍ରଶିକ୍ଷଣ ପାଇଁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ରାଜ୍ୟସ୍ତରୀୟ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜାତୀୟ ସ୍ତରର ପ୍ରଶିକ୍ଷକ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତୃଘ୍ନ କର ଏବଂ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ନିର୍ବାଚନ କାର୍ଯ୍ୟ ପରିଚାଳନା ନେଇ ନିର୍ଦ୍ଧାରିତ ବିଷୟ ଅନୁଯାୟୀ ପୁଙ୍ଖାନୁପୁଙ୍ଖ ଆଲୋଚନା ଓ ପ୍ରଶ୍ନଉତ୍ତର ଜରିଆରେ ତାଲିମ ପ୍ରଦାନ କରିଥିଲେ। ଦୁଇ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ଏବଂ ରାମଦାସ ଟୁଡ଼ୁ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରୀତିମୟ, ଉପଜିଲ୍ଲାପାଳ ମନୋଜ ପାତ୍ର, ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଉପଜିଲ୍ଲାପାଳ ଡ. ଲକ୍ଷ୍ମୀ ପ୍ରସାଦ ସାହୁ ପ୍ରମୁଖ ଏହି କାର୍ଯ୍ୟ କ୍ରମରେ ଯୋଗ ଦେଇଥିଲେ। ଜିଲ୍ଲାର ସମସ୍ତ ବି.ଡ଼ି.ଓ., ତହସିଲଦାର, ଅତିରିକ୍ତ ତହସିଲଦାର, ପୈାର ଓ ଏନ୍‌.ଏ.ସି.ର କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା କାର୍ଯ୍ୟାଳୟର ଅନ୍ୟ ଓ.ଏ.ଏସ୍ ଅଧିକାରୀ, ସଂପୃକ୍ତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ, ନିର୍ବାଚନ କାର୍ଯ୍ୟ ନେଇ ଦାୟିତ୍ୱରେ ଥିବା ବିଭିନ୍ନ ନୋଡ଼ାଲ ଅଧିକାରୀ ମାନେ ଏଥିରେ ଉପସ୍ଥିତ ରହି ତାଲିମ ଗ୍ରହଣ କରିଥିଲେ।

ପୂର୍ବାହ୍ନ ଅଧିବେଶନରେ ଇ.ଭି.ଏମ୍‌. ଓ ଭିଭିପାଟ୍ ର ବ୍ୟବହାର ନେଇ ପ୍ରାଥମିକ ତଦନ୍ତ କାର୍ଯ୍ୟଠାରୁ କମିଶନିଂ, ଷ୍ଟ୍ରଙ୍ଗରୁମ୍‌ରେ ଗଚ୍ଛିତ ରଖିବା, ବିତରଣ କେନ୍ଦ୍ରରେ ପୋଲିଂ ଦଳଙ୍କୁ ପ୍ରଦାନ କରାଯିବା ଏବଂ ମତଦାନ କେନ୍ଦ୍ରରେ ମକ୍‌ପୋଲ ଓ ପ୍ରକୃତ ମତଦାନ ପ୍ରକ୍ରିୟା ସମ୍ବନ୍ଧରେ ତାଲିମ ପ୍ରଦାନ କରାଯାଇଥିଲା। ପୋଲିଂ ଦଳ ମତଦାନ କାର୍ଯ୍ୟ ପରିଚାଳନା ଏବଂ ପ୍ରଥମ କରି ୮୦ ବର୍ଷ ବୟସରୁ ଉର୍ଦ୍ଧ୍ୱ ନାଗରିକ ଓ ଦିବ୍ୟାଙ୍ଗ ମାନଙ୍କ ପାଇଁ ପ୍ରଚଳିତ ହୋଇଥିବା ଡାକଭୋଟ ଗ୍ରହଣ ପ୍ରକ୍ରିୟା ସମ୍ବନ୍ଧରେ ମଧ୍ୟ ବିସ୍ତୃତ ଭାବେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଅପରାହ୍ନ ଅଧିବେସନରେ ଭୋଟ ଗଣନା, ଫଳାଫଳ ଘୋଷଣା, ପ୍ରକ୍ରିୟା ସହିତ ଇଭିଏମ୍‌, ଭିଭିପାଟ ର ବ୍ୟବହାର କୌଶଳ ପ୍ରଦାନ କରାଯାଇଥିଲା। ଏହି ରାଜ୍ୟସ୍ତରୀୟ ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମ ଦୁଇଦିନ ପାଇଁ ପୂର୍ବାହ୍‌ଣ ଘ. ୯.୩୦ ମିରୁ ଅପରାହ୍ନ ଘ. ୫.୩୦ ମି ପର୍ଯ୍ୟନ୍ତ ଦିନ ତମାମ୍ କାର୍ଯ୍ୟସୂଚୀ ରହିଛି। ଧାମନଗର ଉପନିର୍ବାଚନ ପାଇଁ ଥିବା ସମୁଦାୟ ୨୫୨ ଟି ବୁଥରୁ ୧୩୪ ଟି ବୁଥ୍‌ର ନାମ ପରିବର୍ତ୍ତନ ନେଇ ଆଜି ରାଜନୈତିକ ଦଳ ମାନଙ୍କୁ ନେଇ ଏକ ପ୍ରଶାସନିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାପାଳଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ଉପଜିଲ୍ଲାପାଳ ମନୋଜ ପାତ୍ର ଯୋଗ ଦେଇଥିଲେ। ସୂଚନା ଯୋଗ୍ୟ କି ସ୍କୁଲ ମିଶ୍ରଣ ଓ କେତେକ ସ୍କୁଲ ର ଉନ୍ନୀତ କରଣ ଯୋଗୁଁ ସ୍କୁଲଗୁଡ଼ିକର ନାମ ପରିବର୍ତ୍ତନ ନେଇ ବୁଥ୍ ଗୁଡ଼ିକର ନାମ ପରିବର୍ତ୍ତନ କରାଯାଇଛି। ଏ ବିଷୟ ନେଇ ଜିଲ୍ଲାପାଳ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ସାକ୍ଷାତକାର ଦେବା ମାଧ୍ୟମରେ ସୂଚନା ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.